ମନୁଷ୍ୟ କଦଳୀକୁ ଆଦିମ କାଳରୁ ଜାଣିଛି ଏବଂ କଦଳୀ ଚାଷ ମଧ୍ୟ ବହୁ ପୁରୁଣା କାଳରୁ କରିଆସୁଅଛି । ଏହା ଉଷ୍ମ ଓ ଆର୍ଦ୍ର ଜଳବାୟୁ ଅଞ୍ଚଳରେ ଏକ ମୁଖ୍ୟ ଫଳ ଫସଲ । ଏହା ବହୁତ ପ୍ରକାର ଭିଟାମିନ୍ରେ ଭରପୂର । ଏଥିରେ ମୁଖ୍ୟତଃ ଶେ୍ୱତସାର ୨୭%, ପୁଷ୍ଟିସାର ୧.୨% ଏବଂ ବହୁଳ ପରିମାଣରେ ଫସ୍ଫରସ, କ୍ୟାଲ୍ସିୟମ, ଲୌହ ଜାତୀୟ ଖାଦ୍ୟ, ଭିଟାମିନ୍ “କ’ “ଖ’ “ବି କେମ୍ପ୍ଲକ୍ସ ଏବଂ “ଗ’ ରହିଥାଏ । କଦଳୀ ଗଛର ଫଳ ମୁଖ୍ୟତଃ ଦୁଇ ପ୍ରକାରର ବ୍ୟବହାର କରାଯାଏ । କଞ୍ଚାଫଳକୁ ତରକାରୀ ରୂପେ ବ୍ୟବହାର କରାଯାଏ ଏବଂ ପାଚିଲା ଫଳକୁ ସିଧା ଖିଆଯାଏ । ଏକ ଶହ ଗ୍ରାମ ଓଜନର ୨ ଡଜନ କଦଳୀ ଜଣେ ସାଧାରଣ କାମ କରିବା ଲୋକଙ୍କର ଗୋଟିଏ ଦିନର ଆବଶ୍ୟକ ଶକ୍ତି (୨୪୦୦ କ୍ୟାଲୋରୀ) ପୂରଣ କରିଥାଏ । କଦଳୀକୁ ରୂପାନ୍ତରିତ କରାଯାଇ ସେଥିରେ ଜାମ୍, ବିସ୍କୁଟ, ଟିପ୍ସ, ଅଟା, ମଣ୍ଡ, ଆଇସ୍କ୍ରିମ ମୃଦୁ୍ୟ ପାନୀୟ ଏବଂ ଅନ୍ୟାନ ବ୍ୟବହୃତ ଜିନିଷ ତିଆରି କରାଯାଏ । ଖାଇବା ପାଇଁ କଦଳୀ ପତ୍ରକୁ ଥାଳି ରୂପେ ବ୍ୟବହାର କରାଯାଏ । କଦଳୀ ଗଛର କାଣ୍ଡକୁ ରୂପାନ୍ତରିତ କରି ସେଥିରୁ ଟିସୁ୍ୟ ପେପର, କାଗଜ ଓ ବୋର୍ଡ ଇତ୍ୟାଦି ପ୍ରସ୍ତୁତ କରାଯାଏ । ଭାରତର କିଛି ଅଞ୍ଚଳର ଅଧିବାସୀମାନେ ମଞ୍ଜାରୁ ପ୍ରସ୍ତୁତ ତରକାରୀକୁ ପସନ୍ତ କରିଥାନ୍ତି । କଦଳୀ ଫଳରୁ ପ୍ରସ୍ତୁତ ଅଟା ଶିଶୁ ଶରୀର ପାଇଁ ବହୁ ଉପଯୋଗୀ ।
ମୃତ୍ତିକା ଓ ଜଳବାୟୁ
କଦଳୀ ସବୁ ପ୍ରକାର ମୃତ୍ତିକାରେ ଚାଷ କରାଯାଇପାରେ । ଜୈବିକ ପଦାର୍ଥଯୁକ୍ତ ଗଭୀର ପଟୁମାଟି, ଦୋରସ ନିଗିଡ଼ା ମାଟି ବ୍ୟବସାୟିକ ଭିତ୍ତିରେ କଦଳୀ ଚାଷ ପାଇଁ ଉତ୍କୃଷ୍ଟ । ଯେହେତୁ କଦଳୀ ଗଛର ଚେର ବହୁ ଭିତରୁ ଯାଇପାରେ ନାହିଁ, ତେଣୁ ଗଛ ମୂଳରେ ପାଣି ଜମି ନରହିଲେ ଭଲ ଫସଲ ହୁଏ । ଏହି ଫସଲ ଅଳ୍ପ କ୍ଷାର ସହ୍ୟ କରିପାରେ । କ୍ଷାର ଥିବା ମୃତ୍ତିକାରେ ଝାଉଁଳା ରୋଗର ଲକ୍ଷଣ କମ୍ ଦେଖାଦିଏ ।
ଏହା ଉଷ୍ମ ଓ ଆର୍ଦ୍ର ଜଳବାୟୁରେ ଭଲ ଫସଲ ହୁଏ । ଏହାକୁ ସମୁଦ୍ର ପତନ ଠାରୁ ୧୨୦୦ ମି. ଉଚ୍ଚତା ପର୍ଯ୍ୟନ୍ତ ଜଳବାୟୁରେ ଚାଷ କରାଯାଇ ପାରିବ । ଏହି ଚାଷା ୨୦ଂ-୩୬ଂ ସେ.ଗ୍ରେ. ତାମାପାତ୍ରାରେ ଚାଷ କରାଯାଇ ପାରିବ । ଯଦିଓ ଏହା ୧ଂ – ୪ଂ ସେ.ଗ୍ରେ. ତାପମାତ୍ରା ସହ୍ୟ କରିପାରେ ତଥାପି ଶୀତଋତୁରେ ପ୍ରବଳ ଶୀତ ଓ ଗ୍ରୀଷ୍ମ ଋତୁରେ ପ୍ରବଳ ବେଗରେ ପବନ ଏହାର ଶତ୍ରୁ ଅଟନ୍ତି । ବାର୍ଷିକ ବୃଷ୍ଟିପାତ ୧୨୦୦ ମି.ମି. ରୁ ଅଧିକ କଦଳୀଚାଷ ପାଇଁ ଉପଯୋଗୀ ।
କିସମ
ଓଡ଼ିଶାରେ ଚାଷ କରାଯାଉଥିବା କଦଳୀ ମୁଖ୍ୟତଃ ଦୁଇ ପ୍ରକାର ଯଥା (୧) ପାଚିଲା କଦଳୀ (୨) କଞ୍ଚା କଦଳୀ କିସମ ।
୧. ପାଚିଲା କଦଳୀ ଦୁଇ ପ୍ରକାରର (କ) ହଳଦିଆ ରଙ୍ଗର ଫଳ, (ଖ) ସବୁଜ ରଙ୍ଗର ଫଳ ।
ହଳଦିଆ ରଙ୍ଗର ଫଳ : ହଳଦିଆ ରଙ୍ଗର କଦଳୀ ବହୁତ ଦରକାରୀ ଏବଂ ବହୁ ଲୋକପ୍ରିୟ । ସେଗୁଡିକ ଯଥାକ୍ରମେ ପ୍ରଭନ (ଚମ୍ପା), କର୍ପୂର -ଚକ୍ରକେଳି । ଏହି କିସମର ଗଛ ଗୁଡ଼ିକ ଡେଙ୍ଗା, ଏହାକୁ ଅଳ୍ପ ବୃଷ୍ଟିପାତ ଅଞ୍ଚଳରେ ଚାଷ କରାଯାଇପାରେ । ଏହା ଝାଉଁଳା ଓ ଗୋଛା ରୋଗ ପ୍ରତିରୋଧି, ଏହାର ପୁରାକାନ୍ଧିର ଓଜନ ହାରାହାରି ୧୫ କି.ଗ୍ରା ପର୍ଯ୍ୟନ୍ତ ହୋଇଥାଏ । ୨ୟ କିସମ ହେଉଛି : ରସଥାଳୀ : ପାଟକପୁରା ସିକ୍ସ – ଏହି କିସମଟି ଓଡ଼ିଶାର ସବୁଠାରୁ ଲୋକପି୍ରୟ । ଗଛଗୁଡିକ ବହୁତ ଡେଙ୍ଗା ଏବଂ ପବନ ସହ୍ୟ କରିପାରେ ନାହିଁ । ପାଚିଲା ପରେ ଫଳ ହଳଦିଆ ରଙ୍ଗ ଧାରଣ କରେ । ଫଳ ଅତି ମାଂସାଳ, ମଧୁର, ସମଧୁର ବାସ୍ନା ଏହାକୁ ବହୁଦିନଧରି ସଂରକ୍ଷଣ କରାଯାଇପାରେ । କାନ୍ଦିର ଓଜନ ୧୨-୧୫ କି.ଗ୍ରା ପର୍ଯ୍ୟନ୍ତ ହୋଇଥାଏ । ଏହି କିସମରେ ଝାଉଁଳା ରୋଗ ବେଶୀ ହୋଇଥାଏ । ଚାଷୀମାନେ ଏହି କିସମକୁ ଭଲ ପାଆନ୍ତି କାରଣ, ଏହି କଦଳୀକୁ ବହୁତ ଦିନ ପର୍ଯ୍ୟନ୍ତ ସଂରକ୍ଷଣ କରାଯାଇପାରେ ଏବଂ ଏହାର ମୂଲ୍ୟ ବଜାରର ଡଜନ ପିଛା ୨୦-୩୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ ।
ସବୁଜ ରଙ୍ଗର କଦଳୀ ଫଳ : ଏହି ହରିଛାଇ (ରୋବଷ୍ଟା) ଓ ବସରାଇ (ଡ୍ୱାର୍ଫ କାଭେଣ୍ଡିସ୍) କିସମ ଗୁଡିକ ଧୀରେ ଧୀରେ ଲୋକପ୍ରିୟ ହୋଇଆସୁଛି କାରଣ ଏଗୁଡିକ ହେଉଛି ବାମନ ଜାତୀୟ କିସମ । ଏହି କିସମ ଗୁଡିକ ବାଙ୍ଗରା ଓ ପବନର ବେଗକୁ ସହ୍ୟ କରିପାରେ । ଏହି କିସମ ଗୁଡିକରେ ଝାଉଁଳାରୋଗ ଲାଗେ ନାହିଁ କିନ୍ତୁ ଗୋଛାରୋଗ ଓ ପତ୍ରଦାଗ ରୋଗ ବେଶୀ ହୋଇଥାଏ । କଦଳୀ କାନ୍ଦିର ଓଜନ ୧୮-୨୦ କିଗ୍ରା ଫଳଗୁଡିକ ମିଠା, ସ୍ୱାଦଯୁକ୍ତ ଏବଂ ଭଲ ବାସ୍ନା ମଧ୍ୟ ହୁଏ ।
ପରିବା ଶ୍ରେଣୀର କଦଳୀର କିସମଗୁଡିକ ହେଲା ବନ୍ତଳ ଏବଂ ବତିଶା । ଗଛ ଗୁଡିକ ଡେଙ୍ଗା, କାନ୍ଦିର ଓଜନ ୧୦-୧୨ କିଗ୍ରା । ସମୁଦ୍ର ପତନ ଠାରୁ ବହୁ ଉଚ୍ଚ ଜାଗାରେ ପାହାଡ଼ିଆ କଦଳୀ (ବିରୁପାକ୍ଷୀ) ଚାଷ କରାଯାଏ ।
ବଂଶ ବିସ୍ତାର
କଦଳୀକୁ ସାଧାରଣତଃ ଅଙ୍ଗୀୟ ଜନନ ପ୍ରଣାଳୀରେ ବଂଶ ବିସ୍ତାର କରାଯାଏ । ଏହି ଗଛରେ ସାଧାରଣତଃ ଦୁଇ ପ୍ରକାରର ପୁଆ ଦେଖାଯାଏ । ସିଙ୍ଗାପୁଆ ଗୁଡିକ ତଳଆଡୁ ମୋଟା ହୋଇ ଉପରଆଡ଼କୁ ସରୁ ହୋଇଥାଏ ଏବଂ ପତ୍ରଗୁଡିକ କମ୍ ଚଉଡ଼ା ହୋଇଥାଏ । ଏହି ପୁଆ ବ୍ୟବସାୟିକ ଭିତ୍ତିରେ ବହୁତ ଭଲ । ପାଣି ପୁଆଗୁଡିକ ମୂଳରୁ ଅଗ ପର୍ଯ୍ୟନ୍ତ ସମାନ ମୋଟେଇ ଏବଂ ପତ୍ରଗୁଡିକ ଚଉଡା ହୋଇଥାଏ । ଏହି ପୁଆଗୁଡିକ ଭଲ ବଢ଼େନାହିଁ ଏବଂ ବ୍ୟବସାୟିକ ଦୃଷ୍ଟିକୋଣରୁ ଭଲ ନୁହେଁ । କିନ୍ତୁ ବ୍ୟବସାୟିକ ଭିତ୍ତିରେ ଚାଷ କରିବା ପାଇଁ ପେଶୀ ପୋଷଣ କଦଳୀ ଗଛ ସର୍ବୋତ୍କୃଷ୍ଟ ଅଟେ । ପେଶୀ ପୋଷଣ ଗଛ ପୁଆ ଗଛଠାରୁ ଅଧିକ ଦିଏନାହିଁ । କିନ୍ତୁ ଏଗୁଡିକ ସାଧାରଣତଃ ରୋଗପୋକ ମୁକ୍ତ ଥାଆନ୍ତି ତଥା ଏକ ସମୟରେ ସମସ୍ତ ଫଳ ଅମଳ ହୋଇପାରେ ଓ ଏକସଙ୍ଗରେ ବଜାରକୁ ନିଆଯାଇପାରେ । ସ୍ଥାନାନ୍ତରିଣ ଖର୍ଚ୍ଚ କମ୍ ହୋଇଥାଏ ଏବଂ କମ୍ ଜାଗାରୁ ବର୍ଷସାରା ବହୁତ ପୁଆ ଅମଳ କରାଯାଇପାରେ ।
ଜମି ପ୍ରସ୍ତୁତି ଓ ରୋପଣ
ଜମିର ଚତୁଃପାଶ୍ୱର୍ରେ ହିଡ଼ ବା ବନ୍ଧ ତଥା ଜମି ସଫାସୁତୁରା ଏବଂ ଗଡ଼ାଣିଆ ହେବା ଉଚିତ୍ । ଡେଙ୍ଗା କିସମ, ଚମ୍ପା, ପାଟକପୁରା, ବନ୍ତଳ ଧାଡିକୁ ଧାଡି ଓ ଗଛରୁ ଗଛ ୨ ରୁ ୨.୫ ମି ହେବା ଉଚିତ୍ ।
ବାଙ୍ଗରା ବା ଗେଡ଼ା କିସମ : ହରିଛାଇ (ରୋବଷ୍ଟା), ବସରାଇ (ଡ୍ରାର୍ପକ୍ୟାଭେଣ୍ଡିସ୍) ଗଛରୁ ଗଛ ଓ ଧାଡ଼ିକୁ ଧାଡ଼ି ୧.୫ – ୧.୮ ମି ହେବା ଉଚିତ୍ । ଗଛ ଲଗାଇବା ପାଇଁ ୫୦ ଡ ୫୦ ଡ ୫୦ ସେ.ମି. ଆକାରର ଗାଡ଼ଖୋଳି ଗୋଟିଏ ମାସ ଖରାରେ ଶୁଖିବା ପାଇଁ ଛାଡ଼ିଦିଆଯାଏ ଏବଂ ତା’ପରେ ବାହାରେ ପଡିଥିବା ମାଟିରେ ୨୦-୩୦ କି.ଗ୍ରା ଭଲଭାବରେ ସଢ଼ିଥିବା ଗୋବରଖତ ଏବଂ ୨୦-୪୦ ଗ୍ରାମ କାର୍ବୋସାନ୍ ମିଶାଇ ଗାତକୁ ପୋତିଦିଆଯାଏ । ଯାହାଫଳରେ ସୂତ୍ରକୃମି ଓ କାଣ୍ଡବିନ୍ଧା ପୋକ କମ୍ ହୋଇଥାଏ । ଅଳ୍ପ ବୃଷ୍ଟିପାତ ଅଞ୍ଚଳରେ ପ୍ରଥମ ମୌସୁମୀ ପ୍ରବାହ ବା ଜୁଲାଇ ମାସରେ ଗଛ ଲଗାହୁଏ । ଯେଉଁଠାରେ ଜଳର ଅସୁବିଧା ନଥାଏ ସେ ଅଞ୍ଚଳରେ ବର୍ଷସାରା କଦଳୀଗଛ ଲଗାଯାଇ ପାରିବ । କେବଳ ପ୍ରଚଣ୍ଡ ଗ୍ରୀଷ୍ମ ଜଳବାୟୁ ପ୍ରବାହିତ ସମୟରେ କଦଳୀ ଗଛ ଲଗାଯାଏ ନାହିଁ । ଗଛ ଲଗାଇବା ସମୟରେ ଗଛର ଚେରକୁ ଗୋବରରେ ପ୍ରସ୍ତୁତି ଦ୍ରବଣରେ ବୁଡ଼ାଇ ଏବଂ ୨୦-୪୦ ଗ୍ରାମ କାର୍ବୋସାନ୍ଦାନାକୁ ସିଞ୍ଚନ କରାଯାଏ । ଗଛ ଲଗାଇବା ପରେ ଗଛର ମୂଳ ଚାରି ପାଖରେ ମନ୍ଦା ତିଆରି କରାଯାଏ । ଯାହାଦ୍ୱାରା ଗଛ ସୁବିଧାରେ ପାଣି ପାଇପାରେ । ବହୁ ବର୍ଷୀୟ ଫଳ ଯଥା : ସପେଟା, ନଡ଼ିଆ, ପିଜୁଳି, ଲେମ୍ବୁ ଇତ୍ୟାଦି ବଗିଚାରେ ଆରମ୍ଭ ଅବସ୍ଥାରେ ବେଶୀ ଅମଳ ପାଇବା ପାଇଁ କଦଳୀକୁ ଗୋଟିଏ ପୁରକ ଫସଲ ହିସାବରେ ଫାଙ୍କା ସ୍ଥାନରେ ଲଗାଯାଇପାରେ । ଯାହାଦ୍ୱାରା ମୁଖ୍ୟ ଫସଲର ଫୁଲ ଓ ଫଳ ଧରିବା ପର୍ଯ୍ୟନ୍ତ ବଗିଚାକୁ ପ୍ରାରମ୍ଭିକ ବର୍ଷରେ ଆର୍ଥିକ ଲାଭ ଆଦାୟ ହୋଇ ପାରିବ ।
ପୋଷଣ
ସାଧାରଣତଃ କଦଳୀ ଗଛ ବେଶୀ ମାତ୍ରାରେ ଖାଦ୍ୟ ଗ୍ରହଣ କରିଥାଏ । କିନ୍ତୁ ପେଶୀପୋଷଣ କଦଳୀ ଗଛ ବହୁତ ଶୀଘ୍ର ବଢ଼ିଥାଏ ଯାହାଫଳରେ କି ଗଛ ଯଥେଷ୍ଟ ପରିମାଣର ଖତସାର ଆବଶ୍ୟକ କରେ । ସାଧାରଣତଃ ଆମ ଓଡ଼ିଶାର ମାଟିରେ ପୋଷଣର ଅଭାବ ବହୁତ ରହିଛି । ଭଲ ଫସଲ ପାଇଁ ଗଛ ପିଛା ୩୦୦ ଗ୍ରାମ ଯବକ୍ଷାରଜାନ ୧୦୦ ଗ୍ରାମ ଫସ୍ଫରସ ଓ ୩୦୦ ଗ୍ରାମ ଫଟାସିୟମ ପ୍ରଥମ ଫସଲରେ ଦରକାର ହୁଏ । ଏହି ପରିମାଣର ପୋଷକ ୬୫୦ ଗ୍ରାମୟୁରିଆ, ୨୦୦ ଗ୍ରାମ ନବରନିା ଡି.ଏ.ପି. ଓ ୫୦୦ ଗାମ ନବରନିା ପଟାସରୁ ମିଳିଥାଏ । ନବରନିା ଡି.ଏ.ପି. ଗଛ ଲଗାଇବା ପୂର୍ବରୁ ଗାତରେ ଦିଆଯାଏ । ଯବକ୍ଷାରଜାନ ବାୟୁରିଆର ପରିମାଣକୁ ଭାଗ ଭାଗ କରି ୩ ଥରରେ ଦିଆଯାଏ । ଗଛ ଦୁଇ ମାସର ହୋଇଗଲେ ୧୫୦ ଗ୍ରାମ, ୪ ମାସର ହେଲ ୨୫୦ ଗ୍ରାମ ଏବଂ ୨୫୦ ଗ୍ରାମୟୁରିଆ ଗଛକୁ ୬ ମାସ ହେଲେ ଦିଆଯାଏ । ପ୍ରଥମ ୨ ମାସରେ ୨୫୦ ଗ୍ରାମ ଏବଂ ୬ ମାସରେ ୨୫୦ ଗ୍ରାମ ପଟାସ ସାର ଦିଆଯାଏ । ପ୍ରଥମଥର ଅମଳ ପରେୟୁରିଆ ପୁଣି ଭାଗ ଭାଗ କରି ୩ ଥରରେ ଦିଆଯାଏ । ପ୍ରଥମ ଫସଲ ଅମଳ ପରେ ୧୫୦ ଗ୍ରାମ, ୨ ମାସ ପରେ ୨୫୦ ଗ୍ରାମ ଏବଂ ୪ ମାସ ପରେ ୨୫୦ ଗ୍ରାମୟୁରିଆ ଦିଆଯାଏ । ସିଙ୍ଗଲ ସୁପର ସାରର ପରିମାଣ କମାଇ ୩୦୦ ଗ୍ରାମ ଅମଳ ପରେ ଦିଆଯାଏ । ମୁ୍ୟରେଟ୍ ଅଫ୍ ପଟାସ୍ ସାରର ସମପରିମାଣ ଦୁଇଥରରେ ଦିଆଯାଏ । ପ୍ରଥମ ଅମଳପରେ ଏବଂ ୪ ମାସ ପରେ ।
ଜଳ ପରିଚାଳନା
ସାଧାରଣତଃ ଓଡ଼ିଶାର ଜଳବାୟୁରେ ବର୍ଷାଦିନେ କଦଳୀ ଗଛରେ ପାଣିଦେବା ଦରକାର ହୁଏ ନାହିଁ । ଯଦି ଗଛଲଗାଇବା ପରେ ବର୍ଷା ହେବାର ସମ୍ଭାବନା ନଥାଏ ତେବେ ଗଛ ପିଛା ୧ ବାଲତି ପାଣିଦେବା ଉଚିତ୍ । ଶୀତ ଦିନେ ୮-୧୦ ଦିନ ବ୍ୟବଧାନରେ ଏବଂ ଗ୍ରୀଷ୍ମ ଦିନରେ ୪-୫ ଦିନ ବ୍ୟବଧାନରେ ପାଣିଦେବା ଉଚିତ୍ । ବୁନ୍ଦା ଜଳସେଚନ ପ୍ରଣାଳୀରେ ଜଳସେଚନ କଲେ ଶତକଡ଼ା ୨୫ ଭାଗ ପାଣି କମ୍ ଖର୍ଚ୍ଚ ହୋଇଥାଏ ଏବଂ ୧୫-୨୦ ପ୍ରତିଶତ ଅଧିକ ଅମଳ ହୋଇଥାଏ ।
ଅନ୍ତଃ ଫସଲ ଓ ଚାଷ
ପ୍ରଥମ ୩-୪ ମାସ ମଧ୍ୟରେ ସ୍ୱଳ୍ପ ସମୟ ଭିତ୍ତିକ ପରିବା ଫସଲ ଯଥା ଧନିଆ, ମୂଳା, ଗାଜର, ଲଙ୍କା ଓ ଫୁଲ ଜାତୀୟ ଗେଣ୍ଡୁ, ରଜନିଗନ୍ଧା ଇତ୍ୟାଦି ଫସଲ ସଫଳ ଭାବରେ ଚାଷ କରାଯାଇପାରିବ । ଏହାଦ୍ୱାରା ଖାଲି ଜାଗାରେ ଅନାବନା ଗଛ ବା ଘାସ ଉଠିବାର ସମ୍ଭାବନା କମ୍ ଥାଏ । ବର୍ଷାଦିନେ ଭଳ ଭାବରେ ମାସକୁ ଥରେ କୋଡ଼ାଖୋସା ଦରକାର ହୁଏ । ଅନ୍ୟ ଋତୁରେ ୩ ମାସରେ ଥରେ ହେଲେ ଚଳିବ । ଖାଲିଥିବା ଜମିକୁ ଆଖୁ ଛେଦା, କଦଳୀପତ୍ର, ନଡ଼ା, ନଡ଼ିଆ ପତ୍ର, ଶୁଖିଲା ଘାସ ଇତ୍ୟାଦି ଦ୍ୱାରା ଛେଦିକରଣ କରାଯାଏ । ଏହାଦ୍ୱାରା ଅନ୍ୟାନ୍ୟ ଗଛର ବୃଦ୍ଧି ଅବରୋଧ ହେବା ସଂଗେ ସଂଗେ ମାଟିର ଆର୍ଦ୍ରତା କମେନାହିଁ ଏବଂ ଅମଳ ବଢ଼ାଇଥାଏ । ଏହି ଫସଲରେ ମୁଖ୍ୟ ସମସ୍ୟା ହେଲା ଅନବରତ ଭାବରେ ପୁଆ ବାହାରିବା । ଏହାଦ୍ୱାରା ଅମଳ କମିଯାଏ, ଏହାକୁ ରୋକିବାକୁ ହେଲେ ପ୍ରଥମେ ଗୋଟିଏ ପୁଆ ରଖି ଅନ୍ୟ ସବୁ ପୁଆକୁ ମୂଳରୁ କାଟି ଅଳ୍ପ ପରିମାଣର କିରୋସିନ୍ ତା ମଧ୍ୟରେ ଦିଆଯାଏ । ପ୍ରଥମ ଅମଳ ବେଳକୁ ନୂତନ ପୁଆଟି ୩ ମାସର ହେବା ଆବଶ୍ୟକ । ତାପରେ ଆବଶ୍ୟକୀୟ ପରିମାଣର ସାର ଦେଇ ଗଛର ମୂଳକୁ ଘୋଡ଼ାଇ ଦେବା ଉଚିତ୍ । ଗଛର ପତ୍ର ବୁଡ଼ା ହୋଇଗଲେ ଯଥା ସମୟରେ ସେଗୁଡିକୁ ସଫା କରିଦେବା ନିହାତି ଆବଶ୍ୟକ । କଦଳୀ ଗଛର ମୁଖ୍ୟ ଗୁଣ ହେଲା କାନ୍ଦି ସବୁବେଳେ ଦକ୍ଷିଣ ମୁଖା ହୋଇ ବାହାରେ ତେଣୁ ଗଛ ନଇଁଆସେ । ଗଛକୁ ସିଧା ରଖିବା ପାଇଁ ଅନୁ୍ୟନ ୪୦-୬୦ ମିମି. ମୋଟେଇ ବିଶିଷ୍ଟ କାଠ କିମ୍ବା ବାଉଁଶ ଖମ୍ବକୁ ଛକି ପରି ବାନ୍ଧି ଢ଼ିରା ଦିଆଯାଏ । ଯେତେବେଳେ କାନ୍ଦି ସମ୍ପୂର୍ଣ୍ଣ ଭାବରେ ବାହାରି ଅସେ ତାକୁ ଝୋଟ ନିର୍ମିତ ବ୍ୟାଗ୍ ବା କଦଳୀ ପତ୍ର ଦ୍ୱାରା ଢ଼ାଙ୍କି ଦିଆଯାଏ ଯାହାକି ପୋକ ଓ ଖରାରୁ ରକ୍ଷା କରିହୁଏ । ଅମଳପରେ ଗଛକୁ ୧୦-୧୫ ଦିନ ବ୍ୟବଧାନରେ ୨-୩ ଥରେ କାଟିବା ଉଚିତ୍ । ସାଧାରଣତଃ ଏକ ଜାଗାରୁ ୨-୩ ଥର ଅମଳ ନିଆଯାଏ ।
ଅମଳ ଓ ବିପଣନ
ବାଙ୍ଗରା କିସମ କଦଳୀ ଗଛ ୮-୧୦ ମାସ ମଧ୍ୟରେ କାନ୍ଦି ବା ଫଳ ତଥା ଡେଙ୍ଗା କିସମ କଦଳୀ ଗଛ ୧୦-୧୧ ମାସ ମଧ୍ୟରେ କାନ୍ଦି ବା ଫଳ ଦେଇଥାଏ । କାନ୍ଦି ବାହାରିବା ଗଛର ବୟସ, ଗଛ ରୋପଣ, ପୋଷଣ ତଥା ଜଳସେଚନ ଉପରେ ନିର୍ଭର କରିଥାଏ । କାନ୍ଦି ବାହରିବାର ୩-୪ ମାସ ପରେ ଫଳ ପାକଳ ହୋଇଥାଏ । ଗଛର ଜୀବନ ଚକ୍ର ପୁରା ହେବାକୁ ବାଙ୍ଗରା ପାଇଁ ୧୨-୧୩ ମାସ ଓ ଡେଙ୍ଗା କିସମ ପାଇଁ ୧୪-୧୫ ମାସ ସମୟ ଲାଗିଥାଏ । ବାଙ୍ଗରା କିସମର ପ୍ରଥମ ଫଳ ଅମଳ ପାଇଁ ୧୦-୧୧ ମାସ ସମୟ ଏବଂ ଡେଙ୍ଗା କିସମ ପାଇଁ ୧୨-୧୩ ମାସ ସମୟ ଲାଗେ ।
ପରିବା ଜାତୀୟ କଦଳୀ ବନ୍ତଳ, ବତିସା ଆଦି ଗୋଟିଏ ଫସଲ ଚକ୍ରରେ ହେକଫର ପିଛା ୩୫-୩୦ ଟନ୍ ଅମଳ ହୋଇଥାଏ । ଫଳଜାତୀୟ କଦଳୀ ଚମ୍ପା, ପାଟକପୁରା ଆଦି ହେକଫର ପିଛା ୪୦-୪୫ ଟନ୍ ଅମଳ ଦେଇଥାଏ । କଦଳୀକୁ ଜଳଖିଆ ବା ବନ୍ଧୁ ଚର୍ଚ୍ଚାରେ ଉପଯୋଗ କରିବାକୁ ହେଲେ ପାକଳ କାନ୍ଦି (୩/୪ ଭାଗ ପାକଳ) କୁ କୃତ୍ରିମ ଉପାୟରେ ପଚାଯାଏ । ତାହା ଗୋଟିଏ ବନ୍ଦ କୋଠରୀକୁ ୧୬-୧୮ଂ ସେ.ଗ୍ରେ. ସହ ୯୫% ଆପେକ୍ଷିକ ଆର୍ଦ୍ରତା ସହିତ ୧୦୦ ପିପିଏମ୍ ଇଥାଇଲିନ୍ ଗ୍ୟାସ ଦିଆଯାଇଥାଏ । ଯେତେବେଳେ କଦଳୀଗୁଡିକ ଅଳ୍ପ ବକ୍ର, ଆଙ୍ଗୁଳିପରି ଲମ୍ବା ଓ ଗୋଲାକାର ହୋଇଥାଏ ତାହାହିଁ ଅମଳ କରିବାର ପ୍ରକୃଷ୍ଟ ସମୟ ।
ରୋଗ ଓ ପୋକ ନିୟନ୍ତ୍ରଣ
କାଣ୍ଡବିନ୍ଧା : ଏ ପୋକ କଦଳୀ ଗଛର କାଣ୍ଡ ଭିତରେ ପ୍ରବେଶ କରି ସମ୍ପୂର୍ଣ୍ଣ ଗଛକୁ ନଷ୍ଟ କରିଦିଏ । ୩ ଗ୍ରାମ କାର୍ବୋସାନ୍ ଦାନା ତା ମୂଳରେ ଦିଆଗଲେ ପୋକ ମରିଯାଆନ୍ତି । ଗଛ ମୂଳ ବା କନ୍ଦାରେ ଏକ ପ୍ରକାର ପୋକ ଦେଖାଯାନ୍ତି ତାଦ୍ୱାରା ମଧ୍ୟ ଗଛ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ । ଏହାକୁ ଦମନ କରିବାକୁ ହେଲେ ଗଛ ପିଛା ୨୦ ଗ୍ରାମ ଫୋରାସାନ୍ ବ୍ୟବହାର କରାଯାଏ ।
କଦଳୀ ଜଉପୋକ :
ଏହି ପୋକମାନେ କଦଳୀ ପତ୍ର ଖାଇବା ସହ ଗୋଛାରୋଗର ଭୂତାଣୁମାନଙ୍କୁ ସ୍ଥାନାନ୍ତରିତ କରିଥାନ୍ତି । ଏହାକୁ ଦମନ କରିବାକୁ ହେଲେ ୬ ମାସ ଅନ୍ତରରେ ଫୋରାସାନ୍ କୁ ଦୁଇଥର ବ୍ୟବହାର କରିବାକୁ ହୁଏ । ବେଳେବେଳେ ଥ୍ରି« ପୋକମାନେ ଅପରିପକ୍ୱ କଦଳୀ ଉପରେ ଅଣ୍ଡା ଦେବାଦ୍ୱାରା କଦଳୀ ଉପରେ କଳା ଓ ବାଦାମୀ ରଙ୍ଗର ଦାଗ ପଡ଼ି କଦଳୀର ବଜାର ଚାହିଦାକୁ କମାଇ ଦେଇଥାନ୍ତି । ଏଥିରୁ ରକ୍ଷା ପାଇବାକୁ ହେଲେ କାନ୍ଦିକୁ ପ୍ଲାଷ୍ଟିକ ବ୍ୟାଗ୍ ଦ୍ୱାରା ଗୁଡାଇଦେବା ଉଚିତ୍ ।
ସୂତ୍ରକୃମି : ଏହାଦ୍ୱାରା ଅମଳ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଏ । ସଂକ୍ରମିତ ଗଛ ପୋଷଣ ଖାଦ୍ୟ ବା ସାର ଗ୍ରହଣ କରେନାହିଁ । ସୂତ୍ରକୃମିମୁକ୍ତ ଗଛ ରୋପଣ କରିବା ଉଚିତ୍ । ସଂକ୍ରମିତ ଗଛକୁ ବାହାର କରି ନଷ୍ଟ କରିଦେବା ଉଚିତ୍ ।
ଝାଉଁଳା ରୋଗ : ପାଟକପୁରା ଗଛ ପାଇଁ ଏହା ସବୁଠାରୁ ମାରାତ୍ମକ ବା ବିପଦଜନକ ରୋଗ । ଏହା ମୃର୍ତ୍ତିକାରୁ ଜାତ ଫିମ୍ପି ଦ୍ୱାରା ହୋଇଥାଏ । ସନ୍ତସନ୍ତିଆ ଜାଗାରେ ଏ ରୋଗ ବେଶୀ ମାତ୍ରାରେ ବ୍ୟାପେ । ଏହି ରୋଗର ମୁଖ୍ୟ ଲକ୍ଷଣ ହେଲା ସବୁ ପତ୍ରଗୁଡିକ ତଳ ଆଡୁ ହଳଦିଆ ପଡି ତଳକୁ ନଇଁପଡ଼େ । ଏହି ରୋଗ ବେଶୀ ହେଲେ କାଣ୍ଡ ଫାଟିବା ଦେଖାଦିଏ ଓ ସମ୍ପୂର୍ଣ୍ଣ ଗଛକୁ ନଷ୍ଟ ଦେବାକୁ ହୁଏ । ଏହାକୁ ଦମନ କରିବାକୁ ହେଲେ ଫସଲ ଚକ୍ର ଅତ୍ୟନ୍ତ ଜରୁରୀ ଏବଂ କଦଳୀ ଗଛର ମୂଳକୁ ୦.୨% ଟ୍ରଫି ଦ୍ରବଣରେ ଅଧ ଘଣ୍ଟାକାଳ ବୁଡ଼ାଇ ରଖି ଗଛ ଲଗାଇବାକୁ ହୁଏ । ତାପରେ ୨ ମାସ ବ୍ୟବଧାନରେ ମୂଳରେ ଛିଞ୍ଚିବା ଉଚିତ୍ । ଯେଉଁ ଅଞ୍ଚଳରେ ଏହି ରୋଗ ଅଧିକ ହୁଏ ସେ ଅଞ୍ଚଳରେ ରୋବଷ୍ଠା ବା ଡ୍ରାର୍ଫ କାଭେଣ୍ଡିସ୍ କିସମ କଦଳୀ ଚାଷ କରାଯିବ ଉଚିତ୍ ।
ପତ୍ରଦାଗ ବା ସିଗାଟୋକା : ଏହି ରୋଗ ବସରାଇ (ରୋବଷ୍ଠା) ଓ ହରିଛାଲ (ଡ୍ରାର୍ଫକାଭେଣ୍ଡିସ୍) କିସମରେ ଅଧିକ ଦେଖାଯାଏ । ଏହାର ଲକ୍ଷଣ ହେଲା ଇସତ୍ ହଳଦିଆ ରଙ୍ଗର ଦାଗ ପତ୍ର ଉପରେ ଦେଖାଯାଇ ତାହା ଧୀରେ ଧୀରେ ବୃଦ୍ଧି ପାଇ ଅଣ୍ଡାକୃତି ଧାରଣ କରି ରଙ୍ଗ ବଦଳି ଘନ ବାଦାମୀ ରଙ୍ଗରେ ପରିଣତ ହୋଇଥାଏ । ଏହି ରୋଗର ଅଧିକ ମାତ୍ରାରେ ପତ୍ର ଅଧିକାଂଶ ଭାଗ ଶୁଖିଯାଏ । ଏହି ରୋଗ ଉଷ୍ମ ଓ ଆର୍ଦ୍ରତା ଜଳବାୟୁରେ ଅଧିକ ବିସ୍ତାରିତ ହୋଇଥାଏ । ଏହାକୁ ଦମନ କରିବା ପାଈ ୧ ଗ୍ରାମ ଟ୍ରଫି ଣ୍ଟ ୧ ଗ୍ରାମ କାଲିକ୍ସିନ ଣ୍ଟ ୨ ମି.ଲି. ଟିପଲ ପ୍ରତି ଲିଟର ପାଣିରେ ମିଶାଇ ୧ ମାସ ବ୍ୟବଧାନରେ ସିଞ୍ଚନ କରିବା ଉଚିତ୍ ।
ବଞ୍ଚିଟପ ବା ପତ୍ରଗୋଛା ରୋଗ : ଏହା ଏକ ଭୂତାଣୁ ଜନିତ ରୋଗ । ଏହା ଦ୍ୱାରା ଗଛର ଅଗ୍ରଭାଗ ପ୍ରଥମେ ସଂକ୍ରମିତ ହୁଏ । ପତ୍ରଗୁଡ଼ିକ ଏକତ୍ର ମୋଡି ହୋଇଯାଆନ୍ତି । ତା’ପରେ ଧୀରେ ଧୀରେ ସରୁ ହୋଇ ଶୁଖି ଯାଏ । ଗଛ ଅମଳକ୍ଷମ ହୁଏନାହିଁ । ଏହି ରୋଗକୁ ଦମନ କରିବାକୁ ହେଲେ ସଂକ୍ରମିତ ଗଛକୁ ସମୂଳେ ବିନାଶ କରି ରୋଗମୁକ୍ତ ଗଛ ଲଗାଇବାକୁ ହୁଏ ।