ବାଲିତୁଠ ୧୪/୯ ଷଣ୍ଢ ରାଜବଂଶର ଶେଷ ସନ୍ତକ ଅସୁରକ୍ଷିତ ହୋଇପଡ଼ିଛି।ଅବକ୍ଷୟମୂଖୀ ଐତିହ୍ୟପୂର୍ଣ୍ଣ ଏହି ଶେଷ ସନ୍ତକକୁ ଏବେ ସଂରକ୍ଷିତ କରି ରଖିବାର ଆବଶ୍ୟକତା ଜରୁରୀ ହୋଇପଡ଼ିଛି।ଏରସମା ବ୍ଲକ ଅନ୍ତର୍ଗତ ଗଡକୁଜଙ୍ଗର ପ୍ରବେଶ ପଥରେ ପ୍ରତୀୟମାନ ହୁଏ ଷଣ୍ଢ ରାଜବଂଶର ଶେଷ ସନ୍ତକ,ଭଗ୍ନ ରାଜବାଟୀର କିଛି ଅଂଶ। ଯାହା ଏବେ ଅସୁରକ୍ଷିତ ହୋଇପଡ଼ିଛି। ଅବକ୍ଷୟମୂଖୀ ଏହି ରାଜବାଟୀର କିଛି ଅଂଶକୁ ତତ୍କାଳୀନ ସଂସ୍କୃତି ମନ୍ତ୍ରୀ ଡା, ଦାମୋଦର ରାଉତଙ୍କ ଉଦ୍ୟମରେ ସଂରକ୍ଷିତ କରି ରଖାଯାଇଥିଲା।ଇତିମଧ୍ୟରେ ଅନେକ ଦିନ ବିତିଯାଇଥିଲା ବେଳେ ତାହା ଏବେ ପୁନର୍ବାର ଅବକ୍ଷୟମୂଖୀ ହୋଇପଡ଼ିଛି।ଏହାର ବିଭିନ୍ନ ଅଂଶରୁ ପ୍ଲାଷ୍ଟର ଛାଡି,କାନ୍ଥରୁ ଇଟା ଖସିଲାଣି।ନିକଟରେ ଗାଈ ଗୋରୁ ବନ୍ଧାଯାଇ ଏହାର କ୍ଷତି କରାଯାଉଥିବା ବେଳେ,ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ସ୍ଥାନଟି ସବୁସମୟରେ ଲତା ଗୁଳ୍ମ ପରିବେଷ୍ଠିତ ହୋଇ ରହୁଛି।ଗଡ କୁଜଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ଅନତି ଦୂରରେ ଏହି ଐତିହ୍ୟଟି ଅବସ୍ଥିତ ଥିବାବେଳେ, ପଞ୍ଚାୟତ ପକ୍ଷରୁ ଏହାର ରକ୍ଷଣାବେକ୍ଷଣ ପାଇଁ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ।ତେବେ ଉକ୍ତ ଐତିହ୍ୟଟିକୁ ସୁରକ୍ଷିତ ରଖିବା ପାଇଁ ଏହାକୁ ପୁନର୍ବାର ପ୍ଲାଷ୍ଟର କରିବା,ଚତୁଃପାର୍ଶ୍ଵରେ ପ୍ରାଚୀର ନିର୍ମାଣ ସହିତ ଏହା ଷଣ୍ଢ ରାଜବଂଶର ରାଜବାଟି ବୋଲି ଉଲ୍ଲେଖ କରିବାପାଇଁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଏ।ଯାହା ଗଡକୁଜଙ୍ଗ ଅଞ୍ଚଳକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଏକ ଦର୍ଶନୀୟ ସ୍ଥାନ ହୋଇପାରିବ ବୋଲି କୁହାଯାଉଛି।ତେବେ ସଂସ୍କୃତି ବିଭାଗ ପକ୍ଷରୁ ଏଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହେଉଛି।
