Odisha news

ନିଆଁ ଲାଗି ୧୨ ଏକର ଧାନ ଫସଲ ଜଳିଗଲା

0
ବାଲିପାଟଣା ୦୧/୧୨ :  ବାଲିପାଟଣା ଥାନା ଅନ୍ତର୍ଗତ ବେଲମରା ଗ୍ରାମ ନିକଟ ଦନାପଡ଼ା ମୌଜା ଗହିରରେ ଅଗ୍ନି କାଣ୍ଡ ଘଟି ୧୨ ଏକରରୁ ଊର୍ଦ୍ଧ୍ୱ ଧାନ ଠିଆ ଠିଆ ଜଳିଯାଇଛି। ଘଟଣା ସ୍ଥଳରେ ଅଗ୍ନିଶ୍ରମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନଚେତ୍ ଅନେକ ଧାନ ଫସଲ ପୋଡ଼ି ନଷ୍ଟ ହୋଇ ଯାଇଥାନ୍ତା। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଆଜି ଅପରାହ୍ନରେ ଦନାପଡା ଗ୍ରାମର ବାଇଧର ଭୋଇ (୬୦) ନିଜ ଜମିରେ ମୁଗ ବୁଣିବା ପାଇଁ ଜମିରେ ପଡ଼ିଥିବା ମେସିନ କଟା କୁଟାରେ ନିଆଁ ଲଗେଇ ଦେଇ ଥିଲେ। ପ୍ରବଳ ଜୋରରେ ପବନ ହେଉଥିବାରୁ ହଠାତ୍ ନିଆଁ ଆଖି ପିଛୁଳାକେ ଚାରିଆଡେ ବ୍ୟାପି ଯାଇଥିଲା। ଚାହୁଁ ଚାହୁଁ ନିଆଁ ଏକର ଏକର ଜମିକୁ ବ୍ୟାପିବାରେ ଲାଗିଥିଲା। କିଛି ବୁଦ୍ଧି ବାଟ ନ ପାଇ ସଙ୍ଗେ ସଙ୍ଗେ ବାଲିପାଟଣା ଅଗ୍ନିଶ୍ରମ୍ ବାହିନୀକୁ ଜଣାଇଥିଲେ।ଖବର ପାଇ ଅଗ୍ନଶମ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ଦନାପଡା ଗ୍ରାମର ଗୁଣ୍ଡିଚା ଭୋଇ,ବାବୁଲା ଭୋଇ, କବୁଲା ଭୋଇ, ସୁରେନ୍ଦ୍ର ମିଶ୍ର,ରବି ଭୋଇ, ଡୁଗ ଭୋଇ, ମଇନ ଭୋଇ, ଓ ରାଜସ ଗ୍ରାମର କାହ୍ନୁ ଚରଣ ସେଠୀ
ପ୍ରମୁଖଙ୍କର ଧାନ ଫସଲ ଜଳି ନଷ୍ଟ ହୋଇଯାଇଛି।ଚାଷୀଙ୍କ ଅଭିଯୋଗକୁ ଭିତ୍ତି କରି ବାଇଧର କୁ ବାଲିପାଟଣା ପୋଲିସ ଥାନାକୁ ଆଣି ଅଟକ ରଖିଛନ୍ତି।
Leave A Reply