. ବାଲିଗୁଡା:କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଛଡ଼ାକିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ବିଧବା ରୋଷେୟାଙ୍କୁ ଅସଦାଚରଣ କରାଯାଉଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ଯିଶାୟ ପ୍ରଧାନ ଓ କୁକ କମ୍ ଆଟେଣ୍ଡାଣ୍ଟ ସଂସାରୀ ଦିଗାଲ୍ଙ୍କୁ ଗିରଫ କରିଛି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଦାରିଙ୍ଗବାଡ଼ି ଥାନା ଆଇଆଇସି କୌଶିକ ମାଝି ସୂଚନା ଦେଇଛନ୍ତି । ପୋଲିସ ସୂଚନା ଅନୁଯାୟୀ, ମହିଳା ଜଣକ ଗତ ୪ବର୍ଷ ହେଲା ଉକ୍ତ ବିଦ୍ୟାଳୟରେ ରେଷେୟା ଭାବେ ନିଯୁକ୍ତି ପାଇ ହଷ୍ଟେଲରେ ରୋଷେଇ କରୁଥିଲେ। ପ୍ରଧାନଶିକ୍ଷକ ପ୍ରଧାନ ଏବଂ ଆଟେଣ୍ଡାଣ୍ଟ ସଂସାରୀ ତାଙ୍କୁ ବିଭିନ୍ନ ସମୟରେ ଅସଦାଚରଣ କରି ଆସୁଥିଲେ। ଏ ସମ୍ପର୍କରେ କାହାରିକୁ କହିଲେ ଚାକିରିରୁ ବିଦା କରିଦେବେ ବୋଲି ଧମକ ଦେଉଥିଲେ। ଗତ ୩ ବର୍ଷ ହେଲା ରୋଷେୟା ଜଣକ ଏଭଳି ନିର୍ଯାତନା ପାଇ ଆସୁଥିଲେ ମଧ୍ୟ ଭୟରେ କାହାରିକୁ ଜଣାଉ ନ ଥିଲେ । ପରେ ଏ ନେଇ ସେ ପରିବାର ଲୋକଙ୍କୁ ଜଣାଇ ଥାନାରେ ଅଭିଯୋଗ କରିଥିଲେ ।କେଶ ନଂ.୨୬/୨୦ରେ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଥିଲା। ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଏବଂ ଆଟେଣ୍ଡାଣ୍ଟଙ୍କୁ ଥାନାକୁ ଆଣି ପଚରାଉଚୁରା କରାଯିବା ପରେ ଗିରଫ କରାଯାଇଛି।