Odisha news

ବନବାସୀ ସେବା ସମିତି ଓ ଜିଲ୍ଲା ପ୍ରଶାସନର ମିଳିତ ଆୟୋଜନରେ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳନ

0
(ସଞ୍ଜୟ କୁମାର ପାଣିଗ୍ରାହୀ):  ଦିବ୍ୟାଙ୍ଗତା ସଫଳତାର ପଥରେ କେବେ ବାଧକ ହୋଇପାରେ ନାହିଁ। ଦୃଢ଼ ଇଚ୍ଛାଶକ୍ତି, ଆତ୍ମବିଶ୍ୱାସ ଓ ଉପଯୁକ୍ତ ସୁଯୋଗ ମିଳିଲେ ଦିବ୍ୟାଙ୍ଗମାନେ ମଧ୍ୟ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିପାରିବେ। ଏହି ବାର୍ତ୍ତାକୁ ନେଇ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ–୨୦୨୬ ଉପଲକ୍ଷେ ବନବାସୀ ସେବା ସମିତି, ବାଲିଗୁଡ଼ା ଓ କନ୍ଧମାଳ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏକ ଭବ୍ୟ ଜିଲ୍ଲାସ୍ତରୀୟ କ୍ରୀଡ଼ା ସମାରୋହ ରେଡକ୍ରସ ଦୃଷ୍ଟିହୀନ ବିଦ୍ୟାଳୟ ଖେଳ ପଡ଼ିଆରେ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡ଼ା ସମାରୋହରେ ୨୦୦ରୁ ଊର୍ଦ୍ଧ୍ୱ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଯୋଗଦେଇ ନିଜ ନିଜର କ୍ରୀଡ଼ା ପ୍ରତିଭା, ଦକ୍ଷତା ଓ ଅଦମ୍ୟ ଆତ୍ମବିଶ୍ୱାସର ପରିଚୟ ଦେଇଥିଲେ। ଏହି ସମାରୋହକୁ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ପି. ପଦ୍ମା ଯୋଗଦେଇ ଦୀପ ଓ ଧୂପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ମମତା କୁମାରୀ ନାୟକ, ବନବାସୀ ସେବା ସମିତିର ସମ୍ପାଦକ  ଉତ୍ସବ ଚନ୍ଦ୍ର ଜେନା, ଜୁନିୟର ଆସିଷ୍ଟାଣ୍ଟ  ସମୀର କୁମାର ଚୌଧୁରୀ, ସୁରେନ୍ଦ୍ର କୁମାର ଧଳ, ବନବାସୀ ବଧିର ବିଦ୍ୟାଳୟର ପ୍ରଧାନଶିକ୍ଷକ, ପରିଚାଳକ  ରବି ନାରାୟଣ ନାୟକ ଏବଂ ରେଡକ୍ରସ ଦୃଷ୍ଟିହୀନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟଜିତ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଏଥିସହ ଉଭୟ ସ୍ୱତନ୍ତ୍ର ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ରେଡକ୍ରସ ଦୃଷ୍ଟିହୀନ ବିଦ୍ୟାଳୟର ପ୍ରଧାନଶିକ୍ଷକ ସତ୍ୟଜିତ ମହାପାତ୍ର ଅତିଥି ଓ ଉପସ୍ଥିତ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସୁନ୍ଦର ସ୍ୱାଗତ ସଙ୍ଗୀତ ପରିବେଷଣ କରି ସମାରୋହକୁ ଅଧିକ ଆକର୍ଷଣୀୟ କରିଥିଲେ। ଏହାପରେ ମା’ ପଟ୍ଟଖଣ୍ଡା ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇ କ୍ରୀଡ଼ାବିତ୍‌ମାନେ କ୍ରୀଡ଼ାର ଶୃଙ୍ଖଳା, ଏକତା ଓ ସଫଳତାର ପ୍ରତୀକ କ୍ରୀଡ଼ା ମଶାଲକୁ ଅତିଥିମାନଙ୍କ ନିକଟକୁ ଆଣିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ପି. ପଦ୍ମା ନିଜ ଅଭିଭାଷଣରେ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇବା ସହ କ୍ରୀଡ଼ା ସମାରୋହର ସଫଳତା କାମନା କରିଥିଲେ। ଦିବ୍ୟାଙ୍ଗ ପିଲାମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନଟ କରିବା ସହ ସେମାନଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଓ ସୁଯୋଗ ଯୋଗାଇଦେବା ଉପରେ ଗୁରୁତ୍ୱ ଦେଇଥିଲେ। ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା କାମନା କରିଥିଲେ। ପରେ ଅତିଥିମାନଙ୍କ ଉପସ୍ଥିତିରେ ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରୁ କ୍ରୀଡ଼ା ସମାରୋହର ଶୁଭାରମ୍ଭ ହୋଇଥିଲା। ଏହି କ୍ରୀଡ଼ା ସମାରୋହରେ ବିଭିନ୍ନ ପ୍ରତିଯୋଗିତାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଉତ୍ସାହ, ଆଗ୍ରହ ଓ ଆତ୍ମବିଶ୍ୱାସର ସହ ଭାଗ ନେଇଥିଲେ। ପ୍ରତ୍ୟେକ ପ୍ରତିଯୋଗୀଙ୍କ ମଧ୍ୟରେ ଥିବା ଜିତିବାର ଆଗ୍ରହ, ଦୃଢ଼ ମନୋବଳ ଓ କ୍ରୀଡ଼ା ନୈପୁଣ୍ୟ ଉପସ୍ଥିତ ଅତିଥି ଓ ଦର୍ଶକଙ୍କୁ ବେଶ୍ ପ୍ରଭାବିତ କରିଥିଲା। ଏହି ପ୍ରତିଯୋଗିତା କେବଳ ଖେଳ ମଧ୍ୟରେ ସୀମିତ ନ ରହି ଦିବ୍ୟାଙ୍ଗ ପିଲା ମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି, ସାମାଜିକ ସମାବେଶ ଓ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ଏକ ଉତ୍କୃଷ୍ଟ ମଞ୍ଚ ପାଲଟିଥିଲା। ସମାରୋହରେ ଯୋଗଦେଇଥିବା ପ୍ରତ୍ୟେକ ଦିବ୍ୟାଙ୍ଗ ପ୍ରତିଯୋଗୀ ନିଜର ସାମର୍ଥ୍ୟ ଓ ପ୍ରତିଭା ପ୍ରଦର୍ଶନ କରି ଏହି ବାର୍ତ୍ତା ଦେଇଥିଲେ ଯେ ଶାରୀରିକ ସୀମାବଦ୍ଧତା କେବେ ବି ମଣିଷର ସ୍ୱପ୍ନ ଓ ସଫଳତାର ପରିସୀମା ନିର୍ଦ୍ଧାରଣ କରିପାରେ ନାହିଁ। ସେମାନଙ୍କୁ ଆବଶ୍ୟକ କେବଳ ସମାନ ସୁଯୋଗ, ସହଯୋଗ, ସମ୍ମାନ ଓ ଉପଯୁକ୍ତ ପ୍ରୋତ୍ସାହନ। ଏଭଳି କାର୍ଯ୍ୟକ୍ରମ ଦିବ୍ୟାଙ୍ଗମାନଙ୍କ ମନରେ ନୂତନ ଉତ୍ସାହ ସୃଷ୍ଟି କରିବା ସହ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଦିଗରେ ଏକ ସକାରାତ୍ମକ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା।
Ad2
Leave A Reply