ବାଲିଗୁଡ଼ା, ୧୨/୧୧:(ସଞ୍ଜୟ କୁମାର ପାଣିଗ୍ରାହୀ): ମହାନ ଆଦିବାସୀ ଜନନାୟକ ତଥା ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ତ୍ୟାଗ, ସଂଘର୍ଷ ଓ ଆଦର୍ଶକୁ ସ୍ମରଣ କରିବା ସହ ଜନଜାତୀୟ ଗୌରବ ଓ ସାଂସ୍କୃତିକ ଚେତନାର ପ୍ରସାର ପାଇଁ କୁଈକୂଳ ସମିତି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ କାଟିଙ୍ଗିଆ ସ୍ଥିତ କୁଈକୂଳ ସମିତି ଉପଶାଖା ପକ୍ଷରୁ ଗୁଡ୍ରିଗୁଡ଼ା ଠାରେ ଏକ ସଚେତନତାମୂଳକ ବୈଠକ ସହ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଛି। ବୈଠକରେ କୁଈକୂଳ ସମିତିର ନୀତି, ଆଦର୍ଶ, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷକରି ଜନଜାତି ସମାଜ ମଧ୍ୟରେ ଏକତା, ଭାଇଚାରା, ସଂଗଠନକୁ ସୁଦୃଢ଼ କରିବା ସହ ନିଜସ୍ୱ ଭାଷା, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ସୁରକ୍ଷା ଉପରେ ମତ ପ୍ରକାଶ ପାଇଥିଲା। ନିଜ ସାମାଜିକ ପରିଚୟ ଓ ପରମ୍ପରାକୁ ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବା ପାଇଁ ସମସ୍ତେ ସଂଗଠିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା। ଏହାସହ ଆସନ୍ତା ନଭେମ୍ବର ୧୫ ତାରିଖରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ ତମ ଜୟନ୍ତୀ ତଥା ‘ଜନଜାତୀୟ ଗୌରବ ଦିବସ’କୁ ଦାରିଙ୍ଗବାଡ଼ି ବ୍ଲକସ୍ତରରେ ଭବ୍ୟ ଓ ଉତ୍ସାହପୂର୍ଣ୍ଣ ଭାବେ ପାଳନ କରିବା ନିମନ୍ତେ ଆୟୋଜନ, କାର୍ଯ୍ୟକ୍ରମର ରୂପରେଖ ଏବଂ ସମସ୍ତଙ୍କ ସହଯୋଗ ସମ୍ପର୍କରେ ଆଲୋଚନା କରାଯାଇଥିଲା। କୁଈକୂଳ ସମିତିର ସଭାପତି ଧୀରେନ୍ଦ୍ର ପଡ୍ରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସମ୍ପାଦକ ପ୍ରକାଶ ଚନ୍ଦ୍ର ପଡ୍ରା, ସହ-ସମ୍ପାଦକ ସିଙ୍ଗଲା ପଡ୍ରା ଓ ପରାମର୍ଶଦାତା କପିଳାସ ମଲିକଙ୍କ ସମେତ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଓ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ଜନଜାତି ସମାଜର ଗୌରବମୟ ଇତିହାସକୁ ଉଜ୍ଜୀବିତ ରଖିବା ସହ ବିର୍ସା ମୁଣ୍ଡାଙ୍କ ସଂଘର୍ଷମୟ ଜୀବନ ଓ ଆଦର୍ଶକୁ ଯୁବପିଢ଼ିଙ୍କ ମଧ୍ୟରେ ପହଞ୍ଚାଇବା ଏହି ବୈଠକର ମୁଖ୍ୟ ଲକ୍ଷ୍ୟ ରହିଥିଲା।
