ହାଇସ୍କୁଲ ଖେଳ ପଡ଼ିଆ ଏବେ ଅସାମାଜିକଙ୍କ ଆଡ଼ାସ୍ଥଳୀ: ସନ୍ଧ୍ୟା ହେଲେ ମଦ୍ୟପଙ୍କ ଦୌରାତ୍ମ୍ୟ, ମଦ ବୋତଲ ଓ ପ୍ଲାଷ୍ଟିକ୍ରେ ଭର୍ତ୍ତି ପରିବେଶ , ସୁରକ୍ଷାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକ
ବାଲିଗୁଡା,ତା.୨୧/୦୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ହାଇସ୍କୁଲ ଖେଳ ପଡ଼ିଆ ଦିନକୁ ଦିନ ଅସାମାଜିକ ଓ ମଦ୍ୟପଙ୍କ ଦୌରାତ୍ମ୍ୟରେ ଅସୁରକ୍ଷିତ ହେବାରେ ଲାଗିଛି। ଯେଉଁ ଖେଳ ପଡ଼ିଆରେ ପିଲାମାନେ ଖେଳିବା, ଯୁବକମାନେ ବ୍ୟାୟାମ କରିବା ଓ ବରିଷ୍ଠ ନାଗରିକମାନେ ସକାଳୁ ମର୍ଣ୍ଣିଂ ୱାକ୍ କରିବା କଥା, ସେହି ସ୍ଥାନ ସନ୍ଧ୍ୟା ହେଲେ ଅସାମାଜିକଙ୍କ ଆଡ଼ାସ୍ଥଳୀ ଓ ମଦ୍ୟପଙ୍କ ଅବାଧ ବିଚରଣ କ୍ଷେତ୍ର ପାଲଟିଥିବା ଅଭିଯୋଗ ହେଉଛି। ଏହି ପଡ଼ିଆକୁ ବିଭିନ୍ନ ବିଦ୍ୟାଳୟ ଓ ଉଚ୍ଚଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଯୁବବର୍ଗ ଏବଂ ବରିଷ୍ଠ ନାଗରିକମାନେ ନିୟମିତ ଭାବେ ବ୍ୟବହାର କରୁଛନ୍ତି। ପ୍ରତି ଶନିବାର ଦୁଇଟି ବିଦ୍ୟାଳୟର ଯୋଗାଭ୍ୟାସ ସହ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଦସ୍ୟମାନେ ମଧ୍ୟ ଏଠାରେ ଶାଖା କାର୍ଯ୍ୟକ୍ରମ କରୁଥିବା ଜଣାପଡ଼ିଛି। ହେଲେ ଏତେ ବ୍ୟବହାର ସତ୍ତ୍ୱେ ପଡ଼ିଆର ବିକାଶ ଓ ସୁରକ୍ଷା ପ୍ରତି ପ୍ରଶାସନର ଦୃଷ୍ଟି ପଡ଼ୁନଥିବା ନେଇ ଅସନ୍ତୋଷ ଦେଖାଦେଇଛି। ପଡ଼ିଆରେ ଗ୍ୟାଲେରୀ ନାହିଁ, ଆଲୋକ ବ୍ୟବସ୍ଥା ନାହିଁ, ପାନୀୟ ଜଳର ବ୍ୟବସ୍ଥା ମଧ୍ୟ ନାହିଁ। ଅନ୍ଧାର ହେବା ପରେ ଏହି ଅବ୍ୟବସ୍ଥାର ସୁଯୋଗ ନେଇ ଅସାମାଜିକ ତତ୍ତ୍ୱ ଓ ମଦ୍ୟପମାନେ ପଡ଼ିଆରେ ଜମା ହେଉଥିବା ଅଭିଯୋଗ ରହିଛି। ପଡ଼ିଆର ଚତୁଃପାର୍ଶ୍ୱରେ ଖାଲି ମଦ ବୋତଲ, ପ୍ଲାଷ୍ଟିକ୍ ଗ୍ଲାସ, ପଲିଥିନ୍ ଓ ଅନ୍ୟାନ୍ୟ ଅଳିଆ ଆବର୍ଜନା ପଡ଼ିରହିଥିବାରୁ ପରିବେଶ ମଧ୍ୟ ଦୂଷିତ ହେଉଛି। ଏହା କେବଳ ପଡ଼ିଆର ସୌନ୍ଦର୍ଯ୍ୟ ନଷ୍ଟ କରୁନାହିଁ, ବରଂ ଖେଳାଳି ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ମଧ୍ୟ ପ୍ରଶ୍ନ ଉଠାଇଛି। “ଖେଳ ପଡ଼ିଆ ଖେଳାଳିଙ୍କ ପାଇଁ ନା ମଦ୍ୟପଙ୍କ ଆଡ୍ଡା ପାଇଁ ?” ଏଭଳି ପ୍ରଶ୍ନ ଏବେ ସାଧାରଣରେ ଉଠିଛି। ଦିନରେ ପିଲାଙ୍କ କ୍ରୀଡ଼ାଭ୍ୟାସ ଓ ବରିଷ୍ଠ ନାଗରିକଙ୍କ ଚଲାବୁଲା ପାଇଁ ଉପଯୋଗୀ ଏହି ସ୍ଥାନ ସନ୍ଧ୍ୟା ପରେ ଯଦି ଅସାମାଜିକଙ୍କ କବ୍ଜାକୁ ଚାଲିଯାଏ, ତେବେ ଏହା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ଏନେଇ କ.ନୂଆଗାଁ ବ୍ଲକ ପ୍ରଶାସନ ତୁରନ୍ତ ପଡ଼ିଆରେ ଆଲୋକ, ପାନୀୟ ଜଳ ଓ ସ୍ୱଚ୍ଛତା ବ୍ୟବସ୍ଥା କରିବା ସହ ପୋଲିସ ପକ୍ଷରୁ ନିୟମିତ ପେଟ୍ରୋଲିଂ ଓ ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି। ଖେଳ ପଡ଼ିଆକୁ ଅସାମାଜିକଙ୍କ ଆଡ଼ା ନୁହେଁ, ବରଂ ଯୁବପିଢ଼ି ଓ ସାଧାରଣ ଲୋକଙ୍କ ପାଇଁ ଏକ ସୁରକ୍ଷିତ କ୍ରୀଡ଼ା ଓ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ ଗଢ଼ି ତୋଳିବାକୁ ଦାବି ଜୋର ଧରିଛି।
