ବାଲିଗୁଡା :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ମିଶନଶକ୍ତି ଗୃହ ପରିସର ମଧ୍ୟରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ସିଡିପିଓ ସଂନ୍ଧ୍ୟାରାଣୀ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଡ଼ିଓ ପ୍ରୀତି ରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର, ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଜାକେଶ ସାମନ୍ତରାୟ, ବିପିଏମ ଶାନ୍ତନୁ କୁମାର ସାହୁ, ଏବିଇଓ ମୁଳୁନ୍ଦ ବଳିୟାର ସିଂ, ଜାଗୃତିର କାର୍ଯ୍ୟକ୍ରମ ପରିଚାଳକ ସଦାନନ୍ଦ ସିଂ ଓ ବିଭିନ୍ନ ବିଦ୍ୟାଳୟର ଶିକ୍ଷୟତ୍ରୀଶିକ୍ଷକ ମଞ୍ଚାସିନ ରହିଥିଲେ । ଏହି ଅବସରରେ କନ୍ୟା ସନ୍ତାନଙ୍କୁ ସମାଜରେ ସମାନ ଅଧିକାର ଓ ସୁଯୋଗ ଦେବା ସହ ସେମାନଙ୍କ ଶିକ୍ଷା ପ୍ରତି ଅଭିଭାବକମାନେ ଅଧିକ ସଚେତନ ହେବାକୁ ଆହ୍ୱାନ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ବାଲ୍ୟବିବାହର କୁପରିଣାମ ସମ୍ପର୍କରେ ସଚେତନ କରାଯାଇଥିଲା। ନାବାଳିକାଙ୍କ ବିବାହ ଦ୍ୱାରା ସେମାନଙ୍କ ଶିକ୍ଷା ବାଧାପ୍ରାପ୍ତ ହେବା ସହ ଭବିଷ୍ୟତ ଜୀବନ ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପଡ଼ିଥାଏ ବୋଲି ବକ୍ତାମାନେ କହିଥିଲେ। ତେଣୁ ନାବାଳିକାଙ୍କ ବିବାହ ନକରି ସେମାନଙ୍କୁ ଉଚ୍ଚଶିକ୍ଷା ଓ ନିଜ ଭବିଷ୍ୟତ ଗଢ଼ିବା ପାଇଁ ସୁଯୋଗ ଦେବାକୁ ଅଭିଭାବକଙ୍କୁ ପରାମର୍ଶ ଦିଆଯାଇଥିଲା।
ଏଥିସହ କନ୍ୟା ସନ୍ତାନଙ୍କ ପ୍ରତି ଭେଦଭାବ ଦୂର କରିବା, ସେମାନଙ୍କ ସୁରକ୍ଷା ନିଶ୍ଚିତ କରିବା ଓ ଶିକ୍ଷା ମାଧ୍ୟମରେ ସଶକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ସହଯୋଗ ରହିଲେ ହିଁ ବାଲ୍ୟବିବାହ ଭଳି କୁପ୍ରଥାକୁ ସମ୍ପୂର୍ଣ୍ଣ ରୋକାଯାଇପାରିବ ବୋଲି ମତ ପ୍ରକାଶ ପାଇଥିଲା। “କନ୍ୟା ସନ୍ତାନଙ୍କୁ ବଞ୍ଚାଇବା, ପଢ଼ାଇବା ଓ ସୁରକ୍ଷିତ ଭବିଷ୍ୟତ ଦେବା—ସମାଜର ପ୍ରତ୍ୟେକଙ୍କ ଦାୟିତ୍ୱ” ବୋଲି କାର୍ଯ୍ୟକ୍ରମରେ ବାର୍ତ୍ତା ଦିଆଯାଇଥିଲା।
