ବାଲିଗୁଡ଼ା, ତା, ୨୩/୦୩:(ସଞ୍ଜୟ କୁମାର ପାଣିଗ୍ରାହୀ): ଗାନ୍ଦାରିଗୁଡ଼ି ଗ୍ରାମର ବିକାଶର ଚିତ୍ର ଦେଖିଲେ ଆଶ୍ଚର୍ଯ୍ୟ ହେବେ। ଖୁଣ୍ଟି ପୋତା ହୋଇଛି, ହେଲେ ତାର ଟଣା ଯାଇନାହିଁ। ଦୀର୍ଘ ଦିନ ହେବ ବିଜୁଳି ଆଲୁଅକୁ ଚାହିଁ ରହିଥିବା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଗଦାପୁର ପଞ୍ଚାୟତ ର ଗାନ୍ଦାରିଗୁଡ଼ି ଗ୍ରାମବାସୀଙ୍କ ପାଇଁ ଏବେ ବିଦ୍ୟୁତ ସେବା ଏକ ପ୍ରହେଳିକା ପାଲଟିଛି। ଉକ୍ତ ଗ୍ରାମରେ ୧୦୯ ପରିବାର ର ୩୦୦ ରୁ ଉର୍ଦ୍ଧ ଲୋକ ବସବାସ କରନ୍ତି। କିନ୍ତୁ ସ୍ୱାଧୀନତା ର ଦୀର୍ଘ ବର୍ଷ ପରେ ମଧ୍ୟ ବିଦ୍ୟୁତ ସେବା ଅପହଞ୍ଚ। ସରକାରୀ କାଗଜପତ୍ରରେ ଗାଁକୁ ବିଦ୍ୟୁତୀକରଣ କରାଯାଇଥିବା ଦର୍ଶାଯାଉଥିଲେ ମଧ୍ୟ, ବାସ୍ତବରେ ଏଠାରେ ଅନ୍ଧାର ରାଜୁତି କରୁଛି।କିନ୍ତୁ ବିଡ଼ମ୍ବନାର ବିଷୟ, ଖୁଣ୍ଟି ପୋତା ହେବା ପରଠାରୁ ଆଉ ବିଦ୍ୟୁତ ବିଭାଗର ଦେଖା ମିଳିନାହିଁ।ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ୬ ମାସ ପୂର୍ବରୁ ବିଦ୍ୟୁତ ଖୁଣ୍ଟି ଗୁଡ଼ିକ ପୋତାଯାଇଥିଲା।ଲୋକେ ଭାବିଥିଲେ ଯେ ସେମାନଙ୍କ ଘରକୁ ଆଲୁଅ ଆସିବ ଏବଂ ଅନ୍ଧାର ଦୂର ହେବ।ଖୁଣ୍ଟି ଆସିଲାଣି ମାନେ ଆଲୁଅ ଆସିଯିବ। ହେଲେ ୬ ମାସ ବିତିଗଲା, ତାର ଆଉ ଲାଗିଲା ନାହିଁ। ଏବେ ବି ସନ୍ଧ୍ୟା ହେଲେ କିରୋସିନି ଡିବି ଉପରେ ନିର୍ଭର କରୁଛନ୍ତି ଗାନ୍ଦାରିଗୁଡ଼ି ଗ୍ରାମବାସୀ। ସଞ୍ଜ ନଇଁଲେ ପଡ଼ି ଯାଏ ତାଟି କବାଟ। ପିଲାମାନେ ଡିବିରି ଆଲୋକରେ ପାଠ ପଢୁଛନ୍ତି। ଯଦି ଡିବିରି ଜାଳିବାକୁ କିରାସିନି ସରିଯାଏ ତେବେ କାଁ ଭାଁ କ୍ୟାଣ୍ଡଲ ବ୍ୟବହାର କରିଥାନ୍ତି। ଏହି ଅଧାପନ୍ତରିଆ କାମ ପାଇଁ କିଏ ଦାୟୀ ? ଠିକାଦାର କାମ ଅଧାରୁ ଛାଡି ପଳାଇଛନ୍ତି ନା ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଏପରି ଅବସ୍ଥା ଉପୁଜିଛି ? ସରକାରୀ ରିପୋର୍ଟରେ ଏହି ଗ୍ରାମକୁ ‘ବିଦ୍ୟୁତୀକରଣ’ ଦର୍ଶାଯାଇ ଅର୍ଥ ହରିଲୁଟ୍ କରାଯାଇ ନାହିଁ ତ ? ଠିକାଦାର କାମ ଅଧାରୁ ଛାଡ଼ିଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ କାହିଁକି ଚୁପ୍ ବସିଛନ୍ତି ? ଗରିବ ଆଦିବାସୀ ଶିଶୁମାନଙ୍କ ଭବିଷ୍ୟତ ସହ ଏଭଳି ଖେଳ ଖେଳିବା କେତେଦୂର ଯୁକ୍ତିଯୁକ୍ତ ?ଏହି ଭଳି ଅନେକ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସମ୍ପର୍କ ରେ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ସମ୍ଭବ ହୋଇପାରିନଥିଲା l ଏଣୁ ଗାନ୍ଦାରିଗୁଡ଼ି ଅଞ୍ଚଳ ର ଧର୍ମେନ୍ଦ୍ର ସୁନାମାଝି,କାଳେନ୍ଦ୍ର ମାଝୀ,ବୁଡୁକା ମାଝୀ,ଜୟ କାର୍ଜିମାଝି, ବିଙ୍ଗୁରା ମାଝୀ, ଥିଓଫିଲ ମାଝୀ, ସାବତ ମାଝୀ ସମେତ ସମସ୍ତ ଅଞ୍ଚବାସୀ ଦାବି କରିଛନ୍ତି ଯେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ତୁରନ୍ତ ତାର ଟାଣି ଗ୍ରାମକୁ ବିଦ୍ୟୁତ ସଂଯୋଗ ଯୋଗାଇ ଦେବାକୁ ଦାବି କରିଛନ୍ତି। ନଚେତ୍ ଆଗାମୀ ଦିନରେ ଏହି ଅସନ୍ତୋଷ ଏକ ବଡ଼ ଆନ୍ଦୋଳନର ରୂପ ନେଇପାରେ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ ।ଏହି ଅଧାପନ୍ତରିଆ କାମ ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ନା ଗାନ୍ଦାରିଗୁଡ଼ି ଗ୍ରାମବାସୀଙ୍କ ଭାଗ୍ୟରେ ଚିରକାଳ ଅନ୍ଧାର ଲେଖା ହୋଇ ରହିବ, ତାହା ଦେଖିବାକୁ ବାକି ରହିଲା।