ଭୋଗରାଇ : ଶ୍ରାବଣ ଶେଷ ହୋଇ ଭାଦ୍ରବ ହେଲାଣି । ତଥାପି ଜାଲରେ ଧରା ପଡ଼ୁନି ଆଶାନୁରୂପ ଇଲିସି । ମୌସୁମୀର ଅନିୟମିତତା ଯୋଗୁଁ ଚଳିତବର୍ଷ ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀମାନେ ଆଶଙ୍କାରେ ରହିଛନ୍ତି । ତଥାପି ଆଶା ଛାଡ଼ି ନାହାନ୍ତି । ବାଲେଶ୍ୱର ଉପକୂଳ ଉଦୟପୁର, ତାଳସାରୀ, ଚୌମୁଖ, ଡ଼ଗରା, ବହାବଳପୁର, କଷାଫଳ ସହିତ ସମୁଦ୍ର କୂଳିଆ ଜିଲ୍ଲା ମତ୍ସ ଅବତରଣ କେନ୍ଦ୍ରରୁ ସହସ୍ରାଧିକ ମାଛଧରା ଟ୍ରଲର ଏବେ ସମୁଦ୍ରମୁହାଁ ଝଡ଼ବର୍ଷାକୁ ଖାତିର ନକରି ଜୀବନକୁ ବାଜି ଲଗାଇ ମତ୍ସ୍ୟଜୀବୀମାନେ ଟ୍ରଲର ସାହାଯ୍ୟରେ ଗଭୀର ସମୁଦ୍ରରେ ଜାଲ ବିଛାଇ ଇଲିସି ସନ୍ଦାନରେ ଅଛନ୍ତି ।
ମୌସୁମୀ ଓ ପୂର୍ବାଳି ବତାଶରେ ମିଆଁମାର ଓ ବାଙ୍ଗଲାଦେଶର ଗଭୀର ସମୁଦ୍ରରୁ ଇଲିସି ଓଡ଼ିଶା ଓ ପଶ୍ଚିମବଂଗ ଉପକୂଳ ନଦୀ ସଂଗମସ୍ତଳରେ ମଧୁର ଜଳ ପାନ କରିବା ସହିତ ଯାଆଁଳ ଛାଡ଼ିବାକୁ ଆସିଥାନ୍ତି । ଏହି ସୁଯୋଗରେ ମାଛଧରା ଟ୍ରଲରରେ ଥିବା ମତ୍ସ୍ୟଜୀବୀମାନେ ଜାଲ ବିଛାଇ ପ୍ରଚୁର ପରିମାଣରେ ଇଲିଲି ଧରିଥାନ୍ତି । କିନ୍ତୁ ଚଳିତବର୍ଷ ମୌସୁମୀ ବର୍ଷା ଓ ପାଗ ଅନୁକୂଳ ନଥିବାରୁ ଇଲିସି ସମୁଦ୍ରରେ ଲୁଚକାଳି ଖେଳୁଛନ୍ତି । ଆଶାନୁରୂପକ ଇଲିସି ଜାଲରେ ଧରା ଦେଉନଥିବାରୁ ମତ୍ସ୍ୟ ଅବତରଣ କେନ୍ଦ୍ରରୁ ଆସୁଥିବା ଇଲିସିର ଦାମ୍ ବଜାରରେ ୫ଶହ ଗ୍ରାମ୍ ଓଜନର ମାଛ କେଜିପ୍ରତି ୬ଶହ ଟଙ୍କାରେ ବିକ୍ରି ହେଉଥିବା ବେଳେ ୧କି.ଗ୍ରା ଓଜନର ମାଛ କେଜିପ୍ରତି ୧ହଜାର ଟଙ୍କା ଲେଖାଁଏ ବିକି୍ର ହେଉଛି ।