କରୋନା କେନ୍ଦ୍ର ଦାୟିତ୍ୱରେ ଥାଇ ମୃତ୍ୟୁ ବରଣ କରିଥିବା ଶିକ୍ଷକଙ୍କୁ କ୍ଷତିପୂରଣ ପ୍ରଦାନ ସହ କରୋନା ଯୋଦ୍ଧାର ମାନ୍ୟତା ଦାବି
ବାଲେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା କେନ୍ଦ୍ର ଦାୟିତ୍ୱରେ ନିଯୁକ୍ତି ହୋଇଥିବା ଗଞ୍ଜାମ ଜିଲ୍ଲାର ଦୁଇଜଣ ଶିକ୍ଷକ ମୃତ୍ୟୁ ବରଣ କରିଛନ୍ତି । ରାଜ୍ୟ ସରକାର ଏହି ଶିକ୍ଷକ ଦ୍ୱୟଙ୍କ ପରିବାର ବର୍ଗଙ୍କୁ ଅନ୍ୟ କରୋନା ଯୋଦ୍ଧାଙ୍କ ପରି ଉଚିତ୍ କ୍ଷତି ପୂରଣ ଦେବା ସହ ସମସ୍ତ ରାଜ୍ୟରେ କରୋନା କେନ୍ଦ୍ର ମାନଙ୍କରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ପାଇଁ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ରାଜ୍ୟ ସଭାପତି ସୁଶାନ୍ତ କୁମାର ବେହେରା ସରକାରଙ୍କ ନିକଟରେ ଦାବି କରିଛନ୍ତି ।
ପ୍ରକାଶ ଥାଉ କି , ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗତ ମାର୍ଚ୍ଚ ମାସ ଠାରୁ କରୋନା ଦାୟିତ୍ୱରେ ଥିବା ଓ କାର୍ଯ୍ୟ କରିଆସୁଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଡାକ୍ତର, ନର୍ସ, ପୁଲିସ, ଅଙ୍ଗନଓ୍ୱାଡି କର୍ମୀ, ସ୍ୱାସ୍ଥ୍ୟକର୍ମୀ ମାନଙ୍କ ଭଳି କରୋନା ଯୋଦ୍ଧାର ଅନ୍ୟତମ ଯୋଦ୍ଧା ଭାବେ ଘୋଷଣା କରିବା ପାଇଁ ରାଜ୍ୟ ସରକାରଙ୍କୁ ବାରମ୍ବାର ଦାବି କରି ଆସୁଅଛି । କିନ୍ତୁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ତାହା ଘୋଷଣା କଲେ ନାହିଁ । ଅପରପକ୍ଷରେ ଗଞ୍ଜାମ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଚଳିତ ଜୁଲାଇ ୪ ତାରିଖ ଦିନ କରୋନା କେନ୍ଦ୍ର ଦାୟିତ୍ୱରେ ରହି କାର୍ଯ୍ୟ କରି ଆସୁଥିବା କବିସୂର୍ଯ୍ୟ ନଗର ବ୍ଲକର ଶିକ୍ଷକ ସୀମାଞ୍ଚଳ ଶତପଥୀ ଓ ଆସ୍କା ବ୍ଲକର ଶିକ୍ଷକ ସିଦ୍ଧାର୍ଥ ଶଙ୍କର ପାହାଡ଼ୀ କରୋନାରେ ଆକ୍ରାନ୍ତ ହୋଇ ମୃତୁ୍ୟ ବରଣ କରିଛନ୍ତି । ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ବାରମ୍ବାର ସରକାରଙ୍କୁ ଅନୁରୋଧ କରାଯାଇଥିଲେ ମଧ୍ୟ ସରକାର ଶିକ୍ଷକ ମାନଙ୍କୁ କୋରନା ଯୋଦ୍ଧା ଭାବରେ ଘୋଷଣା କଲେ ନାହିଁ । କରୋନା ସମ୍ପର୍କରେ ଶିକ୍ଷକ ମାନେ ଅନଭିଜ୍ଞ ଓ ଏହି ସେବା ପ୍ରଦାନ କରିବାରେ ସେମାନଙ୍କୁ କୌଣସି ତାଲିମ ଦିଆଯାଇ ନାହିଁ ।
ତଥାପି ଶିକ୍ଷକ ମାନେ ନିଜ ଜୀବନକୁ ବାଜି ଲଗାଇ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ମାନଙ୍କୁ ବସ୍ ଟ୍ରେନରେ ନେଇ ସଙ୍ଗରୋଧ କେନ୍ଦ୍ରରେ ଛାଡ଼ିବା, ସଙ୍ଗରୋଧ କେନ୍ଦ୍ରର ଦାୟିତ୍ୱ ନେବା, ଘରକୁ ଘର ବୁଲି ପ୍ରତ୍ୟେକ୍ଷ ଭାବରେ ଜନସାଧାରଣଙ୍କ ନିକଟକୁ ଯାଇ ସ୍ୱାସ୍ଥ୍ୟଗତ ସର୍ଭେ କାର୍ଯ୍ୟ କରିବା, ବହିପତ୍ର , ମଧ୍ୟାହ୍ନ ଭୋଜନ, କୃମିନାଶକ ବଟିକା ବଣ୍ଟନ, ଆଇରନ ବଟିକା ବଣ୍ଟନ, ନାପକିନ୍ ଆଦି ବଣ୍ଟନ କରିବା ସଂଗେ ସଂଗେ ସଙ୍ଗରୋଧ କେନ୍ଦ୍ରରେ ଥିବା ବିଦ୍ୟାଳୟ ଗୁଡ଼ିକୁ ଯାଇ ଏଡମିଶନ୍ କାର୍ଯ୍ୟ କରିଆସୁଛନ୍ତି । ଏପରିସ୍ଥିତିରେ ଶିକ୍ଷକମାନଙ୍କ ପ୍ରତି ସରକାରଙ୍କ ନିଜର ନପଡ଼ିବା କ୍ଷୋଭ ଓ ପରିତାପର ବିଷୟ । ଓଡ଼ିଶା ପ୍ରାଥମିକ ଶିକ୍ଷକସଂଘର ସମ୍ପାଦକ ବଙ୍କିମ୍ ଚନ୍ଦ୍ର ସାଗର, ମହାସଚିବ କାମିନୀକାନ୍ତ ପଣ୍ଡା, କାର୍ଯ୍ୟକାରୀ ସଭାପତି ପ୍ରଶନ୍ନ ମହାପାତ୍ର, ପ୍ରଦୀପ ଜାଲ, ଗୋପାଳକୃଷ୍ଣ ସ୍ୱାଇଁ, ଧରଣୀଧର ମଲ୍ଲିକ, ସନ୍ଦୀପ ନାୟକ, କେଶବ ଚନ୍ଦ୍ର ସାହୁ, ହରେକୃଷ୍ଣ ବାରିକ, ଉତ୍ତମ ଦାସ, ସୀମାଞ୍ଚଳ ପାତ୍ର, ପ୍ରଦୀପ ପାତ୍ର, ମାଳବିକା ଦାସ, ସୁନୀତା ପଣ୍ଡା ପ୍ରମୁଖ ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତିଯେ ସରକାର ଯଦି ତୁରନ୍ତ ସଂଘର ଦାବିକୁ ନମାନନ୍ତି ତେବେ ଆଗାମୀ ଦିନରେ ଶିକ୍ଷକମାନେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ।