ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସ୍ୱଳ୍ପ ସଂଚୟ ବିଭାଗ ଆନୁକୂଲ୍ୟରେ ଆଜି ସଦର ବ୍ଲକ ସମ୍ମିଳନୀ କକ୍ଷରେ ଏକ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ନିଷ୍ପତି କ୍ରମେ ଆୟୋଜିତ ଏହି ଆର୍ଥିକ ସାକ୍ଷରତା ଶିବିର ମାଧ୍ୟମରେ ଜମାକାରୀଙ୍କୁ ସଂଚୟ, ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଅର୍ଥ ଦେଣନେଣ, କ୍ୟାସଲେସ୍ କାରବାର, ବିଭିନ୍ନ କ୍ଷୁଦ୍ର ଜମା ସମ୍ପର୍କିତ ଯୋଜନା ଏବଂ ଜମାକାରୀଙ୍କୁ ଅଣବ୍ୟାଙ୍କିଙ୍ଗ ସଂସ୍ଥାରେ ଅର୍ଥ ଜମା କରିବାରୁ ନିବୃତ ରହିବା ଇତ୍ୟାଦି ସମ୍ପର୍କରେ ପରାମର୍ଶ ଦିଆଯାଇଥିଲା । ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ପ୍ରଜ୍ଞା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ସଦର ବ୍ଲକ ବିଡିଓ ନରେନ୍ଦ୍ର ଖମାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱଳ୍ପ ସଂଚୟର ଆବଶ୍ୟକତା ଏବଂ ଉପାଦେୟତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକମାନେ ନିଜର ଦୈନିକ ଆୟରୁ ଅଳ୍ପ ଅଳ୍ପ ସଂଚୟ କରି ନିଜର ଭବିଷ୍ୟତ ସୁରକ୍ଷିତ ରଖିବାକୁ ସେ ପରାମର୍ଶ ଦେଇଥିଲେ ।
ସାମ୍ପ୍ରତିକ ସ୍ଥିତିରେ ଚିଟ୍ଫଣ୍ଡ କମ୍ପାନୀମାନଙ୍କର ପ୍ରଲୋଭନ ଏବଂ ଡିଜିଟାଲ ଠକାମୀର ଶିକାର ହୋଇ ଜମାକାରୀମାନେ ନିଜର ବହୁ ମୂଲ୍ୟ ସଂଚୟ ହରାଉଥିବା ବେଳେ ଏଥିପ୍ରତି ସତର୍କ ରହିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଲିଡ୍ ବ୍ୟାଙ୍କ ମ୍ୟାନେଜର ସୁଦୀପ କୁମାର ଡାକୁଆ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅନଲାଇନରେ ଆର୍ଥିକ କାରବାର, ଅନଲାଇନ ବ୍ୟାଙ୍କିଙ୍ଗ ଏବଂ ଅନଲାଇନ ଠକାମୀ ଇତ୍ୟାଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଆର୍ଥିକ ସାକ୍ଷରତା ପରାମର୍ଶଦାତା ଯୋଗେଶ୍ୱର ପ୍ରଧାନ, ସହକାରୀ ଡାକ ଅଧୀକ୍ଷକ ରବିନାରାୟଣ ବେହେରା, ବାଲେଶ୍ୱର ମୁଖ୍ୟ ଡାକଘରର ଡାକପାଳ ରତ୍ନପ୍ରଭା ଅଗସ୍ତି ଓ ଉପଡାକପାଳ ମନୋଜ କୁମାର ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର କଷ୍ଟ ଅର୍ଜିତ ଧନକୁ ଡାକଘର କିମ୍ବା ସ୍ୱୀକୃତିପ୍ରାପ୍ତ ବ୍ୟାଙ୍କରେ ଜମା ରଖି ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଥିଲେ । ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ସ୍ୱଳ୍ପ ସଂଚୟ ଓ ବୀମା ଯୋଜନା ବିଷୟରେ ଏହି ଶିବିରରେ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ ଅବଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା, ସ୍ୱଳ୍ପ ସଂଚୟ ଅଭିକର୍ତାଗଣ, ଗଣମାଧ୍ୟମ ପ୍ରତିନିଧିମାନଙ୍କ ସମେତ ଅନ୍ୟାନ୍ୟ ବର୍ଗର ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ରାଜସ୍ୱ ସହାୟିକା ସ୍ୱର୍ଣ୍ଣପ୍ରିୟା ଦାସ ଧନ୍ୟବାଦ ଅର୍ପଣ କରିଥିଲେ
Comments are closed.