ବୈଶିଙ୍ଗା–୨୦/୮–ବୈଶିଙ୍ଗା ଥାନା ଅଞ୍ଚଳରେ ଛୋଟବଡ ଚୋରୀ, ଛିନତାଇ, ଡ୍ରଗ୍ସ କାରବାର ବଢିଚାଲିଥିଲେ ମଧ୍ୟ ପୁଲିସ ପ୍ରଶାସନ କାବୁ କରିବାରେ ବିଫଳ ହେଉଥିବା ଚର୍ଚ୍ଚା ଜୋର ଧରିଛି। ଡାହିବାଡି ସାପ୍ତାହିକ ହାଟରୁ କ୍ରମାଗତ ଭାବେ ବାଇକ ଚୋରୀ, ସାଇକେଲ ଚୋରୀ, ମୋବାଇଲ ଚୋରୀ ସାଙ୍ଗକୁ ଘରୁ ଗ୍ରୀଲ ଭାଙ୍ଗି ବାଇକ ଚୋରୀ ସହିତ ରଙ୍ଗାମାଟିଆ ଛକ, ମହୁରୀ ଛକ ଓ ବୈଶିଙ୍ଗା ବଜାରରୁ ବିଭିନ୍ନ ଛୋଟବଡ ଚୋରୀ ହେବା ପୋଲିସର ବିଫଳତାକୁ ସୁଚାଉଛି।
ଘଟଣାରୁ ପ୍ରକାଶ ବୈଶିଙ୍ଗା ବଜାରର ରୂପସା ଛକରେ ମୋବାଇଲ ସର୍ଭିସ ସେଣ୍ଟର କରିଥିବା କାର୍ତ୍ତିକ ଚନ୍ଦ୍ର ଜେନାଙ୍କ ଛପର ଭାଙ୍ଗି ଲକ୍ଷାଧିକ ଟଙ୍କାର ମୋବାଇଲ ସାମଗ୍ରୀ ଚୋରୀ ହୋଇଥିବା ଥାନାରେ ଅଭିଯୋଗ ହୋଇଛି।
ଚୁଆପଦା ଗ୍ରାମର ରତ୍ନାକର ଜେନାଙ୍କ ପୁଅ କାର୍ତ୍ତିକ ନିଜ ଦୋକାନ ବନ୍ଦ କରି ଗୁରୁବାର ରାତ୍ରୀ ଦଶ ଘଟିକା ସମୟରେ ନିଜ ଘରକୁ ଯାଇଥିଲେ। ଆଜି ଶୁକ୍ରବାର ସକାଳ ସମୟରେ ଦୋକାନ ଖୋଲି ଦେଖିଥିଲେ କି ଦୋକାନର ଛପର ଭଙ୍ଗାଯାଇଥିଲା। ସଙ୍ଗେସଙ୍ଗେ ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେ। ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରି ଥିଲେ। କାର୍ତ୍ତିକର ଅଭିଯୋଗ ଅନୁଯାୟୀ ଗ୍ରାହକମାନଙ୍କର ୩୦ ରୁ ଅଧିକ ଆଣ୍ତ୍ରୋଏଡ ମୋବାଇଲ ସହ ଲକ୍ଷାଧିକ ଟଙ୍କାର ରିପ୍ୟାରିଂ ସାମଗ୍ରୀ ଚୋରୀ ହୋଇଥିବା ଜଣାଯାଇଛି।
Comments are closed.