ନୂଆଦିଲ୍ଲୀ, ୧୭ା୯ (ଏଜେନ୍ସି) : ଆଉ ଗୋଟିଏ ଦିନର ବ୍ୟବଧାନ ପରେ ଆଇପିଏଲ୍-୧୩ ବିଗୁଲ ବାଜିବ । ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳି ବିଳମ୍ବରେ ୟୁଏଇ ପହଞ୍ଚିବେ । ଉଭୟ ଦଳ ମଧ୍ୟରେ ବୁଧବାର ଦିନିକିଆ ଶୃଙ୍ଖଳା ଶେଷ ହୋଇଥିଲା । ତେଣୁ ଆଇପିଏଲ୍ରେ ଅଂଶ ଗ୍ରହଣ କରିବା ପାଇଁ ସିଧାସଳଖ ଇଂଲଣ୍ଡରୁ ୨୧ ଜଣ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଖେଳାଳି ୟୁଏଇ ପହଞ୍ଚିବେ । ପୂର୍ବରୁ ଏମାନଙ୍କୁ କରୋନା ଟେଷ୍ଟ ହୋଇଥିବାରୁ ଏସ୍ଓପିରେ କୋହଳ କରାଯାଇଛି । ଅର୍ଥାତ୍ ଏମାନେ କେବଳ ୩୬ ଘଣ୍ଟା କ୍ୱାରାଣ୍ଟାଇନ୍ରେ ରହିବେ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳିଙ୍କ ପାଇଁ କ୍ୱାରାଣ୍ଟାଇନ୍ ଅବଧି କମାଇବା ନିମନ୍ତେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲୀ ୟୁଏଇର ସ୍ଥାନୀୟ ଅଧିକାରୀଙ୍କ ସହ କଥା ହୋଇଥିଲେ । ୬ଦିନ ପରିବର୍ତ୍ତେ ୩୬ ଘଣ୍ଟାକୁ କ୍ୱାରାଣ୍ଟାଇନ୍ ଅବଧି କମିଥିବାରୁ ଆଇପିଏଲ୍ ଆରମ୍ଭରୁ ହିଁ ବିଶ୍ୱସ୍ତରୀୟ ଖେଳାଳିଙ୍କୁ ଦେଖିବାକୁ ମିଳିବ ।