ଆଠଗଡ଼ ତା ୨୪-୦୯-୨୩ ଆଠଗଡ଼ ବନ ବିଭାଗ ନାକ ତଳେ ପୁଣି ଥରେ ସକ୍ରିୟ ହୋଇ ଉଠିଛନ୍ତି ଵଜ୍ରକାପ୍ତା ଚୋରା ଚାଲାଣ ରାକେଟ। କିଛି ଦିନ ର ନୀରବତା ପରେ ଆଠଗଡ଼ ଵନଖଣ୍ଡ ଅଞ୍ଚଳ ରୁ ବିରଳ ଵଜ୍ରକାପ୍ତା କଲିକତା ର ଖଡ଼ଗପୁର ଭାୟା ରାଞ୍ଚି ଦେଇ ବାହାରକୁ ଚାଲାଣ ହେଉଛି। ଆଠଗଡ଼ ଵନଖଣ୍ଡ ଅଧିନରେ ଥିବା ଆଠଗଡ଼, ବଡ଼ମ୍ବା,ନରସିଂହପୁର ପୂର୍ବ, ଏବଂ ପଶ୍ଚିମ ରେଞ୍ଜ ରେ ବନବିଭାଗ ର ଅପାରଗତା ଯୋଗୁଁ ଏହି ରେଞ୍ଜ ଏବେ ଏହି ବିରଳ ପ୍ରଜାତିର ଜନ୍ତୁ ଚାଲାଣ ର ହଟ୍ ସ୍ପଟ୍ ପାଲଟିଛି।ଗତ ଦୁଇ ତିନି ବର୍ଷ ତଳେ ଏହି ମାମଲା ର ସୁରାକ ମିଳିବା ପରେ ବିଭାଗ ପକ୍ଷରୁ ଚଢାଉ ଜାରି ରହିଥିଲା। ବିଭିନ୍ନ ସମୟରେ ଜୀବନ୍ତ ଏବଂ ମୃତ ଵଜ୍ରକାପ୍ତା ଉଦ୍ଧାର ହେଵା ସହିତ ଏଥିରେ ସଂପୃକ୍ତ କିଛି ଲୋକ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିଲା। ଵଜ୍ରକାପ୍ତା ର କାତି, ମାଂସ ଆଦି ର ଔଷଧୀୟ ଗୁଣ ଯୋଗୁଁ ଅନ୍ତର୍ଜାତୀୟ ଵଜାର ରେ ଏହାର ଢେର୍ ଚାହିଦା ରହିଛି। ଏହାକୁ ଆଖିରେ ରଖି ମାଫିଆ ମାନେ ଵଜ୍ରକାପ୍ତା ର ଓଜନ ଅନୁସାରେ ଦର ନିର୍ଦ୍ଧାରଣ କରି ତାହାକୁ ବାହାରକୁ ଚାଲାଣ କରିଥାନ୍ତି। ଗୋଟିଏ ଵଜ୍ରକାପ୍ତା ର ସର୍ବନିମ୍ନ ମୂଲ୍ୟ ପାଞ୍ଚ ରୁ ସାତ ଲକ୍ଷ ଟଙ୍କା ଯାଏ ବିକ୍ରି ହେଉଥିବା ସେତେବେଳେ ଜଣା ପଡ଼ିଥିଲା। ଏହି ଘଟଣା ସେତେବେଳେ ସାରା ରାଜ୍ୟ ସହିତ ଜାତୀୟ ଏମିତି କି ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଏହାର ଆଲୋଚନା ହେଲା। ଗିରଫଦାରୀ ଚାଲିଲା। ଏହି ମାମଲା ରେ ରାଜ୍ୟ କ୍ରାଇମବ୍ରାଞ୍ଚ୍ କୁ ମଧ୍ୟ ସାମିଲ କରାଗଲା। ସେହି ଆଳରେ ଆଠଗଡ଼ ବନବିଭାଗ ର କିଛି ଆସାଧୁ କର୍ମଚାରୀ ନିଜର ବ୍ୟକ୍ତିଗତ ରାଗ ସୁଝାଇଵା ପାଇଁ କିଛି ନୀରିହ ଲୋକ ମାନଙ୍କୁ ମଧ୍ୟ ଗିରଫ କରାଯାଇ କୋର୍ଟ ଚାଲାଣ କରାଗଲା। ପରବର୍ତ୍ତୀ ସମୟରେ ସେମାନେ ଜାମିନ୍ ରେ ଆସି ବିଭାଗୀୟ ଅଧିକାରୀ ଙ୍କ ନାମରେ ମାନହାନି ମୋକଦ୍ଦମା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଵିଭାଗ ପକ୍ଷରୁ ଦଲାଲ ମାନଙ୍କୁ ଲଗାଇ କାହାକୁ ଅର୍ଥ ଦେଇ ଏବଂ କାହାକୁ ଧମକ ଚମକ ସହ ଭୟଭୀତ କରାଇ ତାକୁ ଛପାଇ ଦେବା ପାଇଁ ସକ୍ଷମ ହୋଇଥିଲେ।ଅନ୍ୟ ପକ୍ଷରେ ଆଠଗଡ଼ ବନବିଭାଗ ର ତତକାଳୀନ ବରିଷ୍ଠ ଅଧିକାରୀ କିଛି ଅସାଧୁ ଅନୁଗତ ମାନଙ୍କ ସହାୟତାରେ ଅନୁଗୁଳ ଆଠମଲ୍ଲିକ ଆଦି ଅଞ୍ଚଳ ରୁ ଜୀବନ୍ତ ଵଜ୍ରକାପ୍ତା ଧରିଆଣି ନାଟକୀୟ ଢଙ୍ଗରେ ତାହାକୁ ଉଦ୍ଧାର କରିଥିବା ଗଣ ମାଧ୍ୟମକୁ ସଫେଇ ଦେଲେ।ନିଜ ସପକ୍ଷରେ ଏଭଳି କିଛି ରିପୋର୍ଟ ପ୍ରସ୍ତୁତ କରି ପୁରସ୍କାରପ୍ରାପ୍ତ ମଧ୍ୟ ହୋଇଛନ୍ତି। କିନ୍ତୁ ମାଫିଆ ମାନଙ୍କ ସହିତ ଭିତିରିଆ ବୁଝାମଣା କରି ତତକାଳିନ ଅଧିକାରୀ ଭଲ ମୁନାଫା କମାଇଥିବା ମଧ୍ୟ ଅଭିଯୋଗ ହୋଇଛି। ସେବେ ଠାରୁ ଆଉ ଏହି ମାମଲା ର କୌଣସି ସୋର ଶବ୍ଦ ନାହିଁ। ବିଭାଗ ର ସ୍ଥାଣୁତା ର ସୁଯୋଗ ନେଇ ଏବେ ପୁଣି ଥରେ ସକ୍ରିୟ ହୋଇ ଉଠିଛନ୍ତି ଏହି ଵଜ୍ରକାପ୍ତା ଚୋରା ଚାଲାଣ ରାକେଟ। ବିଭାଗ ର ଗୋଇନ୍ଦା ସଂପୂର୍ଣ୍ଣ ବିଫଳ ହୋଇଥିବା ବେଳେ ଅନାୟସରେ ସେମାନଙ୍କ ବେପାର ଚାଲୁ ରହିଛି। ଆଠଗଡ଼ ଵନଖଣ୍ଡ ର ମୁଖ୍ୟ କାର୍ଯ୍ୟାଳୟ ରେ ଅଧିକାରୀ ମାନଙ୍କ ଦେଖା ମିଳୁନି। ରେଞ୍ଜ ଗୁଡ଼ିକ ର ମଧ୍ୟ ସମାନ ଅବସ୍ଥା। କୌଣସି ଅଧିକାରୀ କିମ୍ବା କର୍ମଚାରୀ ଙ୍କୁ କ୍ଷେତ୍ର ଉପରେ ଦେଖିବାକୁ ମିଳୁନାହିଁ। ସବୁଠାରୁ ବଡ଼ କଥା ହେଉଛି ଏମାନେ କେହି ବି ଉତ୍ତର ଦାଇତ୍ୱ ନେବା ପାଇଁ ରାଜି ହେଉନାହାଁନ୍ତି। ଯେଉଁଥିପାଇଁ ବିରଳ ଵଜ୍ରକାପ୍ତା ସହିତ ଅନ୍ୟାନ୍ୟ ବନ୍ୟଜନ୍ତୁ ସୁରକ୍ଷା ମଧ୍ୟ ବିପନ୍ନ ହେବାରେ ଲାଗିଛି। ଏହା ଉପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।