Odisha news

ଗୁଣାତ୍ମକ ଶିକ୍ଷା

ହିମାଂଶୁ ଶେଖର ଆ·ର୍ଯ୍ୟ : ଏକ ସଭ୍ୟ ସମାଜ ଗଠନରେ ଶିକ୍ଷାର ବଡ ଯୋଗଦାନ ରହିଛି । ଶିକ୍ଷିତ ହେବା କାରଣରୁ ମଣିଷ ପୃଥିବୀର ଅନ୍ୟ ସମସ୍ତ ପ୍ରାଣୀଙ୍କ ଠାରୁ ଭିନ୍ନ ।ଶିକ୍ଷା ପୂର୍ବରୁ ସାମ୍ବିଧାନିକ ଅଧିକାର ଥିଲା । ପରେ ଏହାକୁ ମୈାଳିକ ଅଧିକାର କରି ଦିଆଗଲା ।ଶିଶୁ ମାନଙ୍କୁ ଦେଶର ସର୍ବୋଚ ସମ୍ପତ୍ତି କୁହାଯାଏ । ପାଠପଢାରୁ ବଞ୍ଚିତ ଶିଶୁ ଟିଏ ସମାଜ କିମ୍ବା ଦେଶର ବିକାଶରେ ସହାୟକ ହୋଇନଥାଏ । କାରଣ ଶିକ୍ଷା ହେଉଛି ମାନବ ସମ୍ବଳ ବିକାଶର ପ୍ରମୁଖ ଆୟୁଧ । ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବାପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ସ୍କୁଲରେ ବାନ୍ଧି ହୋଇ ରହିବା ପାଇଁ ଛାତ୍ରଛତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ମାଗଣା ପାଠ୍ୟ ପୁସ୍ତକ ବଣ୍ଟନ କରୁଛନ୍ତି ।ଦେଶର ଭବିଷ୍ୟତ ଗଢିବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ କିଛି ଭିନ୍ନ କଥା କହୁଛି ।

ଏହା ସତ୍ତ୍ୱେ ଛାତ୍ରଛାତ୍ରୀ ମାନେ ଅଧାରୁ ପାଠ ପଢା ଛାଡୁଛନ୍ତି । ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟରେ ଡ୍ରପ୍ଆଉଟ୍ ହାର ୫.୪୨ ପ୍ରତିଶତ ଥିବାବେଳେ ରାୟଗଡାରେ ସର୍ବାଧିକ ୧୧.୬୭ ପ୍ରତିଶତ ପିଲା ଅଧାରୁ ପାଠ ଛାଡୁଛନ୍ତି ।କେନ୍ଦ୍ରାପଡାରେ ଏହି ହାର ୮.୯ ପ୍ରତିଶତ ଥିବା ବେଳେ , କଳାହାଣ୍ଡିରେ ୮.୪୬ ପ୍ରତିଶତ ରହିଛି । ଉଚ୍ଚ ପ୍ରାଥମିକରେ ରାୟଗଡାରେ ସର୍ବାଧିକ ୧୭.୧୦ ପ୍ରତିଶତ ପିଲା ଅଧାରୁ ପାଠ ଛାଡୁଥିବା ବେଳେ, ମାଲକାନଗିରିରେ ୧୩.୭୮ ଓ ଯାଜପୁରରେ ୧୨.୬୩ ପ୍ରତିଶତ ପିଲା ପାଠ ଛାଡୁଛନ୍ତି ।

ସେହପରି ମାଧ୍ୟମିକ ସ୍ତରରେ ୧୮.୨% ପିଲା ଅଧାରୁ ପାଠ ଛାଡୁଛନ୍ତି । ପୁରୀରେ ସର୍ବାଧିକ ୧୦.୦୫ ପ୍ରତିଶତ ପିଲା ଅଧାରୁ ପାଠ ଛାଡୁଥିବା ବେଳେ ବାଲେଶ୍ୱରରେ ୮.୭୩ ଓ ସମ୍ବଲପୁରରେ ୮.୧୬ ପ୍ରତିଶତ ପିଲା ପାଠ ଛାଡୁଛନ୍ତି । ଏପରିକି ଶିକ୍ଷା ଅଧିକାର ଆଇନ୍ କାର୍ଯ୍ୟକାରୀ ହେବାର ଦଶ ବର୍ଷ ପରେବି ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିପାରି ନାହିଁ ।

ସୂଚନା ଯୋଗ୍ୟ ଯେ, ରାଜ୍ୟରେ ଥିବା ସମସ୍ତ ୫୧,୪୩୪ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଗୁଡିକରେ ପିଇବା ପାଣି ବ୍ୟବସ୍ଥା ଥିବା ବେଳେ ୩୪,୩୯୪ ସ୍କୁଲରେ ପାଣି ସହ ଶୈାଚାଳୟ ବ୍ୟବସ୍ଥା ନାହିଁ । ସେହିପରି ୩୫,୬୭୯ ବିଦ୍ୟାଳୟରେ ବିଜୁଳି ବ୍ୟବସ୍ଥା ନଥିବା ବେଳେ ୩୭,୬୪୫ ସ୍କୁଲରେ ଖେଳ ପଡିଆ ନାହିଁ । ୧୬,୩୬୮ ବିଦ୍ୟାଳୟରେ ପାଚେରୀ ନଥିବା ବେଳେ ୨୪୫୧ ସ୍କୁଲରେ ପାଠାଗାର ନାହିିିିିିିିିିିିିିିିିିି । ଏଥି ସହିତ ୩୭,୬୩୫ରେ ଖେଳ ପଡିଆ ନ ଥିବା ବେଳେ ୧୨,୨୮୦ ବିଦ୍ୟାଳୟର ରୋଷେଇ ଘର ଏବଂ ୧୭,୭୬୩ ସ୍କୁଲରେ ପାଚେରୀ ନାହିଁ । ସବୁଠୁ ପରିତାପର ବିଷୟ ୩୬୮ ବିଦ୍ୟାଳୟର ନିଜସ୍ୱ ଘର ମଧ୍ୟ ନାହିଁ ।

ଆହୁରି ମଧ୍ୟ ରାଜ୍ୟର ୯୦ ଟି ବିଦ୍ୟାଳୟରେ କଳାପଟ୍ଟା ବ୍ୟବସ୍ଥା ନାହିଁ ।ଏଥିରୁ ରାଜ୍ୟରେ ଥିବା ସ୍କୁଲ ମାନଙ୍କର ଭିତ୍ତିଭୂମି କେଉଁ ଅବସ୍ଥାରେ ଅଛି ଓ ସେଠାରେ କିପରି ପାଠ ପଢା ଚାଲିଛି ତାହା ସ୍ପଷ୍ଟ ଭାବେ ଅନୁଭବ କରିହେଉଛି । ୩୪,୨୩୮ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ୩୨,୫୫୩ଟିରେ ପ୍ରତି ଶ୍ରେଣୀରେ ପାଠ ପଢାଇବା ଲାଗି ଜଣେ କରି ଶିକ୍ଷକ ନାହାଁନ୍ତି । ସେହିପରି ୧୭,୭୨୬ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ୧୨,୪୬୬ଟିରେ ପ୍ରତି ଶ୍ରେଣୀ ପାଇଁ ଜଣେ କରି ଶିକ୍ଷକ ନାହାଁନ୍ତି । ୨୯,୯୪୪ଟି ପ୍ରାଥମିକ ବିଦ୍ୟାଳୟରେ ପ୍ରତି ଶ୍ରେଣୀ ପାଇଁ ବଖରାଏ କରି ଶ୍ରେଣୀଗୃହ ନ ଥିବା ବେଳେ ୧୧,୭୪୪ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢିବା ପାଇଁ ପ୍ରତି ଶ୍ରେଣୀ ପାଇଁ ବଖରାଏ କରି ଘର ନାହିଁ । କେବଳ ୧୬୮୫ ପ୍ରାଥମିକ ଓ ୫୨୬୦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି । ରାଜ୍ୟରେ ଥିବା ଉଚ୍ଚ ବିଦ୍ୟାଳୟ ଗୁଡିକରେ ୨,୫୮୫ଟି ସ୍କୁଲରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ରହିଛି ।

ଏଥି ସହିତ ଆବଶ୍ୟକ ଶିକ୍ଷକ ଓ ଭିତ୍ତିଭୂମିର ଅଭାବ ଶିକ୍ଷାର ବିକାଶରେ ଏକ ପ୍ରମୁଖ ସମସ୍ୟା ରୂପେ ଉଭାହୋଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ଥିବା ସମସ୍ତ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ପାନୀୟଜଳ, ପରିମଳ ବ୍ୟବସ୍ଥା, ବିଜୁଳି ଆଲୋକ, ସୁସ୍ଥ ଶିକ୍ଷଣୀୟ ପରିବେଶ ଭଳି ଆବଶ୍ୟକତାକୁ ପୁରଣ କରାଯାଇପାରିନାହିଁ । ଫଳ ସ୍ୱରୂପ, ଛାତ୍ରଛାତ୍ରୀ ମାନଙ୍କର ଶୈକ୍ଷିକ ଦକ୍ଷତା ହ୍ରାସ ପାଇବାରେ ଲାଗିଛି । ନିକଟରେ ଘରୋଇ ସଂସ୍ଥା “ଆସର” ପକ୍ଷରୁ ଗ୍ରାମାଞ୍ଚଳ ବିଦ୍ୟାଳୟ ଓ ଶିକ୍ଷାସ୍ତର ସ୍ଥିତି ଉପରେ କରାଯାଇଥିବା ସର୍ଭେ ତଥ୍ୟ ଅନୁଯାୟୀ ଆହୁରି ଉଦ୍ବେଗର ବିଷୟ ହେଲା ପ୍ରଥମ ଶ୍ରେଣୀରେ ପଢୁଥିବା ୩୮ % ପିଲା ଓଡିଆ ଅକ୍ଷର ପଢିପାରୁ ନାହାଁନ୍ତି । ୨୯.୩ % ପିଲା ଅକ୍ଷର ପଢୁଥିଲେ ମଧ୍ୟ ଚିହ୍ନିପାରୁ ନାହାଁନ୍ତି । ସେହିପରି ଅଷ୍ଟମ ଶ୍ରଣୀରେ ପଢୁଥିବା ଛାତ୍ର ଛାତ୍ରୀଙ୍କ ସ୍ଥିତି ଅତ୍ୟନ୍ତ ଦୟନୀୟ । ସ୍କୁଲମାନଙ୍କରେ ଅଧିକ ଉପସ୍ଥାନ ପାଇଁ ସର୍ବଶିକ୍ଷା ଯୋଜନା ମାଧ୍ୟମରେ ସରକାର ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ସହ ଅଣ୍ଡା, କଦଳୀ, ବାଳିକାଙ୍କୁ ପୋଷାକ, ପାଠ୍ୟପୁସ୍ତକ ଇତ୍ୟାଦି ଦେବାର ବ୍ୟବସ୍ଥା ଥିଲେ ବି ଉପସ୍ଥାନ ସଂଖ୍ୟା ସନ୍ତୋଷଜନକ ହୋଇପାରିନାହିଁ ।

ଆମ ଶିକ୍ଷା ବ୍ୟବସ୍ଥା କଥା ଆଲୋଚନା କଲେ ଜଣାପଡେ ଯେ, ସ୍ୱାଧୀନତା ପରେ ଅନେକ କମିଶନ ଶିକ୍ଷା କ୍ଷେତ୍ରରେ ବସିଛି । ମାତ୍ର ଶିକ୍ଷା ବ୍ୟବସ୍ଥାରେ ସେପରି ଆଖିଦୃଶିଆ ପରିବର୍ତ୍ତନ ଘଟିନାହିଁ । ଶିକ୍ଷାର ବିକାଶ ପାଇଁ ଆବଶ୍ୟକ ହେଉଥିବା ଅର୍ଥର ଅଭାବ ହିଁ ଏହାର ପ୍ରମୁଖ କାରଣ । ବିଭିନ୍ନ ସମୟରେ ଗଠନ କରାଯାଇଥିବା ଶିକ୍ଷା କମିଶନ ଓ ଶିକ୍ଷା କମିଟି ସୁପାରିସ ହେଉଛି ଶିକ୍ଷା ବାବଦରେ ରାଷ୍ଟ୍ର ବ୍ୟୟବରାଦ ବୃଦ୍ଧି କରିବା ପାଇଁ । ଏସବୁ କମିଶନ ଓ କମିଟିର ସୁପାରିସ ଶୀତଳ ଭଣ୍ଡାରରେ ପଡିରହିଛି । ୧୯୬୪ ମସିହାରେ ଗଠିତ କୋଠାରି କମିଶନ କେନ୍ଦ୍ର ବଜେଟର ୧୦ ଭାଗ ଓ ରାଜ୍ୟ ବଜେଟର ୩୦ ଭାଗ ଶିକ୍ଷା କ୍ଷେତ୍ରରେ ବ୍ୟୟ କରିବାକୁ ସରକାରଙ୍କୁ ସୁପାରିସ କରିଥିଲେ । କିନ୍ତୁ ଏଯାବତ୍ କୌଣସି ଯୋଜନାରେ ଶିକ୍ଷା ପାଇଁ କେନ୍ଦ୍ର ବଜେଟର ୪ ଭାଗ ଓ ରାଜ୍ୟ ବଜେଟର ୨୪ ଭାଗ ଅତିକ୍ରମ କରିପାରିଲା ନାହିଁ । ବରଂ ଶିକ୍ଷା ବଜେଟ ବର୍ଷକୁବର୍ଷ ହ୍ରାସପାଇବାରେ ଲାଗିଛି । ବିଶେଷକରି ୧୯୯୦ ଦଶକ ପରଠାରୁ ଆମ ଦେଶ ଜଗତୀକରଣକୁ ଆପଣେଇ ନେଲାପରେ ଶିକ୍ଷାକ୍ଷେତ୍ରରେ ଏହାର ପ୍ରତିକୂଳ ପ୍ରଭାବ ବହୁଳ ଭାବରେ ପରିଲକ୍ଷିତ ହୋଇଛି । ଏହାର ପ୍ରଭାବ ଆମ ରାଜ୍ୟରେ ମଧ୍ୟ ଅନୁଭୂତ ହୋଇଛି ।

ପ୍ରାଥମିକ ଶିକ୍ଷା ଶିକ୍ଷାବ୍ୟବସ୍ଥାର ମୂଳଦୁଆ । ମାତ୍ର ଏହି ମୂଳଦୁଆ କ୍ରମଶଃ ଭୁଷୁଡିବାରେ ଲାଗିଛି । ଏହାର ପ୍ରମୁଖ କାରଣ ହେଉଛି ଆବଶ୍ୟକ ଶିକ୍ଷକ ଓ ଭିତ୍ତିଭୂମିର ଅଭାବ । ଶିକ୍ଷା ଅଧିକାର ଆଇନ ଅନୁସାରେ ରାଜ୍ୟରେ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍ତରରେ ୨ଲକ୍ଷ ୨୪ ହଜାର ୩୩୦ ଜଣ ଶିକ୍ଷକଙ୍କ ଆବଶ୍ୟକତା ରହିଛି । ଅଛନ୍ତି ୧ଲକ୍ଷ ୧୫ହଜାର ୮୩୩ଜଣ ନିୟମିତ ଶିକ୍ଷକ । ବଳକା ୧ ଲକ୍ଷ ୮ହଜାର ୪୯୭ଜଣ ନିୟମିତ ଶିକ୍ଷକ ପଦବୀ ସ୍ଥାନରେ ୭୩ହଜାର ୭୩୬ଜଣ ଶିକ୍ଷା ସହାୟକ ଓ ଗଣଶିକ୍ଷକଙ୍କୁ ନେଇ ଚାଲିଛି ଶିକ୍ଷା ବ୍ୟବସ୍ଥା ଚାଲିଛି । ଏବେ ୩୪,୭୭୯ ଶିକ୍ଷକ ପଦବୀ ଖାଲି ପଡିଛି । ଖାଲିଥିବା ଶିକ୍ଷକ ପଦବୀ ପୂରଣ ହେବା ତ ଦୂରର କଥା କେଉଁଠି ପାଞ୍ଚଟି ଶ୍ରେଣୀକୁ ଜଣେ ତ କେଉଁଠି ୭ଟି ଶ୍ରେଣୀକୁ ୨/୩ଜଣ ଶିକ୍ଷକରେ ସ୍କୁଲ୍ ଚାଲିଛି । ସେହିପରି ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟମାନଙ୍କରେ ମଧ୍ୟ ଶିକ୍ଷକମାନଙ୍କ ମରୁଡି । ସେହିପରି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରାୟ ୫,୬୫୬ ଶିକ୍ଷକ ପଦବୀ ଖାଲିପଡିଛି । ସେହିପରି କେତେକ ସ୍କୁଲରେ ବିଜ୍ଞାନ ଓ ଗଣିତ ଶିକ୍ଷକ ନାହାଁନ୍ତି । ସେଠାରେ ପ୍ରକ୍ସିରେ ଚାଲିଛି ପାଠପଢା ।

ଏସବୁ କଥା ବିଚାରକୁ ନେଲେ ଶିକ୍ଷା କ୍ଷେତ୍ରରେ ଆମ ସ୍ଥିତି କେଉଁଠି ତାହା ସ୍ପଷ୍ଟ ଅନୁମେୟ । ଏବେବି ସମୟ ଅଛି । ପ୍ରାଥମିକ ଶିକ୍ଷା ଠାରୁ ଆରମ୍ଭ କରି ଉଚ୍ଚ ଓ ମହାବିଦ୍ୟାଳୟ ଶିକ୍ଷା ପର୍ଯ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡିଥିବା ଆମ ଶିକ୍ଷା ବ୍ୟବସ୍ଥାକୁ ସଜାଡିବାକୁ ହେବ । କାରଣ ଯେଉଁ ଦେଶର ଶିକ୍ଷା ବ୍ୟବସ୍ଥା ଯେତେ ସୁଦୃଢ, ସେ ଦେଶର ମାନବ ସମ୍ବଳ ସେତେ ଦକ୍ଷ ତଥା ବିକଶିତ । ତେଣୁ ଶିକ୍ଷା କ୍ଷେତ୍ରରେ ଥିବା ଅସଙ୍ଗତିକୁ ଦୁର କରିବା ଏକାନ୍ତ ଅପରିହାର୍ଯ୍ୟ ।

Nalco

Comments are closed.