ସୁଶ୍ରୀ ସୌଭାଗ୍ୟବତୀ ଗିରି : କାଲି ସକାଳୁ ମର୍ଣ୍ଣିଙ୍ଗ୍ ୱାକ୍ ରେ ଯାଉଯାଉ ହଠାତ୍ ଦେଖିଲି ଆମ ସାହି ପଣ୍ଡାବାବୁଙ୍କ ଘର ଆଗରେ ଭାରି ଗହଳି । । ବାଃ ବାଃ କରିବାରେ ସଭିଏଁ ବ୍ୟସ୍ତ । ପଣ୍ଡାବାବୁଙ୍କ ଗୋଡ ବି ଆଉ ତଳେ ଲାଗୁ ନଥାଏ । ରାଜନୈତିକ ଦଳମାନେ ପ୍ରତିଦ୍ୱନ୍ଦୀତା କରି ପୁଷ୍ପଗୁଚ୍ଛ ଧରି ପହଞ୍ଚି ଯାଇଥା’ନ୍ତି । ସେଠି ବି ରାଜନୀତି ଆରମ୍ଭ ହେଇଗଲା ପରି ଲାଗୁଥାଏ । ଚ୍ୟାନେଲ୍ ବାଲା କି ରିପୋର୍ଟର୍ ଏମାନେ ବି ପଛରେ ପଡି ନାହାନ୍ତି । ଏମାନେ ବି କ୍ୟାମେରା ଧରି ହାଜର ସେଇଠି ।
କଥାଟା ବୁଝିବାକୁ ବେଶୀ ସମୟ ଲାଗିଲାନି। କାରଣଟା ଏୟା ଥିଲା ଯେ କାଲି ପଣ୍ଡାବାବୁଙ୍କ ସୁପୁତ୍ରୀ ଶ୍ୱେତା ପଣ୍ଡା ପ୍ରଥମ ଥର ପାଇଁ ଷ୍ଟୁଡିଓରେ ଗୋଟେ ଗୀତ ରେକର୍ଡ କରିଛି। ଗୋଟେ ଘରୋଇ ସଂସ୍ଥା ତା’ର କଳାକୁ ଚିହ୍ନିପାରି ତାକୁ ଗୀତ ଗାଇବାର ସୁଯୋଗ ଦେଇଛି। ଯାହା ହେଉ ଏତେ ଦିନେ କେହି ଜଣେ ତା’ର କଳାକୁ ପ୍ରଶଂସା କରିଛି । ହେଲେ କିଛି ଲୋକଙ୍କୁ ଦେଖି ମତେ ବେଶ୍ ଆଶ୍ଚର୍ଯ୍ୟ ଲାଗୁଥାଏ । ସେମାନେ ବି ପୁଷ୍ପଗୁଚ୍ଛ ଧରି ଆସି ବେଶ୍ ଖୁସିରେ ଆତ୍ମହରା ହୋଇ ଶ୍ୱେତା ହାତକୁ ବଢେଇ ଦେଉଥିବାର ଦେଖିଲି, ଯୋଉମାନେ ଦିନେ ଶ୍ୱେତାର ଗୀତ ଶୁଣି ଟାହିଟାପରା କରୁଥିଲେ। ଭାରି ଗୋଟେ ସିଙ୍ଗର୍ ଟା ତ ବୋଲି ତାତ୍ସଲ୍ୟ କରି କହୁଥିଲେ। ଶ୍ୱେତା ଗୀତ ଅଭ୍ୟାସ କଲାବେଳେ ସେମାନେ ଡିଷ୍ଟର୍ବ ହେଉଛନ୍ତି ବୋଲି ଶ୍ୱେତା ଘରକୁ ବାରମ୍ବାର ଅଭିଯୋଗ କରିବା ପାଇଁ ଆସୁଥିଲେ । ଆଜି ପୁଣି ସେଇ ଏକା ମୁହଁରେ ଉଆ ଉଷୁନା । ସେଇମାନେ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣେଇବା ସହିତ ତା’ର ପାରିବାପଣିଆକୁ ବାଃ ବାଃ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ମନରେ ପ୍ରଶ୍ନଟିଏ ଆସେ। ସଫଳତା ପାଇବା ପରେ କାହିଁକି ??? ଆଗରୁ କାହିଁକି ନୁହେଁ ?? ଏହା ଆମର କେଉଁ ପ୍ରକାର ମାନସିକତା ??
କେବଳ ଶ୍ୱେତା ନୁହେଁ ଆମେ ଆମ ନିତିଦିନିଆ ଜୀବନରେ ଏମିତି ଅନେକ ପିଲାଙ୍କ ସଂପର୍ଶରେ ଆସୁ । ଆମ ସମାଜରେ ଏମିତି ଅନେକ ପିଲା ଅଛନ୍ତି ଯେଉଁମାନେ ଲକ୍ଷ୍ୟପଥରେ ପହଞ୍ଚିବା ପାଇଁ ସଂଘର୍ଷ କରି ଚାଲିଛନ୍ତି। ଅନେକ ବାଧାବିଘ୍ନର ସମ୍ମୁଖୀନ ହେଉଛନ୍ତି । ହେଲେ ସେଇ ସମୟରେ ଅାମ ସମାଜ କରେ କ’ଣ ? ଜଣେ କଠିନ ଏବଂ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରୁଥିଲା ବେଳେ ତାର ଆତ୍ମବଳକୁ ଭାଙ୍ଗି ଦେବାପାଇଁ ସମସ୍ତେ ଲାଗି ପଡନ୍ତି। କେବେ ତାତ୍ସଲ୍ୟ କରି ତାଙ୍କ ମନୋବଳକୁ ଭାଙ୍ଗିଦିଅନ୍ତି ତ କେବେ ନିନ୍ଦା ଅପବାଦ ଦେଇ ସେମାନଙ୍କୁ ଲକ୍ଷ୍ୟଚ୍ୟୁତ କରାନ୍ତି ତ ଆଉ କେତେବେଳେ ତାଙ୍କ ଅପାରଗତା ବିଷୟରେ ବାରମ୍ବାର କହି କହି ତାଙ୍କୁ ବିଷାଦଗ୍ରସ୍ତ କରାନ୍ତି । ଲୋକମାନଙ୍କର ଏପରି ନକାରାତ୍ମକ ମନ୍ତବ୍ୟ ସେମାନଙ୍କୁ ଦୁର୍ବଳ ହିଁ କରିଥାଏ । ନୈରାଶ୍ଯ ଓ ହୀନମନ୍ୟତାର ଶିକାର ହୋଇ ସେମାନେ ଆସ୍ତେ ଆସ୍ତେ ନିମ୍ନଗାମୀ ହୁଅନ୍ତି। ସମାଜର ନିନ୍ଦା ଶୁଣି ଘାବରେଇ ଯାଉଥିବା ପିଲାମାନେ ତାଙ୍କ ସ୍ୱପ୍ନଠାରୁ ଦୂରକୁ ଠେଲି ହେଇଯା’ନ୍ତି । ବେଳେବେଳେ ଏହି ନିରାଶାର ପରିମାଣ ଏତେ ଅଧିକ ଥାଏ ଯେ ସେମାନେ ଆତ୍ମହତ୍ୟା କରିବାକୁ ବି ପଛାନ୍ତି ନାହିଁ । ଆଉ ନିନ୍ଦାକୁ ନ ଶୁଣି ଆଗେଇ ଥିବା ପିଲାଟିକୁ ପ୍ରଶଂସା କରିବା ପାଇଁ ଏ ସମାଜ ଅଣ୍ଟା ଭିଡି ବାହାରି ପଡେ। ।ପଢିବାକୁ କଥାଟା କଟୁ ଲାଗୁଥିଲେ ବି ଏହା ନିରାଟ ସତ୍ୟ । ଏହାର ସତ୍ୟତାକୁ କେବେବି ଅସ୍ୱୀକାର କରା ଯାଇ ନପାରେ।
ଦୁନିଆର ପ୍ରତୈକଟି ବ୍ୟକ୍ତି ଚାହେଁ ସେ ଜଣେ ସଫଳ ମଣିଷରେ ଗଣା ହେବ। ସଫଳତା କହିଲେ ଆମେ କ’ଣ ବୁଝୁ ? କ’ଣ କେବଳ ଦୁନିଆ ନଜରରେ ଉପରକୁ ଉଠିଯିବା ବା ବାହାବା ପାଇବା ? ନା…କଥାଟା ବାସ୍ତବରେ ସେୟା ନୁହେଁ । ସଫଳତା ଏକ ପରିବ୍ୟାପ୍ତ ବିଷୟ। ଗୋଟିଏ ଧାଡିରେ କହିବାକୁ ଗଲେ ସେଇଟା ଘାସକଟା ହେଉ କି ଘୋଡାଚଢା,କାର୍ଯ୍ୟଟି ନିଖୁଣ ଭାବରେ ହେବା ଦରକାର। ସେଥିପାଇଁ ଦରକାର ଅଭ୍ଯାସ ଓ କଠୋର ଅଧ୍ୟବସାୟ । ତେଣୁ ସେଥିପାଇଁ ବହୁ ଆଗରୁ ପ୍ରୟାସ ବି ଜାରି ରଖିବା ଦରକାର । କଥାରେ ଅଛି – ପ୍ରତୈକ ବୀଜ ଭିତରେ ଅଙ୍କୁରିତ ହେବାର କ୍ଷମତା ଥାଏ । କିନ୍ତୁ ପ୍ରତୈକ ବୀଜ କେବେ ଅଙ୍କୁରିତ ହୋଇପାରେ ନାହିଁ। ଉପଯୁକ୍ତ ସମୟରେ ଜଳ,ବାୟୁ ଆଉ ସୂର୍ଯ୍ୟକିରଣ ନ ପାଇଲେ ବୀଜଟି ନଷ୍ଟ ହୋଇଯାଏ। ଯେତେବେଳେ କେହି ସଫଳତା ଆଡକୁ ପାଦ ବଢାଉଥାଏ, ସେ ବି ଠିକ୍ ବୀଜଟିଏ ପରି। ଅଙ୍କୁରିତ ହେବାପାଇଁ ସେ ବି ଉପଯୁକ୍ତ ବାତାବରଣ ଖୋଜୁଥାଏ । ଆଉ ଲୋଡୁଥାଏ କେବଳ ମାତ୍ର ପ୍ରେରଣା ଟିକେ । ତେଣୁ ଏହି ସମୟରେ ତା’ର ମନୋବଳ ଭାଙ୍ଗି ନଦେଇ ବରଂ ସଠିକ୍ ନିର୍ଣ୍ଣୟ ନେବାରେ ତାକୁ ସାହାଯ୍ୟ କରିବା ଉଚିତ୍। ସେ କଠିନ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ସମସ୍ତେ ତାର ସହଯୋଗୀ ସାଜିବା ଉଚିତ୍। କିପରି ସେ ଆହୁରି ସୁବ୍ୟବସ୍ଥିତ ହୋଇ କାର୍ଯ୍ୟ କରିପାରିବ ସେ ବିଷୟରେ ସମସ୍ତେ ଧ୍ୟାନ ଦେବା ଉଚିତ୍ । ଏହି ବିଷୟରେ ସମସ୍ତେ ବିଶେଷ ସଚେତନ ରହିଲେ ଯାଇ ସମାଜର ହିତ ସାଧନ ହୋଇପାରିବ ।