Odisha news

ହଣ୍ଡପା ବନାଞ୍ଚଳ ଠାରେ ବିଶ୍ୱ ଘରଚଟିଆ ଦିବସ ପାଳନ

0

ଅନୁଗୁଳ -ହଣ୍ଡପା ବନାଞ୍ଚଳ ଠାରେ ରବୀନ୍ଦ୍ର ନାଥ ପ୍ରଧାନ, ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ତଥା ସାଧାରଣ ସମ୍ପାଦକ, ଓଡିଶା କୃଷକ ସମନ୍ୱୟ ସମିତି, ଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଘରଚଟିଆ ଦିବସ ପାଳିତ ହୋଇଯାଇଛି । ଇତ୍ୟବସରରେ ବିଶ୍ୱ ଘରଚଟିଆ ଦିବସ ଉପରେ ଏକ ସଚେତନତା ଶୋଭାଯାତ୍ରା ଓ ଆଲୋଚନାସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଆଲୋଚିତ ହୋଇଥିଲାଯେ ୨୦୧୦ ମସିହା ଠାରୁ ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୨୦ ତାରିଖରେ ବିଶ୍ୱ ଘରଚଟିଆ ଦିବସ ରୂପେ ପାଳିତ ହୋଇଆସୁଛି ।

ଏହି ବର୍ଷ ଘରଚଟିଆ ପକ୍ଷୀଙ୍କୁ ଭଲ ପାଇବାସହ ଏହାର ସଂରକ୍ଷଣ ପାଇଁ ମିଳିତ ଜାତିସଂଘ ତରଫରୁ ଆହ୍ୱାନ ଦିଆଯାଇଛି । ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଲା ଘରଚଟିଆ ପକ୍ଷୀ ଏବଂ ଏହି ଶ୍ରେଣୀର ପକ୍ଷୀଙ୍କୁ ସୁରକ୍ଷିତ ରଖିବା ଏବଂ ଏମାନଙ୍କର ବଂଶ ବୃଦ୍ଧି କରିବା । ଏହି ଜତାୟୀ ପକ୍ଷୀମାନେ ଅତି ସଂକଟାପନ୍ନ ଅବସ୍ଥାରେ ଅଛନ୍ତି । ଏମାନଙ୍କ ଆଶ୍ରୟସ୍ଥଳି ଚାଳଘର ଓ ଛୋଟ ବୁଦୁବୁଦିଆ ଫଳଗଛ ପ୍ରାୟତଃ ଲୋପ ପାଇବାକୁ ବସିଲାଣି । ଫଳତଃ ଏମାନଙ୍କର ବଂଶ ବୃଦ୍ଧି ହୋଇନପାରି ଏହାଙ୍କ ସଂଖ୍ୟା ଦିନକୁ ଦିନ କମିବାକୁ ଲାଗିଛି । ଘରଚଟିଆ ପକ୍ଷୀର ବୈଜ୍ଞାନିକ ନାମ ପାର୍ସେରିଡ୍ । ବ୍ରିଟେନ୍‌, ଫ୍ରାନ୍ସ, ପ୍ୟାରିସ୍‌, ଜର୍ମାନୀ, ବେଲଜିୟମ୍‌, ଇଟାଲୀ, ନେଦରଲ୍ୟାଣ୍ଡ, ଫନ୍‌ଲ୍ୟାଣ୍ଡ ଓ ସମସ୍ତ ଭୂମଧ୍ୟସାଗରୀୟ ଅଞ୍ଚଳରେ ଏହି ପକ୍ଷୀ ଦେଖାଯାନ୍ତି । ଏହା ଧୂସର ରଙ୍ଗର ଏକ କ୍ଷୁଦ୍ର ପକ୍ଷୀ ।

ଏହାର ଲମ୍ବ ପରସହ ୧୪ରୁ ୧୫ସେମି । ପୁରୁଷ ଘରଚଟିଆ ମଥା ଓ ଗଳା ଧୂସର ରଙ୍ଗର ଓ ସ୍ତ୍ରୀ ଘରଚଟିଆର ଏହି ସବୁ ଅଂଶ ଇଷତ କଳା । ଏହି ପକ୍ଷୀ ପ୍ରାୟତଃ ଚାଳଘର, ଅସୁରକ୍ଷିତ କୋଠା, ପୋଲତଳ ଓ ନଦୀକୂଳରେ ଗଛମାନଙ୍କର ବସାବାନ୍ଧି ରୁହନ୍ତି । ୨୦୦୪ ମସିହାରେ ବିଶ୍ୱ ଜୈବ ସଂରକ୍ଷଣ ସଂସ୍ଥାଦ୍ୱାରା କରାଯାଇଥିବା ଆକଳନ ଅନୁଯାୟୀ ୪୦ରୁ ୫୦ବର୍ଷ ମଧ୍ୟରେ ଶତକଡା ୯୦ଭାଗ ଘରଚଟିଆ ପକ୍ଷୀ ଲୋପ ପାଇଯାଇଛନ୍ତି । ବାକି ୧୦ଭାଗ ଘରଚଟିଆଙ୍କ ବଂଶବୃଦ୍ଧି ଓ ସୁରକ୍ଷା ଆବଶ୍ୟକ ରହିଛି । ଆମ ମଣିଷ ବିଶେଷକରି କୃଷକଙ୍କ ପାଇଁ ଘରଚଟିଆ ଏକ ଅତ୍ୟନ୍ତ ଉପକାରୀ ପ୍ରାଣୀ । ଶଶ୍ୟ କ୍ଷେତ୍ରରେ ଅପକାରୀ କୀଟ, ଉଈ, ଝିଣ୍ଟିକା ଓ ଅନେକ କୀଟକୁ ଏମାନେ ଖାଇଦିଅନ୍ତି । ଶଶ୍ୟ କ୍ଷେତ୍ରରେ କୃଷକ କୀଟନାଷକ ବ୍ୟବହାର କରିବା ଦ୍ୱାରା ଏମାନଙ୍କର ମୃତ୍ୟୁ ଘଟୁଛି ।

କୃଷକମାନେ ଜୈବିକ କୃଷି ଆପଣେଇବା ଓ କୃଷି କ୍ଷେତ୍ରରେ ଜୈବିକ କୀଟ ନିୟନ୍ତ୍ରଣ ବ୍ୟବହାର କଲେ ଏଥିରୁ ଏମାନେ ରକ୍ଷା ପାଇପାରବେ । ଗୋବର, ଗୋମୂତ୍ର, ଲିମ୍ବପତ୍ର, ରସୁଣକୁ ବ୍ୟବହାର କରି ଜୈବିକ କୀଟ ନିୟନ୍ତ୍ରକ ଗୋବର, ଗୋମୂତ୍ରରୁ ଉତ୍କୃଷ୍ଟ ଜୈବିକ ସାର କୃଷକମାନେ ବିନା ମୂଲ୍ୟରେ ତିଆରି କରି କୃଷି କ୍ଷେତ୍ରରେ ବ୍ୟବହାର କରିବେ । ଏହା ପରିବେଶ ପାଇଁ ଅନୁକୂଳ ହୋଇଥିବାବେଳେ ଲାଭଜନକ ମଧ୍ୟ ।

ସ୍ୱାଗତଯୋଗ୍ୟ ଯେ ଆମ ଓଡିଶାର ବ୍ରହ୍ମପୁରର ଆଞ୍ଚଳିକ ବିକାଶ ପରିଷଦ ଘରଚଟିଆଙ୍କ ବଂଶବୃଦ୍ଧି ପାଇଁ ଚେଷ୍ଟା ଜାରି ରଖିଛନ୍ତି ଓ ଏଥିରେ ସଫଳ ହୋଇଛନ୍ତି । ଏତତ୍ ବ୍ୟତୀତ ଦିଲ୍ଲୀ ସରକାର ୨୦୧୨ରେ ଓ ବିହାର ସରକାର ୨୦୧୪ରେ ଏହି ଘରଚଟିଆ ପକ୍ଷୀକୁ ରାଜ୍ୟ ପକ୍ଷରୁ ମାନ୍ୟତା ଦେଇଥବାବେଳେ ବ୍ୟାପକ କାର୍ଯ୍ୟକ୍ରମ ସହ ପିଲାଙ୍କ ପାଠ୍ୟକ୍ରମରେ ସ୍ଥାନିତ କରିଛନ୍ତି । ଏଣୁ ଆଜିର ଦିବସରେ ଏହି କ୍ଷୁଦ୍ର ପକ୍ଷୀର ସୁରକ୍ଷା ପାଇଁ ଜନସାଧାରଣଙ୍କୁ ସଚେତନ କରାଇବା ସହ କୃଷକମାନେ ଜୈବିକ କୃଷି ଆପଣେଇବା ଓ ଜୈବିକ କୀଟ ନିୟନ୍ତ୍ରକ ବ୍ୟବହାର କରିବା ପାଇଁ ସମିତି ତରଫରୁ ଏକ ଛୋଟ ପ୍ରୟାସ । ଏହି କାର୍ଯ୍ୟକ୍ରମରେ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।

Leave A Reply