ଅନୁଗୁଳ: ଧୂଷର ରଙ୍ଗର କୁନି ଚଢ଼େଇଟିଏ,ରଙ୍ଗ ଧୂଷରକୁ ସକାଳର କଅଁଳ ଖରାରେ ଗାଁ ଦାଣ୍ଡର ଧୂଳି ଖେଳରୁ ନିଜ ଦିନର ଆରମ୍ଭ କରିବା ସହ ନିଜର କିଚିରି ମିଚିରି ସ୍ୱରରୁ ମଣିରେ ସକାଳକୁ ମଧ୍ୟ ଆରମ୍ଭ କରିଥାଏ । ମଣିଷ ସହ ସାଥି ହୋଇ ରହିବାକୁ ପସନ୍ଦ କରୁଥିବା କାରରରୁ ଏମାନେ ନିର୍ଭୟରେ ମଣିଷର ଚାଳଛପର ଘରେ ହିଁ ନିଜ ପାଇଁ ଘରଟିଏ କରିଥାନ୍ତି, ଏଥିପାଇଁ ବୋଧେହୁଏ ଏହି କୁନି କୁନି ଚଢ଼େଇଟିର ନାଁ “ଘରଚଟିଆ” । କାହିଁ କେତେ ପ୍ରାଚୀନ କାଳରୁ ମଣିଷ ସହ ରହି ଆସୁଥିବା ଏହି ଚଢ଼େଇଟି ପ୍ରାୟ ବିଲୁପ୍ତ ପଥରେ ।
ଏମାନେ ବିଲୁପ୍ତ ହେବାର କାରଣ ମଧ୍ୟରୁ ଦ୍ରୁତ କଂକ୍ରିଟ ଘର ନିର୍ମାଣ, ପ୍ରାକୃତିକ ଜଙ୍ଗଲ ନଷ୍ଟ, ପ୍ରାକୃତିକ ଫଳ ଗଛର ଅଭାବ, କଳକାରଖାନା ବୃଦ୍ଧି, ରସାୟନିକ ସାର ଓ କୀଟନାଶକ ଔଷଧର ବହୁଳ ବ୍ୟବହାର ଅନ୍ୟତମ । ଏହି ସରଳ, ନୀରିହ ଓ ସୁନ୍ଦର ଘରଚଟିଆର ବଂଶର ସୁରକ୍ଷା ଓ ସେମାନଙ୍କ ବଂଶବୃଦ୍ଧି କଥା ଚିନ୍ତା କରି ଏବଂ ସେମାନେ କିପରି ପୂର୍ବପରି ଘରମୁଁହା ହୋଇପାରିବେ, ସେ ବିଷୟକୁ ହୃଦୟଙ୍ଗମ କରି ଆଜି “ବିଶ୍ୱ ଘରଚଟିଆ ଦିବସ” ଅବସରରେ ଅନୁଗୁଳ ଜିଲ୍ଲାର ସାମାଜିକ ଅନୁଷ୍ଠାନ “ସାଥି ପରିବାର” ତରଫରୁ ମନ୍ଦରପୁର ଗ୍ରାମରେ ଆରମ୍ଭ ହୋଇଛି “ଘରଚଟିଆ ସଂରକ୍ଷଣ ଅଭିଯାନ” କାର୍ଯ୍ୟକ୍ରମ ।
ସାଥି ପରିବାର ଦ୍ୱାରା ଘରଚଟିଆ ମାନଙ୍କ ପାଇଁ ନିର୍ମିତ କୃତ୍ରିମ ବସାକୁ ଭାଲିଆପାଳ-ମନ୍ଦରପୁର ବନ ସୁରକ୍ଷା ସମିତି ସଭାପତି ମୁରଲୀଧର ବେହେରା ଓ ଗ୍ରାମବାସୀଙ୍କ ସହଯୋଗରେ ଗ୍ରାମର କିଛି କଂକ୍ରିଟ ଘରେ ସ୍ଥାପନ କରାଯ୍ଧବଥିଲା । ପ୍ରଥମ ପର୍ଯ୍ୟାୟରେ ମୋଟ ୧୫ଟି ବସା ସ୍ଥାପନ କରାଯାଇଅଛି । କୃତ୍ରିମ ବସା ପ୍ରତି ଘରଚଟିଆ ମାନେ କିପରି ଆକୃଷ୍ଟ ହେବେ ସେଥିପାଇଁ ସାଥି ପରିବାର ସଦସ୍ୟ ମାନେ ନୂଆ ଧାନକେଣ୍ଡା ଦ୍ୱାରା ଧାନ ବେଣୀର ବ୍ୟବସ୍ଥା କରାଇଥିଲେ । ଆଗାମୀ ଦିନରେ ଅନୁଗୁଳ ଜିଲ୍ଲାର ପ୍ରତ୍ୟେକ ଗାଁରେ କୃତ୍ରିମ ବସା ସ୍ଥାପନ କରାଯାଇ ସବୁ ଗାଁକୁ ଘରଚଟିଆକୁ ଫେରାଇ ଆଣିବାକୁ ଆନ୍ତରିକତାର ସହ ଉଦ୍ୟମ କରାଯିବାକୁ ପରିବାର ପକ୍ଷରୁ ସ୍ଥିର ହୋଇଅଛି ।