କଟକ, ୨୦/୩ କରୋନା-କୋଭିଟ୍-୧୯ ଭାଇରସ୍ ଆତଙ୍କରେ ଜନସାଧାରଣ ଅର୍ଥନୈତିକ ଭାବେ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ରେଳ ବିଭାଗ କରୋନା ସଂକ୍ରମଣକୁ ରୋକିବା ବାହାନାରେ ପ୍ଲାଟଫର୍ମ ଟିକେଟ୍ର ମୂଲ୍ୟକୁ ୧୦ଟଙ୍କାରୁ ୫୦ ଟଙ୍କାକୁ ବୃଦ୍ଧି କରାଯାଇଥିବାକୁ ଏ.ୟୁ.ସି.ଆଇ (ସି) ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି । ବିଭିନ୍ନ ରେଳଗାଡ଼ିରେ ଜେନେରାଲ ବଗି ସଂଖ୍ୟା କମ୍ ଥିବାରୁ ଯାତ୍ରୀମାନେ ଘୋର ଅସୁବିଧାରେ ଯାତାୟତ କରୁଛନ୍ତି । ଯାତାୟତ କରୁଥିବା ପ୍ରାୟ ସମସ୍ତ ବଗିଗୁଡ଼ିକ ଅତ୍ୟନ୍ତ ଅପରଷ୍କାର । ମଶା ମାଛି ଓ ମୂଷାଙ୍କ ଉପଦ୍ରବ୍ୟରେ ଯାତ୍ରୀମାନେ ଅତିଷ୍ଠ ହୋଇପଡ଼ିଛନ୍ତି । ସେଗୁଡ଼ିକ ପରିଷ୍କାର କରିବା ପାଇଁ ରେଳ ବିଭାଗର କୌଣସି ତତ୍ପରତା ନାହିଁ । ଯେତେବେଳେ ପ୍ଲାଟଫର୍ମଗୁଡ଼ିକ ପାଇଁ ବିଶୋଧିକରଣର ବ୍ୟବସ୍ଥା ଗ୍ରହଣ କରିବା କଥା ସେତେବେଳେ ରେଳ ବିଭାଗ ପ୍ଲାଟଫର୍ମ ଟିକେଟର ମୂଲ୍ୟ ବୃଦ୍ଧି କରି ଜନସାଧାରଣଙ୍କୁ ଆର୍ଥିକ ସଙ୍କଟରେ ପକାଇଛନ୍ତି । ଆଗାମୀ ଦିନରେ କେନ୍ଦ୍ର ସରକାର ରେଳ ଯାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ଭଡ଼ା ବଢ଼ାଇବାର ଚକ୍ରାନ୍ତରେ ପ୍ଲାଟଫର୍ମ ଟିକେଟର ମୂଲ୍ୟ ବୃଦ୍ଧି କରିଛନ୍ତି ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ତୁରନ୍ତ କରୋନା-କୋଭିଟ୍-୧୯ ଭାଇରସ୍ ଆଳରେ ପ୍ଲାଟଫର୍ମ ଟିକେଟ ମୂଲ୍ୟ ବୃଦ୍ଧିର ପ୍ରତ୍ୟାହାର କରିବା, ସମସ୍ତ ପ୍ଲାଟଫର୍ମଗୁଡ଼ିକ କରୋନା ଭାଇରସ୍ରୁ ମୁକ୍ତ ରଖିବା ପାଇଁ ବିଜ୍ଞାନ ସମ୍ମତ ଉପାୟରେ ବିଶୁଦ୍ଧିକରଣ କରିବା, ଜେନେରାଲ ବଗି ସଂଖ୍ୟା ବୃଦ୍ଧି କରିବା ସହ ଯାତ୍ରୀଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବା, ସମସ୍ତ ଯାତାୟତ କରୁଥିବା ବଗିଗୁଡ଼ିକ କରୋନା ଭାଇରସ୍ରୁ ମୁକ୍ତ ରଖିବା ପାଇଁ ବିଶୁଦ୍ଧିକରଣ କରିବା, ରେଳଷ୍ଟେସନରେ କ୍ୱାରେଣ୍ଟାଇନର ବ୍ୟବସ୍ଥା କରିବା ସହ ୨୪ ଘଣ୍ଟିଆ ଡାକ୍ତରୀସେବା ଯୋଗାଇଦେବା ଦାବିରେ ଆଜି ଏ.ୟୁ.ସି.ଆଇ (ସି) କଟକ ଜିଲ୍ଲା କମିଟି ସମ୍ପାଦକ ବିଶ୍ୱାବସୁ ଦାସଙ୍କ ନେତୃତ୍ୱରେ ଏକ ସ୍ମାରକପତ୍ର ପୂର୍ବତଟ ରେଳବାହୀର ଚିଫ୍ କର୍ମରସିଆଲ୍ ମ୍ୟାନେଜରଙ୍କ ଉଦ୍ଦେଶ୍ୟରେ କଟକ ରେଳ ଷ୍ଟେସନ ମ୍ୟାନେଜରଙ୍କୁ ପ୍ରଦାନ କରାଯାଇଛି । ଏହି ପ୍ରତିନିଧିମଣ୍ଡଳରେ ଜିଲ୍ଲା କମିଟିର ସଭ୍ୟ ଖଗେଶ୍ୱର ସେଠୀ, ବସନ୍ତ ନାୟକ, ସିଦ୍ଧାର୍ଥ ରଥ, ସସ୍ମିତା ମହାନ୍ତି, ଦୀପକ ଦାସ, ତରୁଣସେନ ନାୟକ, ଝରଣା ଦାସ ପ୍ରମୁଖ ସାମିଲ ଥିଲେ ।