ମଣିଷକୁ ଜାଗ୍ରତ ଓ ସକାରାତ୍ମକ କାର୍ଯ୍ୟ ପାଇଁ ପ୍ରେରିତ କରିବାର ମୂଳ ମନ୍ତ୍ର ହେଉଛି ‘ଅସ୍ମିତା’ – ଧର୍ମେନ୍ଦ୍ର ପ୍ରଧାନ
ଅନୁଗୋଳ ସଂସ୍କରଣର ୨୬ତମ ସ୍ୱନକ୍ଷତ୍ର ଉତ୍ସବରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
• ୨୦୩୬ ମସିହାରେ ଯେତେବେଳେ ଓଡ଼ିଶା ଭାଷା ଭିତ୍ତିରେ ଗଠନ ହେବାର ଶହେ ବର୍ଷ ପୂରଣ କରିବ, ସେତେବେଳେ ଆମର ଲକ୍ଷ୍ୟ ପୂରଣ ପାଇଁ ଅସ୍ମିତାର ଏହି ତତ୍ତ୍ୱ ଓ ଉନ୍ମାଦନା ହିଁ ସାରଥି ସାଜିବ
• ‘ସମ୍ବାଦ’ର ଅନୁଗୋଳ ସଂସ୍କରଣର ୨୬ତମ ସ୍ୱନକ୍ଷତ୍ର ଉତ୍ସବରେ ଶୁଭେଚ୍ଛା ଜଣାଇଲେ
• ରାଜ୍ୟରେ ସ୍ୱଚ୍ଛ ତଥା ରୁଚିପୂର୍ଣ୍ଣ ସାମ୍ବାଦିକତାର ଏକ ନୂତନ ମାନଦଣ୍ଡ ସୃଷ୍ଟି କରିଛି ସମ୍ବାଦ
• ଗତି ଓ ଶକ୍ତି ଏକାଠି ହେଲେ ହିଁ ଅନୁଗୋଳ ଆଗକୁ ବଢିବ
ଅନୁଗୋଳ, ୨୫ ଏପ୍ରିଲ, ୨୦୨୬ – ଅସ୍ମିତା ଏକ ଦାର୍ଶନିକ ବିଷୟ । ଅସ୍ମିତା ହିଁ ଆମର ପ୍ରକୃତ ପରିଚୟ ଓ ଶାଶ୍ୱତ ଐତିହ୍ୟ। ଯେଉଁ ଚିନ୍ତାଧାରା ମଣିଷକୁ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ କରେ, ନିଜ ମାଟି ପାଇଁ ଗର୍ବିତ ହେବାର ସୁଯୋଗ ଦିଏ ଏବଂ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ମନୋବଳକୁ ଦୃଢ଼ୀଭୂତ କରେ, ତାହା ହିଁ ପ୍ରକୃତ ଅସ୍ମିତା ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ।
‘ସମ୍ବାଦ’ର ଅନୁଗୋଳ ସଂସ୍କରଣର ୨୬ତମ ସ୍ୱନକ୍ଷତ୍ର ଉତ୍ସବରେ ଯୋଗଦେଇ ଶ୍ରୀ ପ୍ରଧାନ ଓଡ଼ିଆ ଅସ୍ମିତାର ପ୍ରାସଙ୍ଗିକତା ଓ ରାଜ୍ୟର ବିକାଶ ଧାରା ଉପରେ ଏକ ମାର୍ମିକ ଅଭିଭାଷଣ ପ୍ରଦାନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ଅସ୍ମିତା ଏକ ଗଭୀର ଦାର୍ଶନିକ ବିଷୟ, ଯାହା ବ୍ୟକ୍ତିକୁ ଜାଗ୍ରତ ଓ ସକାରାତ୍ମକ କରିବା ସହ ଜୀବନରେ ସନ୍ତୁଳନ ରକ୍ଷା କରିବାକୁ ପ୍ରେରଣା ଦେଇଥାଏ। ୨୦୩୬ ମସିହାରେ ଯେତେବେଳେ ଓଡ଼ିଶା ଭାଷା ଭିତ୍ତିରେ ଗଠନ ହେବାର ଶହେ ବର୍ଷ ପୂରଣ କରିବ, ସେତେବେଳେ ଆମର ଲକ୍ଷ୍ୟ ପୂରଣ ପାଇଁ ଅସ୍ମିତାର ଏହି ତତ୍ତ୍ୱ ଓ ଉନ୍ମାଦନା ହିଁ ସାରଥି ସାଜିବ । ଆଗାମୀ ପିଢ଼ି ପାଇଁ ଏକ ସ୍ୱର୍ଣ୍ଣିମ ଓଡ଼ିଶା ଗଠନ କରିବାକୁ ହେଲେ ଆମକୁ ଏବେଠାରୁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସ୍ଥିର କରିବାକୁ ପଡ଼ିବ, ଯାହାର ମୂଳ ମନ୍ତ୍ର ହେବ ଓଡ଼ିଆ ଅସ୍ମିତା ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ସମ୍ବାଦର ଏହି ୨୬ ବର୍ଷର ଗୌରବମୟ ଯାତ୍ରା କେବଳ ଏକ ଖବରକାଗଜର ସୀମିତ ପରିସର ମଧ୍ୟରେ ନାହିଁ, ବରଂ ଏହା ଅନୁଗୋଳ ଜିଲ୍ଲାର ଅର୍ଥନୈତିକ ବିକାଶ, ସାମାଜିକ ସଂଘର୍ଷ ଏବଂ ସଫଳତାର ଏକ ଜୀବନ୍ତ ଦସ୍ତାବିଜ୍ । ଜଣେ ନିଷ୍ଠାପର ପାଠକ ଭାବେ ସେ ଅନୁଭବ କରନ୍ତି ଯେ, ସମ୍ବାଦ ଆଜି ଓଡ଼ିଶାର ପ୍ରତିଟି ଘରେ ଏକ ବିଶ୍ୱାସର ପ୍ରତୀକ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି ଏବଂ ରାଜ୍ୟରେ ସ୍ୱଚ୍ଛ ତଥା ରୁଚିପୂର୍ଣ୍ଣ ସାମ୍ବାଦିକତାର ଏକ ନୂତନ ମାନଦଣ୍ଡ ସୃଷ୍ଟି କରିଛି। ବିଭିନ୍ନ ଖବର ପ୍ରକାଶନୀ ସଂସ୍ଥାର ଆଞ୍ଚଳିକ ସଂସ୍କରଣର ଗୁରୁତ୍ୱ ଅଧିକ ବୋଲି କହିବା ସହ ଗତି ଓ ଶକ୍ତି ଏକାଠି ହେଲେ ଅନୁଗୋଳ ଆଗକୁ ବଢିବ ବୋଲି ସେ ମତପ୍ରକାଶ କରିଥିଲେ ।
ସମ୍ବାଦର ସାମାଜିକ ପ୍ରତିବଦ୍ଧତାକୁ ପ୍ରଶଂସା କରି ମନ୍ତ୍ରୀ କହିଛନ୍ତି ଯେ, କେବଳ ଖବର ପରିବେଷଣ ନୁହେଁ, ବରଂ ‘ସାହିତ୍ୟ ଘର’, ‘ରକ୍ତଦାନ ଶିବିର’ ଏବଂ ‘ପୁନଶ୍ଚ ପୃଥିବୀ’ ଭଳି ପରିବେଶ ଅନୁକୂଳ କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ବାଦ ସମାଜରେ ଏକ ସକାରାତ୍ମକ ପରିବର୍ତ୍ତନ ପାଇଁ ଜନମତ ସୃଷ୍ଟି କରିପାରିଛି । ଏହି ଅବସରରେ ସେ ସମ୍ବାଦ ସଂସ୍କରଣ ସହ ଜଡ଼ିତ ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଆ ଜାତିର ସ୍ୱାଭିମାନ ରକ୍ଷା କ୍ଷେତ୍ରରେ ସମ୍ବାଦର ଏହି ନିରନ୍ତର ଉଦ୍ୟମ ଜାରି ରହୁ ବୋଲି ଆଶା ପ୍ରକଟ କରିଛନ୍ତି।