ବକେୟା ବିଦ୍ୟୁତ୍ ବିଲ କଲେକ୍ସନ ବେଳେ ଏନଜେନ ଜେଇଙ୍କୁ ମାଡ- ଅଭିଯୁକ୍ତକୁ ଗିରଫ ଦାବୀରେ ଏନଜେନ କର୍ମଚାରୀଙ୍କ ଥାନା ସମ୍ମୁଖରେ ଧାରଣା
ଅନୁଗୁଳ: ରବିବାର ମଧ୍ୟାହ୍ନରେ ଅନୁଗୁଳ ଥାନା ଅନ୍ତର୍ଗତ ଅଙ୍ଗରବନ୍ଧ ଗ୍ରାମକୁ ବକେୟ ବିଦ୍ୟୁତ୍ ବିଲ କଲେକ୍ସନ କରିବା ପାଇଁ ଯାଇଥିବା ଏନଜେନର ୪ନଂ ସେକ୍ସନ ଜେଇ ଏବଂ ଲାଇନମ୍ୟାନଙ୍କୁ ଗ୍ରାମର କିଛି ଯୁବକ ମାଡ ମାରିବା ସହ ସେମାନଙ୍କର ମୋବାଇଲ ଫୋନ ଛାଡାଇନେଇଥିଲେ ।
ଏହାର ପ୍ରତିବାଦରେ ଅଭିଯୁକ୍ତଙ୍କୁ ଗିରଫ ଦାବୀରେ ଏନଜେନ କର୍ମଚାରୀ ମାନେ ଅନୁଗୁଳ ଥାନା ସମ୍ମୁଖରେ ଧାରଣା ଦେଇଥିଲେ । ଘଟଣାରୁ ପ୍ରକାଶ ଯେ, ଅନୁଗୁଳ ଥାନା ଅନ୍ତର୍ଗତ ଅଙ୍ଗରବନ୍ଧ ଗ୍ରାମକୁ ଏନଜେନର ୪ ନଂ ସେକ୍ସନର ଜେଇ ଦୀପକ ପାତ୍ର ଏବଂ ଜଣେ ଲାଇନମ୍ୟାନ ରବିବାର ଦିନ ଗୋଟାଏ ବେଳେ ବକେୟା ବିଦ୍ୟୁତ୍ ବିଲ କଲେକ୍ସନ ପାଇଁ ଯାଇଥିଲେ ।
ଜେଇ ଶ୍ରୀ ପାତ୍ର ଏବଂ ଲାଇନମ୍ୟାନ ଅଙ୍ଗରବନ୍ଧ ଗ୍ରାମର ସୁଶାନ୍ତ ଦାସ (ସୁଶା)ଙ୍କ ଘରକୁ ବିଦ୍ୟୁତ୍ ବିଲ ମାଗିବାକୁ ଯାଇଥିଲେ । କିନ୍ତୁ ସୁଶାନ୍ତ ବକେୟା ବିଦ୍ୟୁ୍ତ୍ ବିଲ ଦେବାକୁ ମନା କରିଦେଇଥିଲେ । ଫଳରେ ଜେଇ ଶ୍ରୀ ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଲାଇନମ୍ୟାନ ସୁଶାନ୍ତଙ୍କ ଘରୁ ବିଦ୍ୟୁତ୍ ସଂଯୋଗ କାଟି ଦେଇ ପଳାଇ ଆସିଥିଲେ । ଜେଇ ଶ୍ରୀ ପାତ୍ର ଏବଂ ଲାଇନମ୍ୟାନ ସେଠାରୁ ଆସିବା ପରେ ଗାଁ ମଝିରେ ସୁଶାନ୍ତ ଏବଂ ତାର କେତେକ ସାଙ୍ଗ ମିଶି ଜେଇ ଶ୍ରୀ ପାତ୍ର ଏବଂ ଲାଇନମ୍ୟାନକୁ ମାଡ ମାରିବା ସହ ସେମାନଙ୍କ ଠାରୁ ମୋବାଇଲ ଫୋନ ଛଡାଇ ନେଇଥିଲେ । ଜେଇ ଶ୍ରୀ ପାତ୍ର ସେଠାରୁ ଆସି ଅନୁଗୁଳ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।
ଏହି ଖବର ଏନଜେନର ସମସ୍ତ କର୍ମଚାରୀ ଜାଣିବା ପରେ ସେମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଅଭିଯୁକ୍ତ ସୁଶାନ୍ତକୁ ଗିରଫ ଦାବୀରେ ଅପରାହ୍ନ ୪ଟା ସମୟରେ ଏନଜେନର ସମସ୍ତ ଜେଇ, ମିଟର ରିଡର, ଏବଂ ଲାଇନମ୍ୟାନ ପ୍ରମୁଖ ୫୦ ରୁ ଉର୍ଦ୍ଧ୍ୱ କର୍ମଚାରୀ ଅନୁଗୁଳ ଥାନା ସମ୍ମୁଖରେ ଦୀର୍ଘ ୨ ଘଟାଂ କାଳ ଧାରଣା ଦେଇଥିଲେ । ଦୁଇ ଘଟାଂ କାଳ ଧାରଣା ଦେବା ପରେ ଅଭିଯୁକ୍ତକୁ ଖୁବ ଶିଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ଧାରଣାକାରୀ କର୍ମଚାରୀ ମାନେ ଧାରଣାରୁ ନିବୃତ ରହିଥିଲେ ।