ଅନୁଗୁଳ: ଅନୁଗୁଳ ଜିଲ୍ଲା ଅନୁଗୁଳ-ଛେଣ୍ଡିପଦା ରାସ୍ତାର କଙ୍କରେଇ ନିକଟରେ ଛତୁ ବିକୁଥିବା ବେଳେ ସ୍କୋର୍ପିଓ ଚଢ଼ିଯିବା ଯୋଗୁଁ ୨ ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଛି । ଘଟଣାରୁ ପ୍ରକାଶ ଯେ, କଙ୍କରେଇ ଗାଁ ନିକଟରେ ରାସ୍ତା କଡରେ ବସି ଭାଇ ନୁଙ୍ଗୁରୁ ବେହେରା, ଭଉଣୀ ବୈଶାଖୀ ବେହେରା ଓ ଅନ୍ୟ ଜଣେ ଶିଶୁ ବସି ଜଙ୍ଗଲରୁ ଛତୁ ସଂଗ୍ରହ କରି ବିକ୍ରି କରୁଥିଲେ ।
ସେହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଓଆର.୦୨ବିୱାଇ-୮୭୭୮ ନଂ ବିଶିଷ୍ଟ ଏକ ସ୍କୋର୍ପିଓ ଗାଡି ଭାରସାମ୍ୟ ହରାଇ ସେମାନଙ୍କ ଉପରେ ଚଢ଼ିଯିବା ସହ ଗଛରେ ବାଡେଇ ହୋଇଯାଇଥିଲା । ଫଳରେ ଘଟଣା ସ୍ଥଳରେ ନୁଙ୍ଗୁରୁଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଭଉଣୀ ବୈଶାଖୀ,ଅନ୍ୟ ଶିଶୁ ଓ ଗାଡି ଡ୍ରାଇଭରକୁ ନିଶା ଶିଳ୍ପାଚଂଳ ପୁଲିସ ଗୁରୁତର ଆହତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲା । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ବୈଶାଖୀଙ୍କ ମଧ୍ୟ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି ।
ଏହି ଘଟଣାକୁ ନେଇ ଦୁର୍ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଉତେଜନା ପ୍ରକାଶ ପାଇଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ ଉତେଜନା ଲାଗିରହିଥିବାରୁ ପୁଲିସ ସେଠାରେ ପହଁଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବା ବେଳେ ଘଟଣାର ତଦନ୍ତ ଚଳାଇଥିବା ଜଣାଯାଇଛି ।