୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ₹୧୯୧୨.୯୯ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର
ବନ୍ୟା ଓ ଘୂର୍ଣ୍ଣିଝଡ଼ ‘ମୋଣ୍ଟା’ ପ୍ରଭାବିତ ଅଞ୍ଚଳକୁ କେନ୍ଦ୍ରୀୟ ସହାୟତା ଆନ୍ଧ୍ରରୁ ଜମ୍ମୁ-କାଶ୍ମୀର ପର୍ଯ୍ୟନ୍ତ ୬ ଅଞ୍ଚଳ ପାଇଁ କେନ୍ଦ୍ରର ଆର୍ଥିକ ସହାୟତା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜ୍ୟଙ୍କ ସହ କାନ୍ଧକୁ କାନ୍ଧ ମିଶାଇ କାମ କରୁଛି କେନ୍ଦ୍ର ୨୦୨୫-୨୬ ଆର୍ଥିକ ବର୍ଷରେ, ଏସଡିଆରଏଫ ଓ ଏନଡିଆରଏଫ ଅଧୀନରେ ରାଜ୍ୟମାନଙ୍କୁ କୋଟିକୋଟି ଟଙ୍କାର ସହାୟତା
By suvendra Pattanaik : କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚସ୍ତରୀୟ କମିଟି ୨୦୨୫ରେ ବନ୍ୟା, ଆକସ୍ମିକ ବନ୍ୟା, ବାଦଲଫାଟିବା, ଘୂର୍ଣ୍ଣିଝଡ଼ ‘ମୋଣ୍ଟା’ ଏବଂ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ଗୁଜରାଟ, ହିମାଚଳ ପ୍ରଦେଶ, ନାଗାଲାଣ୍ଡ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଏବଂ କାଶ୍ମୀର ପାଇଁ ୧,୯୧୨.୯୯ କୋଟି ଟଙ୍କାର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର କରିଛି।
ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି (ଏସଡିଆରଏଫ)ରେ ଉପଲବ୍ଧ ପ୍ରାରମ୍ଭିକ ଜମାରାଶିର ୫୦% ସମାୟୋଜନ ଉପରେ ଏହି କେନ୍ଦ୍ରୀୟ ସହାୟତା ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି (ଏନଡିଆରଏଫ)ରୁ ପ୍ରଦାନ କରାଯାଇଛି। ମୋଟ ଅନୁମୋଦିତ ପରିମାଣ ୧,୯୧୨.୯୯ କୋଟି ଟଙ୍କା ମଧ୍ୟରୁ ଆନ୍ଧ୍ର ପ୍ରଦେଶ ପାଇଁ ୩୪୧.୪୮ କୋଟି, ଛତିଶଗଡ଼ ପାଇଁ ୧୫.୭୦ କୋଟି, ଗୁଜରାଟ ପାଇଁ ୭୭୮.୬୭ କୋଟି, ହିମାଚଳ ପ୍ରଦେଶ ପାଇଁ ୨୮୮.୩୯ କୋଟି, ନାଗାଲାଣ୍ଡ ପାଇଁ ୧୫୮.୪୧ କୋଟି ଏବଂ ଜାମ୍ମୁ ଏବଂ କାଶ୍ମୀର ପାଇଁ ୩୩୦.୩୪ କୋଟି ଟଙ୍କା ମଞ୍ଜୁର କରାଯାଇଛି।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ଭାରତ ସରକାର ପ୍ରାକୃତିକ ବିପର୍ଯ୍ୟୟ ଏବଂ ବିପର୍ଯ୍ୟୟ ସମୟରେ ରାଜ୍ୟ ସରକାରଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଠିଆ ହେଉଛନ୍ତି ଓ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦେଉଛନ୍ତି।
ଏହି ଅତିରିକ୍ତ ସହାୟତା ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି (ଏସଡିଆରଏଫ) ଅଧୀନରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପୂର୍ବରୁ ପ୍ରଦାନ କରିଥିବା ପାଣ୍ଠି ବ୍ୟତୀତ ପ୍ରଦାନ କରାଯିବ, ଯାହା ରାଜ୍ୟଗୁଡ଼ିକ ପାଖରେ ଖର୍ଚ୍ଚ ପାଇଁ ଏବେ ଉପଲବ୍ଧ ଅଛି। ୨୦୨୫-୨୬ ଆର୍ଥିକ ବର୍ଷରେ, କେନ୍ଦ୍ର ସରକାର ଏସଡିଆରଏଫ ଅଧୀନରେ ୨୮ଟି ରାଜ୍ୟକୁ ୨୦,୭୩୫.୨୦ କୋଟି ଟଙ୍କା ଏବଂ ଏନଡିଆରଏଫ ଅଧୀନରେ ୨୧ଟି ରାଜ୍ୟକୁ ୩,୬୨୮.୧୮ କୋଟି ଟଙ୍କା ପ୍ରଦାନ କରିଛନ୍ତି।
ଏହା ବ୍ୟତୀତ, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଏମଏଫ) ରୁ ୨୩ଟି ରାଜ୍ୟକୁ ୫,୩୭୩.୨୦ କୋଟି ଟଙ୍କା ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନଡିଏମଏଫ) ରୁ ୨୧ଟି ରାଜ୍ୟକୁ ୧,୧୮୯.୫୬ କୋଟି ଟଙ୍କା ପ୍ରଦାନ କରାଯାଇଛି।