– କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଅନୁପ୍ରିୟା ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗଦେବେ
– ୬୮୪ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ
– ଏମ୍ସ ଭୁବନେଶ୍ୱରରେ ସ୍ଥାପିତ ହେବ ନବଜାତ ଶଲ୍ୟଚିକିତ୍ସା ଆଇସିୟୁ
ଭୁବନେଶ୍ୱର, ୧୭/୦୭/୨୦୨୬: ଏମ୍ସ ଭୁବନେଶ୍ୱର, ଚଳିତ ମାସ ୧୮ ଜୁଲାଇ, ୨୦୨୬ (ଶନିବାର) ଦିନ ଏହାର ଷଷ୍ଠ ସମାବର୍ତ୍ତନ ସମାରୋହ ପାଳନ କରିବ। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଏବଂ ରସାୟନ ଏବଂ ସାର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଅନୁପ୍ରିୟା ପଟେଲ ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବାନେଇ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ପୂର୍ବାହ୍ନ ୧୦ ଘଟିକାରେ ଆରମ୍ଭ ହେବାକୁ ଥିବା ଏହି ଉତ୍ସବ ଅବସରରେ, ଶ୍ରୀମତୀ ପଟେଲ କୃତୀ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବେ। ଏନେଇ ସୂଚନା ପ୍ରଦାନ କରିଛନ୍ତି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ସିଇଓ ଡ. ଆଶୁତୋଷ ବିଶ୍ୱାସ।
ଏହି ସମାବର୍ତ୍ତନ ଉତ୍ସବରେ ମୋଟ ୬୮୪ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ସ୍ନାତକ ବ୍ୟାଚରେ ୧୯୨ ଜଣ ଏମ୍ବିବିଏସ ଛାତ୍ରଛାତ୍ରୀ, ୧୬୩ ଜଣ ଏମ୍ଡି/ଏମ୍ଏସ, ୬୦ ଜଣ ଡିଏମ୍/ଏମ୍ସିଏଚ୍, ୧୭ ଜଣ ପୋଷ୍ଟ-ଡକ୍ଟରାଲ୍ ଫେଲୋ (ପିଡିଏଫ୍), ୪ ଜଣ ପିଏଚ୍ଡି ସ୍କଲାର, ୧୩୪ ଜଣ ବିଏସ୍ସି (ଅନର୍ସ) ନର୍ସିଂ ଛାତ୍ରଛାତ୍ରୀ, ୭୫ ଜଣ ବିଏସ୍ସି (ଅନର୍ସ) ପାରାମେଡିକାଲ୍ ଏବଂ ୩୯ ଜଣ ଏମଏସ୍ସି ନର୍ସିଂ ଛାତ୍ରଛାତ୍ରୀ ଅଛନ୍ତି। ଶ୍ରେଷ୍ଠ ଶିକ୍ଷାଗତ ପ୍ରଦର୍ଶନ ପାଇଁ ୩୨ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ୬୧ ଟି ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ, ଡ. ମୁକେଶ ମହାଲିଙ୍ଗ ଏବଂ ଭୁବନେଶ୍ବର ସାଂସଦ (ଲୋକସଭା), ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଅତିଥି ଭାବେ ଯୋଗଦେବା ନେଇ ସୂଚନା ଦେଇଛନ୍ତି ଡ. ବିଶ୍ୱାସ।
ଏନେଇ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ. ଦିଲ୍ଲୀପ କୁମାର ପରିଡ଼ା (ଡିନ୍, ଏକାଡେମିକ୍), ଡ. ମନସ୍ୱିନୀ ମଙ୍ଗରାଜ (ଡିନ୍, ପରୀକ୍ଷା), ଡ. ବୈଜୟନ୍ତୀମାଳା ମିଶ୍ର (ଡିନ୍, ଗବେଷଣା), ଡ. ପ୍ରଭାସ ରଞ୍ଜନ ତ୍ରିପାଠୀ (ମେଡିକାଲ୍ ଅଧୀକ୍ଷକ), ଡ. ସୁଦୀପ୍ତ ରଞ୍ଜନ ସିଂହ (କୁଳସଚିବ), ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଭିଜିତ ସରକାର (ଡିଡିଏ), ଡ. ମନୋଜ କୁମାର ମହାନ୍ତି, ଡ. ସଞ୍ଜୟ କୁମାର ଗିରି, ଡ. ସୌଭାଗ୍ୟ କୁମାର ଜେନା ଏବଂ ଡ. ବି. ବି. ତ୍ରିପାଠି ପ୍ରମୁଖ ଉପସ୍ଥିତ ଥିଲେ।
ଉନ୍ନତ ରୋଗୀ ସେବା ପ୍ରତି ଏହାର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରି, ଏମ୍ସ ଭୁବନେଶ୍ୱର ସମ୍ପ୍ରତି ଶିଶୁ ଶଲ୍ୟଚିକିତ୍ସା (ପେଡିଆଟ୍ରିକ୍ସ ସର୍ଜରୀ) ବିଭାଗ ଅଧୀନରେ ଏକ ଉତ୍ସର୍ଗୀକୃତ ନବଜାତ ଶଲ୍ୟଚିକିତ୍ସା ୟୁନିଟ୍ (ନିଓନାଟାଲ୍ ସର୍ଜିକାଲ୍) ଆଇସିୟୁ ପ୍ରତିଷ୍ଠା କରାଯିବା ନେଇ ସୂଚନା ଦେଇଛନ୍ତି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ। ଜଟିଳ ଶଲ୍ୟଚିକିତ୍ସା ଆବଶ୍ୟକ କରୁଥିବା ନବଜାତ ଶିଶୁଙ୍କ ଯତ୍ନ କ୍ଷେତ୍ରରେ ଏହି ବ୍ୟବସ୍ଥା ପ୍ରମୁଖ ମାଧ୍ୟମ ପାଲଟିବ। ଏହି ନୂତନ ୟୁନିଟ୍ ଜନ୍ମଗତ ଶଲ୍ୟଚିକିତ୍ସା ସ୍ଥିତି ସହିତ ଗୁରୁତର ଅସୁସ୍ଥ ନବଜାତ ଶିଶୁଙ୍କ ପାଇଁ, ବିଶେଷକରି ପ୍ରତିଷ୍ଠାନ ବାହାରୁ ରେଫର୍ କରାଯାଇଥିବା ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ପୂର୍ବ ଏବଂ ପରବର୍ତ୍ତୀ ଶଲ୍ୟଚିକିତ୍ସା ଏବଂ ବ୍ୟାପକ ବହୁବିଧ ପରିଚାଳନା ପ୍ରଦାନ କରିବ। ଏହି ପଦକ୍ଷେପ ଦ୍ୱାରା ନବଜାତ ଶିଶୁଙ୍କ ପାଇଁ ଉନ୍ନତ ଶଲ୍ୟଚିକିତ୍ସା ସେବାର ବିଶେଷ ସୁବିଧା ସହିତ ଏମ୍ସ ଭୁବନେଶ୍ବରକୁ ପୂର୍ବ ଭାରତରେ ଏକ ଅଗ୍ରଣୀ ରେଫରାଲ୍ କେନ୍ଦ୍ର ଭାବରେ ସୁପରିଚିତ କରାଇପାରିବ ବୋଲି ଡ. ବିଶ୍ବାସ ମତବ୍ୟକ୍ତ କରିଛନ୍ତି।
