Odisha news

ଓଡିଆ ପ୍ରବାସୀଙ୍କୁ ନେଇଯାଉଥିବା ଗାଡି ଦୁର୍ଘଟଣାଗ୍ରସ୍ତ: ୬ ଜଣ ଗୁରୁତର

0

ଠାକୁରଗଡ଼: ବୁଧବାର ରାତିରେ ବଇଣ୍ଡା-ଆଠମଲ୍ଲିକ ପୂର୍ତ ବିଭାଗ ରାସ୍ତାର ଠାକୁରଗଡ଼ ଥାନା ଷୋଳପଦା ମହାବିଦ୍ୟାଳୟ ପରିସରରେ ଆନ୍ଧ୍ରରୁ ଫେରନ୍ତା ଓଡିଆ ପ୍ରବାସୀ ଶ୍ରମିକଙ୍କୁ ନେଇ ଆସୁଥିବା ଏକ ଗାଡି (ୱିଙ୍ଗର) ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ୬ ଜଣ ଗୁରୁତର ଆହାତ ହୋଇଥିବା ବେଳେ ୯ ଜଣ ସାମାନ୍ୟ ଆହାତ ହୋଇଥିଲେ ।

ସେମାନଙ୍କୁ ଠାକୁରଗଡ଼ ପୁଲିସ ଓ ଠାକୁରଗଡ଼ ୟୁଥ ପାୱାର କ୍ଲବ ପକ୍ଷରୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଘଟଣାରୁ ଜଣାପଡିଛି ଯେ, ଆନ୍ଧ୍ରରୁ ୧୪ ଜଣ ଓଡିଆ ଶ୍ରମିକ ପାଦରେ ଚାଲି ଚାଲି ସେମାନଙ୍କ ଘର ଅନୁଗୁଳ ଜିଲ୍ଲା ଅଭିମୁଖେ ବୋଦ୍ଧ ଦେଇ ଆସୁଥିଲେ । ସେମାନଙ୍କୁ ବୋଦ୍ଧ ଜିଲ୍ଲା ପ୍ରଶାସନ ଦେଖି ବୁଧବାର ସନ୍ଧ୍ୟାରେ ବୋଦ୍ଧରେ ଅଟକାଇଥିଲେ । ପରେ ବୋଦ୍ଧ ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ରାତି ୧୦ଟାରେ ଏକ ଓହି-୩୫-ବି-୫୩୧୮ ୱିଙ୍ଗର ଗାଡି ଯୋଗେ ଅନୁଗୁଳ ଜିଲ୍ଲା ଅଭିମୁଖେ ଆସିଥିଳେ ।

ଚାଳକଙ୍କ ସମେତ ୧୫ ଜଣ ଉକ୍ତ ଗାଡିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ପଡିବାରୁ ଷୋଳପଦା ମହାବିଦ୍ୟାଳୟ ନିକଟରେ ଏକ ଗଛରେ ପିଟି ହୋଇ ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଖବର ପାଇ ଘଟଣା ସ୍ଥଳରେ ଠାକୁରଗଡ଼ ଆଇ ଆଇ ସି ଗବାକ୍ଷ ନାୟକ, ସେକେଣ୍ଡ ଅଫିସର ସୁରେଶ ଚନ୍ଦ୍ର ବେହେରା ପହଁଚିଂ ୧୦୮ ଆମ୍ବୁଲାନ୍ସ କୁ ସୂଚନା ଦେଇଥିଲେ ।

କିଛି ସମୟ ପରେ ଘଟଣା ସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଁଚିଂ ଥିଲେ ମଧ୍ୟ ଆନ୍ଧ୍ର ଫେରନ୍ତା ଓଡିଆ ଶ୍ରମିକ ହୋଇଥିବାରୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାକୁ ଅମଙ୍ଗ ହୋଇଥିଲା । ପରେ ଅନୁଗୁଳ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ ପରେ ଏକ ଯାତ୍ରୀବାହୀ ବସ ଯୋଗେ ସମସ୍ତଙ୍କୁ ଅନୁଗୁଳ ଅଭିମୁଖେ ନିଆଯାଇଥିଲା । ଠାକୁରଗଡ଼ ପୁଲିସ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିବା ସହ ଏ ସଂକ୍ରାନ୍ତରେ ନଂ-୬୧/୨୦ରେ ଏକ ମାମଲା ରୁଜୁ କରାଯାଇଛି ।

Leave A Reply