Odisha news

ପର ଠାରୁ ଗାଡି ମାଗି ଚଳାଇବା ମାହାଙ୍ଗା ପଡିଲା : ପୁଅ ପାଇଁ ବାପାର ଆତ୍ମହତ୍ୟା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):  ପରଠାରୁ ଗାଡି ମାଗି ଆଣି ଦୁର୍ଘଟଣାର ଶୀକାର ହେଲା ପୁଅ। ଭାଙ୍ଗିରୁଜି ଗଲା ଦାମିକା ବାଇକ। ଗାଡି ମାଲିକକୁ  କ୍ଷତିପୁରଣ ଦେଇ ନ ପାରି ବାପା କିଛି ଉପାୟ ନ ପାଇ କୀଟନାଶକ ପିଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛି । ଏଭଳି ଦୁଃଖଦ ଘଟଣା ଘଟିଛି, କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା କିଲୁପଙ୍ଗା ଗ୍ରାମରେ।ସୂଚନା ପ୍ରକାରେ, ଏହି ଗ୍ରାମର ନବ କିଶୋର କହଁରଙ୍କ ପୁଅ ତାର ଜଣେ ସାଙ୍ଗଠାରୁ ଏକ ଦାମିକା ବାଇକ ମାଗି ଆଣିଥିଲା। ତେବେ ସଉକରେ ଏହି ଗାଡି ଚଳାଇବା ବେଳେ  ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇ ଭାଙ୍ଗିରୁଜି ଯାଇଥିଲା। ଏହି ଘଟଣା ପରେ ଗାଡି ମାଲିକ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ମାଗିଥିଲେ ଦୁର୍ଘଟଣା ଘଟାଇଥିବା ଯୁବକର ବାପା ନବ କିଶୋରଙ୍କୁ। କିନ୍ତୁ ଏତେ ଟଙ୍କା ଦେବାର ସାମର୍ଥ୍ୟ ନଥିଲା ନବକିଶୋରଙ୍କର। ଏହାକୁ ନେଇ ନବଙ୍କ ପରିବାର ଭିତରେ ବାପ ପୁଅ ଭିତରେ ମନାନ୍ତର ହୋଇଥିଲା। ରାତିରେ ଖାଇ ପିଇ ଅଲଗା ଘରେ ଶୋଇଥିଲେ ନବ କିଶୋର। ରାତି ପ୍ରାୟ ୧୨ଟା ବେଳେ ପରିବାର ଲୋକେ ଡାକିବାରେ ଦୁଆର ଖୋଲିଥିଲେ ନବ। ତେବେ ସେତେବେଳକୁ ସେ କୀଟନାଶକ ପିଇ ଦେଇଥିବା ଜଣାପଡିଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ସଂପୃକ୍ତ ଅଞ୍ଚଳ ରେ ଶୋକର ଛାୟା ଖେଳାଇ ଦେଇଛି । ଗୋଚ୍ଛାପଡା ପୁଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ୨ା୨୧ ରୁଜୁ କରି ତଦନ୍ତ ଚଲାଇଥିବା ଥାନା ଅଧିକାରୀ ତୃପ୍ତି ରଞ୍ଜନ ନାୟକ ଜଣାଇଛନ୍ତି।

Ad2

Comments are closed.