ସୌରଚନ୍ଦ୍ର ମହାପାତ୍ର : ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ସାନ୍ନିଧ୍ୟ ପାଇ ତାଙ୍କ ସହ ବର୍ଷ ବର୍ଷ ଧରି ଅନେକ ଦିବ୍ୟଲୀଳାରେ ସାମିଲ ହେବାର ଅପୂର୍ବ ସୁଯୋଗ ପାଇଥିଲେ ସ୍ୱାମୀ କାରୁଣ୍ୟାନନ୍ଦ । “ସତ୍ୟଂ ଶିବଂ ସୁନ୍ଦରମ୍’ ପୁସ୍ତକରେ ମଧ୍ୟ ବାବାଙ୍କ ଜୀବନ ରଚୟିତା ଏନ୍.କସ୍ତୁରୀ ଅନେକ ଘଟଣାବଳୀରେ ସ୍ୱାମୀ କାରୁଣ୍ୟାନନ୍ଦଙ୍କ ସମ୍ପର୍କରେ ସ୍ମରଣୀୟ ଘଟଣା ସବୁ ଲେଖି ଯାଇଛନ୍ତି । ଶ୍ରୀ କାରୁଣ୍ୟାନନ୍ଦ ସ୍ୱାମୀ କିଛି ବର୍ଷ ତିରୁବଣମଲାଇରେ ରମଣ ମହର୍ଷିଙ୍କ ପାଖରେ ଥିଲେ । ପରେ ସେ ତିରୁପତି ନିକଟରେ ମାଲୟାଲା ସ୍ୱାମୀ ଆଶ୍ରମରେ ମଧ୍ୟ କିଛି ଦିନ ଅତିବାହିତ କରିଥିଲେ । ମାଲାୟାଲା ସ୍ୱାମୀ (ଶିବାନନ୍ଦ ସ୍ୱାମୀଙ୍କ ମାଧ୍ୟମରେ) ତାଙ୍କୁ ପୂର୍ବ ନାମ ଭେକଟସୁବ୍ବାୟା ବଦଳରେ କାରୁଣ୍ୟାନନ୍ଦ ନାମ ଦେଇଥିଲେ । କାରୁଣ୍ୟାନନ୍ଦ ରାଜମହେନ୍ଦ୍ରୀ ଠାରେ ଗୌତମୀ ଜୀବକାରୁଣ ସଙ୍ଘମ୍ ପ୍ରତିଷ୍ଠା କରିଥିଲେ । ଏହି ସଂଘର ଆଭିମୁଖ୍ୟ ଥିଲା ଦରିଦ୍ର ଓ ଅବହେଳିତମାନଙ୍କର ସେବା କରିବା । ବାବାଙ୍କୁ ସେତେବେଳେ ଦଶବର୍ଷ ହୋଇଥିଲା ଓ ସେ ତାଙ୍କର ଅବତାରତ୍ୱ ଉଦ୍ଘୋଷଣା କରିନଥିଲେ । ତଥାପି ଲୋକମାନେ ତାଙ୍କ ଚାରିପଟେ ଜମା ହେଉଥିଲେ ଯେହେତୁ ସେମାନେ ତାଙ୍କୁ ଏକ ଦିବ୍ୟ ବାଳକ ମନେ କରୁଥିଲେ । ବାବାଙ୍କ ଭଉଣୀ (ଭେଙ୍କଟାମ୍ମା) ଓ ଭିଣୋଇ ତୀର୍ଥଯାତ୍ରାରେ ଯିବାବେଳେ ବାଳକ ସତ୍ୟକୁ ସାଙ୍ଗରେ ନେଇଥିଲେ । ସତ୍ୟକୁ ଦେଖି ମହିଳାମାନେ ଈଶ୍ୱରପୁତ୍ର ବୋଲି ଡାକୁଥିଲେ । କାରୁଣ୍ୟାନନ୍ଦ ଏହା ଶୁଣିଲେ ଏବଂ ଭାବିଲେ, “ଏଥିରେ କି ନୂତନତା ଅଛି? ପ୍ରତ୍ୟେକ ହେଉଛନ୍ତି ଈଶ୍ୱରଙ୍କ ପୁତ୍ର, ଏ ବିଷୟରେ କିଛି ସ୍ୱତନ୍ତ୍ରତା ନାହିଁ ।’
୧୯୫୬ରେ ବାବା ରାଜମହେନ୍ଦ୍ରୀ ଯିବାବେଳେ ଜୀବକାରୁଣ୍ୟ ସଭା ଚାଲିଥାଏ । ଦିିନେ ସଭା ଶେଷରେ ଉଭୟ କାରୁଣ୍ୟାନନ୍ଦ ଓ ମାଲାୟାଲା ସ୍ୱାମୀ ସତ୍ୟସାଇ ବାବାଙ୍କ ଦର୍ଶନ କଲେ । ବାବା ତାଙ୍କୁ କାରୁଣ୍ୟାନନ୍ଦ ନାମରେ ଡାକିଲେ, ସତେ ଯେପରି ସେ ବାବାଙ୍କର ଦୀର୍ଘଦିନର ପରିଚିତ । ବାବା ତାଙ୍କୁ ପାଖକୁ ଆସିବାକୁ କହିଲେ । କାରୁଣ୍ୟାନନ୍ଦ ବାବାଙ୍କ ପାଖକୁ ଆସିଲେ ଏବଂ ତତ୍କ୍ଷଣାତ ବାବାଙ୍କ ପାଦତଳେ ପଡ଼ିଗଲେ । ସେତେବେଳେ ରାତି ଆଠଟା । ବାବା କହିଲେ, “ମୁଁ କାକିନାଡା ଯାଉଛି । ତୁମେ ମୋ ସାଙ୍ଗରେ ଯିବ କି?’ କାରୁଣ୍ୟାନନ୍ଦ ତତ୍କ୍ଷଣାତ କହିଲେ “ନିଶ୍ଚୟ ସ୍ୱାମୀ’ । ଦୁହେଁ କାକିନାଡା ଅଭିମୁଖେ ବାହାରିଲେ । ସେମାନଙ୍କର ଯାତ୍ରା କାଳରେ ଭଗବାନ ବିଶଦ ଭାବରେ କାରୁଣ୍ୟାନନ୍ଦଙ୍କ ଜୀବନ କାହାଣୀ ବର୍ଣ୍ଣନା କଲେ । କାରୁଣ୍ୟାନନ୍ଦ ସାନ ଥିବାବେଳେ କ’ଣ ହୋଇଥିଲା ତାହାର ବିଶଦ ବିବରଣୀ, ଯାହା ବାବା ୧୯୨୬ରେ ଜନ୍ମ ହେବାର ବହୁ ପୂର୍ବରୁ ଘଟିଥିଲା, ଏଥିରୁ କାରୁଣ୍ୟାନନ୍ଦ ବାବା ଅବତାର ବୋଲି ବୁଝିଗଲେ ।
୧୧ ନଭେମ୍ବର ୧୯୭୦ । ପ୍ରଶାନ୍ତି ନିଳୟମ୍ରେ ବାବାଙ୍କ ଜନ୍ମ ଦିନର ପୂର୍ବ କଥା । ଏକ ସାଧାରଣ ସଭାରେ କାରୁଣ୍ୟାନନ୍ଦ ଆହ୍ଲାଦର ସହ କହିଲେ, “ମୁଁ ନିକଟରେ ଘଟିଥିବା ଏକ ଚମକ୍ରାର କଥା କହିବାକୁ ଚାହୁଁଛି । ମୁଁ ଶ୍ରୀକାକୁଲମ୍କୁ ଆସୁଥିବାବେଳେ ଜଣେ ଅନାଥ ଓ ଗର୍ଭବତୀ ନାରୀକୁ ଦେଖିଲେ । ମୁଁ ତାଙ୍କୁ ଆଣି ରାଜମହେନ୍ଦ୍ରୀରେ ଜୀବ କାରୁଣ୍ୟ ସଙ୍ଘମ୍ ଚିକିତ୍ସାଳୟରେ ଭର୍ତ୍ତି କରାଇଲି । ଖାଦ୍ୟ ଓ ଔଷଧ ଫଳରେ ସେ ଟିକିଏ ଆରୋଗ୍ୟ ଲାଭ କଲା । ତାର ୩-୪ ଦିନରେ ପ୍ରସବ ହେବ ବୋଲି ଡାକ୍ତରମାନେ ମୋତେ କହିଲେ । ମହିଳାଟିକୁ ରକ୍ଷା କରିବାକୁ ମୁଁ ବାବାଙ୍କୁ ପ୍ରାର୍ଥନା କରି ଘରକୁ ଗଲି । ପରଦିନ ସକାଳେ ମୋତେ ଶୀଘ୍ର ଚିକିତ୍ସାଳୟକୁ ଆସିବାକୁ କୁହାଗଲା, ଯେହେତୁ ମହିଳା ଜଣକ ଗୋଟିଏ ସନ୍ତାନ ପ୍ରସବ କରିଥିଲା । ମାଆ ଓ ଶିଶୁ ଭଲ ଥିଲେ । ଅଲୌକିକ କଥା ହେଉଛି ଯେ ମହିଳାଟିର ପ୍ରସବ ସମୟରେ ନର୍ସ ଚିକିତ୍ସାଳୟରେ ନଥିଲା । କିଏ ତାର ଯତ୍ନ ନେଲା ବୋଲି ମୁଁ ପଚାରିବାରୁ ସେ ମୋତେ କହିଲା ଯେ ସେ ଯେତେବେଳେ ପ୍ରସବ ବେଦନା ସମୟରେ ଖୁବ ଦୁର୍ବଳ ଥିଲା ଓ କଥା କହିପାରିଲା ନାହିଁ, ଜଣେ ନର୍ସ ସେଠାକୁ ଆସିଲା, ଦୁଇଘଣ୍ଟା ରହିଲା, ପ୍ରସବ କରାଇଲା, ତାର ଓ ଶିଶୁଟିର ଯତ୍ନ ନେଲା ଓ ପଳାଇଗଲା । ପରବର୍ତ୍ତୀ ସମୟରେ କିଛି ସମୟ ପରେ କାର୍ଯ୍ୟରତ ନର୍ସ ଆସିଲା ଓ ଯାହା ଘଟିଛି ତାହା ଜାଣି ଆଶ୍ଚର୍ଯ୍ୟ ହେଲା । ମୁଁ ମହିଳାଟିକୁ ପ୍ରସବ କରାଇଥିବା ନର୍ସଟିର ଚେହେରା ବିଷୟରେ ପଚାରିଲା । ସେ ମୋତେ ନଡ଼ିଆ ଗଛ ପାଖରେ ଠିଆ ହୋଇଥିବାର ବାବାଙ୍କ ଫଟୋକୁ ଦେଖାଇଲା । ନର୍ସର ବହୁତ ବାଳ ଥିଲା ଏବଂ ସେ ଧଳାକନାରେ ଆଚ୍ଛାଦିତ ଏକ ଲାଲ ଗାଉନ ପିନ୍ଧିଥିଲା ବୋଲି ମଧ୍ୟ ସେ ମୋତେ କହିଲା । ଏକଥା ଶୁଣି ମୁଁ ମହିଳାଜଣକ ଖୁବ ଭାଗ୍ୟବାନ ବୋଲି ଭାବିଲି । ଆମେ ଏପରି ଅନେକ ଚମକ୍ରାର ଦେଖିଛେ ଏବଂ ଭବିଷ୍ୟତରେ ଅନେକ ଦେଖିବା । ଆମେ ତ୍ରେତାଯୁଗର ଋଷି ବା ଦ୍ୱାପର ଯୁଗର ଗୋପିକାମାନଙ୍କ ଠାରୁ ଅଧିକ ଭାଗ୍ୟବାନ । ଏହା ଆମେ ହଜାର ହଜାର ଜନ୍ମରେ କରିଥିବା ସତ୍କର୍ମର ଫଳ ଯେ ଆମେ ପ୍ରେମାବତାରଙ୍କ କୃପା ପାଇ ପାରିଛୁ ।
“ରାଜମହେନ୍ଦ୍ରୀରେ ବାବାଙ୍କର ଏକ କାର୍ଯ୍ୟକ୍ରମ ସ୍ଥିର କରାଗଲା । ଆମେ ବାବାଙ୍କ ସହ କୋବୁରୁରେ ପହଞ୍ଚôଲୁ ଏବଂ ନଦୀ ପାର ହେବାକୁ ଅପେକ୍ଷା କରିଥିଲୁ । ସେ ସମୟରେ ଗୋଦାବରୀରେ ବନ୍ୟା ଆସିଥାଏ । ଜଳ ଭୟଙ୍କର ଭାବରେ ପ୍ରବାହିତ ହେଉଥାଏ ଏବଂ ରେଳ ପୋଲକୁ ଛୁଇଁଥାଏ । ବନ୍ୟା ଭୟଙ୍କର ଥିବାରୁ ରେଳଗାଡ଼ି, ନୌକା ଓ ଷ୍ଟିମର ସବୁ ବନ୍ଦ କରାଯାଇଥାଏ । ପଶ୍ଚିମ ଗୋଦାବରୀ ଜିଲ୍ଲାପାଳ କୋବୁରରେ ରହି ଅବସ୍ଥାର ଅନୁଧ୍ୟାନ କରୁଥାନ୍ତି । “ଏହି ପରିସ୍ଥିତିରେ ଆମେ ବାବାଙ୍କ ସହ ଏକ ଷ୍ଟିମରରେ ଯାଉଥାଉ । ନଦୀ ପାରିହେବା ବିପଜ୍ଜନକ ଥିବାରୁ ଆମ ଯାତ୍ରୀ ରୋକିବା ପାଇଁ ଅଧିକାରୀମାନେ ଚେଷ୍ଟା କଲେ । କିନ୍ତୁ ସ୍ୱାମୀ ଜିଦ କଲେ । ଅଧିକାରୀମାନେ ଆମଠାରୁ ଏକ ଘୋଷଣା ନେବା ପରେ ହିଁ ଆମକୁ ଅନୁମତି ଦେଲେ । ନୂତନ ସେତୁର ମଝିରେ ପହଞ୍ଚôବା ବେଳକୁ ଆମେ ଖୁବ୍ ଭୟଭୀତ ହୋଇଗଲୁ, କାରଣ ଜଳପ୍ରବାହ ଓ ରେଳ ପୋଲ ମଝିରେ କିଛି ସ୍ଥାନ ନଥାଏ । ଷ୍ଟିମର କିପରି ଏପଟୁ ସେପଟକୁ ଯାଇପାରିବ? ତାପରେ ବାବା ଆମକୁ ଆଖିବୁଜି ଭଜନ ବୋଲିବାକୁ କହିଲେ । ଆମେ ଆଖି ଖୋଲିଲା ବେଳକୁ ଷ୍ଟିମର ରେଳ ପୋଲ ଅତିକ୍ରମ କରି ରାଜମହେନ୍ଦ୍ରୀକୁ ଯାଉଥିବାର ଦେଖିଲୁ । ସବୁ ଭକ୍ତ ତାଳିମାରି ସେମାନଙ୍କର ଆନନ୍ଦ ପ୍ରକଟ କଲେ । ଏପରି ଅନେକ ଦୃଷ୍ଟାନ୍ତ ଅଛି ଯାହା ସ୍ୱାମୀଙ୍କର ଅଲୌକିକ ଶକ୍ତି ପ୍ରକଟ କରେ । ୧୯୬୩ରେ ମୁଁ ତାଞ୍ଜାବୁର ଯାଇଥିଲି ଏବଂ ସରସ୍ୱତୀ ପାଠାଗାରରେ ଏକ ନାଡି ଗ୍ରନ୍ଥ ଦେଖିଲି । ସେହି ଗ୍ରନ୍ଥରେ ଉଲ୍ଲେଖ ଥିଲା – ପାଣ୍ଡବ ବନବାସ ସମୟରେ ମାର୍କଣ୍ଡେୟ ମହର୍ଷି ଧର୍ମରାଜଙ୍କ ଆଗରେ ମହାବିଷ୍ଣୁଙ୍କ ଅବତାର ବିଷୟରେ ବର୍ଣ୍ଣନା କରିଥିଲେ । ଆଉ ସେହି ଭଗବାନ କଳିଯୁଗରେ ସମସ୍ତ ଦିବ୍ୟଶକ୍ତି ସହ ସତ୍ୟସାଇ ଭାବରେ ଆସିବେ । ଆଜିବି ଅନେକ ସାଇଆଶ୍ରିତ ଶ୍ରଦ୍ଧାଳୁ ବିଭିନ୍ନ ପୁସ୍ତକ ଭିତରେ ସ୍ୱାମୀ କାରୁଣ୍ୟାନନ୍ଦଙ୍କ ଦିବ୍ୟ ଅନୁଭୂତି ସବୁ ମନେପକାଉଛନ୍ତି ।