Odisha news

ଅଭିନନ୍ଦନମ୍ ସେନାର ଉପମୁଖ୍ୟ ଓଡ଼ିଆ ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି

0

ବିପିନ ବିହାରୀ ରାଉତ : ସମଗ୍ର ଭାରତର ସେନାବାହିନୀରେ ଓଡ଼ିଆପୁଅ ମାନେ ରାଜ୍ୟବାସୀଙ୍କ ସୁନାମ ବଢ଼ାଇବାରେ ଲାଗିଛନ୍ତି । ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱର ସୁରକ୍ଷା ଦେଉଥିବା ଆମ ବୀର ଦେଶପ୍ରେମୀ ଯବାନମାନଙ୍କ ବୀରତ୍ୱ ଗାଥା ଯେତେ ପ୍ରଶଂସା କଲେ ମଧ୍ୟ କମ୍ ହେବ । ଓଡ଼ିଆ ପୁଅ ଚଣ୍ଡୀ ପ୍ରସାଦ ମହାନ୍ତି ସେନାବାହିନୀର ଉପମୁଖ୍ୟ ହେବା ପାଇଁ ଯାଉଛନ୍ତି । ଜଗତ୍ସିଂହପୁର ଜିଲ୍ଲା ଜୟବଡ ଗ୍ରାମରେ ଜନ୍ମିତ ଶ୍ରୀ ମହାନ୍ତିଙ୍କ ବାପା ଜିତେନ୍ଦ୍ର କିଶୋର ମହାନ୍ତି ଜଣେ ଅବସର ପ୍ରାପ୍ତ ସବ୍ରେଜିଷ୍ଟାର, ମାଆ ଶାରଦା ମହାନ୍ତି ତିନିବର୍ଷ ପୂର୍ବରୁ ତାଙ୍କର ଅକାଳ ପରଲୋକ ଘଟିଛି । ଜିତେନ୍ଦ୍ର ବାବୁ କଟକର ଝାଞ୍ଜିରୀମଙ୍ଗଳାର ବାସିନ୍ଦା ହୋଇଥିବାବେଳେ ତିନିଭାଇଙ୍କ ଭିତରେ ଚଣ୍ଡୀପ୍ରସାଦ ହେଉଛନ୍ତି ମଝିଆଁ ପୁଅ । ତାଙ୍କ ବାଲ୍ୟଶିକ୍ଷା ସ୍ଥାନୀୟ ପ୍ରାଟିସିଂ ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ ହୋଇଥିଲା । ପରେ ସେ ବାଗସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼ିଥିଲେ । ତୁଳସୀ ଦୁଇପତ୍ରରୁ ବାସିବା ପରି ତାଙ୍କ ଅଧ୍ୟୟନ ନିଷ୍ଠାର ପ୍ରତିଭା ଖୁବ୍ କମ ବୟସରୁ ଜଣାପଡ଼ିଥିଲା ।

ଷଷ୍ଠ ଶ୍ରେଣୀ ପରେ ସେ ସର୍ବଭାରତୀୟ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରି ପରବର୍ତ୍ତୀ ସମୟରେ ରାଷ୍ଟ୍ରୀୟ ଇଣ୍ଡିଆନ୍ ମିଲିଟାରୀ କଲେଜରେ ପଢ଼ିଥିଲେ । ସେ ସର୍ବଭାରତୀୟ ସ୍ତରର ନ୍ୟାସନାଲ ଡିଫେନ୍ସ ଏକାଡ଼େମୀରେ କୃତୀତ୍ୱ ହାସଲ କରି ଭାରତୀୟ ସେନାବାହିନୀରେ ତାଙ୍କ କର୍ମମୟ ଜୀବନ ଆରମ୍ଭ କରିଥିଲେ । ସ୍ଥଳ ସେନାରେ ସେ ପ୍ରାଥମିକ ଚାକିରୀ ବେଳେ ପାକିସ୍ଥାନ ଓ ଚୀନ ସୀମାରେ କାର୍ଯ୍ୟ କରିବାରେ ବିଶେଷ ଅଭିଜ୍ଞତା ହାସଲ କରିଛନ୍ତି । ସେ ଦକ୍ଷିଣ ପୂର୍ବ କମାଣ୍ଡରେ ଜେନେରାଲ ଅଫିସର କମାଣ୍ଡିଂ ଇନ୍ଚିଫ୍ ଭାବେ କାର୍ଯ୍ୟ କରୁଛନ୍ତି ।
ଅନେକ ହୁଏତ ଜାଣିନାହାନ୍ତି ସେ ହେଉଛନ୍ତି ସବୁଠାରୁ ବରିଷ୍ଠ ଓଡ଼ିଆ ଆର୍ମି ପଦାଧିକାରୀ ଓ ଏକମାତ୍ର ଓଡ଼ିଆ ଲେପ୍ଟନାଣ୍ଟ ଜେନେରାଲ । ଚଣ୍ଡୀ ପ୍ରସାଦ ମହାନ୍ତିଙ୍କ ସେନାବାହିନୀର କର୍ମମୟ ଜୀବନ ଦେଶ ମାଆ ପାଇଁ ସମର୍ପିତ ଓ ପ୍ରଶଂସନୀୟ ।

ଜେନେରାଲ ମହାନ୍ତି ଦୀର୍ଘ ୩୮ ବର୍ଷ ଧରି ତାଙ୍କ ଦୃଢ଼ କର୍ତ୍ତବ୍ୟ ନିଷ୍ଠା ବୃତ୍ତିଗତ ଜୀବନ ଭିତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଥିବା ଜାମ୍ମୁ-କାଶ୍ମୀର ଏଲଓସିରେ ରାଜପୁତ ବାଟାଲିୟାନର ନେତୃତ୍ୱ ନେଇ ଆକାଶ ଛୁଅାଁ ସଫଳତା ପାଇଛନ୍ତି । କେବଳ ସେତିକି ନୁହେଁ ଆତଙ୍କବାଦର ସମ୍ମୁଖୀନ ହେଉଥିବା ଉତ୍ତର ପୂର୍ବ ଭାରତରେ ମଧ୍ୟ ସେ ଅତ୍ୟନ୍ତ ବୀରତ୍ୱର ସହ ସେ ସଫଳତା ସାଉଁଟି ବାଟାଲିୟାନର ନେତୃତ୍ୱ ନେଇଛନ୍ତି । ମିଲିଟାରୀ ଆଡଭାଇଜର ଭାବେ ସେ ସେଚଲସରେ ମଧ୍ୟ କିଛି ଦିନ ପାଇଁ ଅବସ୍ଥାପିତ ହୋଇଥିଲେ ।

ପରେ ଆର୍ମି ମୁଖ୍ୟାଳୟର ଏମ୍ସ ବ୍ରାଖରେ ସଫଳତାର ସହ ଦାୟିତ୍ୱର ପରାକାଷ୍ଠତା ପ୍ରମାଣିତ କରିପାରିଥିଲେ । ବ୍ରିଗେଡ଼ିୟର ଭାବେ ତାଙ୍କୁ ସରକାରୀ ପଦୋନ୍ନତି ମିଳିବା ପରେ ସେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ କୁହାଯାଉଥିବା ଚୀନ ସୀମାରେ ଓ ଅରୁଣାଚଳ ପ୍ରଦେଶରେ ବି୍ରଗେଡ କମାଣ୍ଡର ଭାବେ କାର୍ଯ୍ୟ କରିଥିଲେ । ଏହାପରେ ଉତ୍ତର ପୂର୍ବ ସୀମାରେ ବିଜିଏସ୍ ଅପ୍ସ ରୂପେ ସୂଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ । ଭାରତୀୟ ଶାନ୍ତିସେନାର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର କଙ୍ଗୋ ରାଷ୍ଟ୍ରରେ ଜାତିସଂଘ ସୁରକ୍ଷା ବଳ ଦାୟିତ୍ୱ ନିର୍ବାହ ସମୟରେ ସେ ଏହି ଗୁରୁଦାୟିତ୍ୱ ନିର୍ବାହ କରିଥିଲେ ।
ମେଜର ଜେନେରାଲ ଭାବେ ଅପରେସନ ରାଇନୋ ସମୟରେ ଜେନେରାଲ ମହାନ୍ତି ଡିଭିଜନର କମାଣ୍ଡର ଭାବେ ୨୦୧୪ର ବୋଡ଼ୋ ଗଣହତ୍ୟା, ପରବର୍ତ୍ତୀ ପର୍ଯ୍ୟାୟରେ ଆତଙ୍କବାଦକୁ ଦୃଢ଼ହସ୍ତରେ ଦମନ କରିବାର ସମସ୍ତ ଶ୍ରେୟ ତାଙ୍କ ନାମରେ ରହିଥିଲା । ଯୋଧପୁର ସବ୍ ଏରିଆର କମାଣ୍ଡର ଭାବେ ସେ ମଧ୍ୟ ଅତ୍ୟନ୍ତ ନିଷ୍ଠାର ସହ ଦାୟିତ୍ୱ ତୁଲାଇଥିଲେ ।

ପୁନଶ୍ଚ ଲେପ୍ଟନାଣ୍ଟ ଜେନେରାଲ ଭାବେ ପଦୋନ୍ନତି ପାଇ ସେ ଆର୍ମି ମୁଖ୍ୟାଳୟରେ ଡିଜି ଅପରେସନାଲ ଲଜିଷ୍ଟିକ ଓ ଷ୍ଟ୍ରାଟେଟିଜ୍ ମୋଭ ରୂପେ କାର୍ଯ୍ୟ କରିଥିଲେ । ପେବଲାମ୍ ସମସ୍ୟା ସମୟରେ ସମଗ୍ର ଇଣ୍ଡିଆନ ଆର୍ମିର ଷ୍ଟ୍ରାଟେଜିକ ମୋଭମେଣ୍ଟରେ ସେ ଅଗ୍ରଣୀ ଭୂମିକା ନିଭାଇଥିଲେ । ଚୀନ ସୀମାରେ ଅବସ୍ଥାପିତ ସମ୍ବେଦନଶୀଳ ତ୍ରିଶକ୍ତି କୋରର କମାଣ୍ଡର ରୂପେ ସୁକୁମାରେ ପ୍ରତିକୂଳତା ଭିତରେ କାର୍ଯ୍ୟ କରି ବେଶ ଚର୍ଚ୍ଚିତ ହେବା ସହ ଖ୍ୟାତି ଅର୍ଜନ କରିଥିଲେ । ନିଜର ଦକ୍ଷତା, କର୍ମକୁଶଳତା ଓ ପାରଙ୍ଗମ ଆର୍ମି ଅଫିସର ଭାବେ ସେ ବେଶ ସୁନାମ ଅର୍ଜନ କରିଛନ୍ତି । ତାଙ୍କ ସେନାବାହିନୀରେ ଉତ୍ସର୍ଗୀକୃତ ସେବା, ଦୃଢ଼ ନିଷ୍ଠା, ସମର୍ପିତ ସେବା ପାଇଁ ସରକାର ତାଙ୍କୁ ଅତି ବିଶିଷ୍ଟ ସେବା ମେଡ଼ାଲ, ସେନା ମେଡ଼ାଲ ଓ ବିଶିଷ୍ଟ ସେବା ମେଡାଲ ସମ୍ମାନରେ ସମ୍ମାନିତ କରିଛନ୍ତି ।

ସେ ହେଉଛନ୍ତି ଅବସରପ୍ରାପ୍ତ ବରିଷ୍ଠ ସରକାରୀ ଅଧିକାରୀ ଜିତେନ୍ଦ୍ର କିଶୋର ମହାନ୍ତି ଓ ସ୍ୱର୍ଗତଃ ପ୍ରଫେସର ସାରଦା ମହାନ୍ତିଙ୍କ ଜ୍ୟେଷ୍ଠ ପୁତ୍ର । ଏଠାରେ ସହୃଦୟ ପାଠକ ମାନଙ୍କୁ ଆମେ ସୂଚୀତ କରୁଛୁ କି ଯେ ଲେପ୍ଟନାଣ୍ଟ ଜେନେରାଲ ମହାନ୍ତି ହେଉଛନ୍ତି ଆର୍ମି କମାଣ୍ଡର (ଜିଓସିଇନ୍ସି)ରୂପେ ଦ୍ୱିତୀୟ ଓଡ଼ିଆ ଅଫିସର । ଜଣେ କୃତୀ ଓ ସୁନାମଧନ୍ୟ ଓଡ଼ିଆ ପୁଅଙ୍କ ଭାରତର ସେନାବାହିନୀରେ ସମସ୍ତଙ୍କୁ ଗର୍ବିତ କଲାପରି ପଦୋନ୍ନତି କୋଟି କୋଟି ଓଡ଼ିଆଙ୍କୁ ଆନନ୍ଦ ପ୍ରଦାନ କରିଛି । ତାଙ୍କର ସେନାବାହିନୀରେ ଅପୂର୍ବ ତ୍ୟାଗ, ନିଷ୍ଠା, ବୃତ୍ତିଗତ ପାରଦର୍ଶିତା ସେ ଆହୁରି ବଢ଼ାଇ ଚାଲନ୍ତୁ ଏହା ହିଁ କୋଟି କୋଟି ଓଡ଼ିଶାବାସୀଙ୍କ ସହ ତାଙ୍କ ପାଇଁ ଆମର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ।

Leave A Reply