ସୌର ଚନ୍ଦ୍ର ମହାପାତ୍ର : ୧୮୯୯ ସେପ୍ଟେମ୍ବର ମାସରେ ସ୍ୱାମୀ ବିବେକାନନ୍ଦ କାଶ୍ମୀରରେ ଅମରନାଥଙ୍କ ଦର୍ଶନ ପରେ ଶ୍ରୀନଗରର କ୍ଷୀର ଭବାନୀ ମନ୍ଦିରରେ ପହଞ୍ଚôଲେ । ସେଠାରେ ସେ ମା’ କାଳୀଙ୍କୁ ସ୍ମରଣ କରି ସମାଧି ନେଲେ । ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ସେ ନବରାତ୍ରୀରେ ଏକାନ୍ତ ସାଧନା କରିଥିଲେ । ସ୍ୱାମୀଜୀ ପ୍ରତିଦିନ ବାଳିକା ରୂପରେ ମା’କାଳୀଙ୍କ ଦର୍ଶନ କରୁଥିଲେ ଏବଂ ତାଙ୍କର ପୂଜା କରୁଥିଲେ । ସ୍ୱାମୀ ବିବେକାନନ୍ଦ କହୁଥିଲେ, ବ୍ରହ୍ମ ଏବଂ କାଳୀ, ଈଶ୍ୱର ଏବଂ ତାଙ୍କ କ୍ରିୟାଶକ୍ତି ଅଗ୍ନି ଏବଂ ତାହାର ଦହନ ଶକ୍ତି ସମାନ ଏବଂ ଅଭେଦ୍ୟ । ସ୍ୱାମୀଜୀଙ୍କ ଗୁରୁ ରାମକୃଷ୍ଣ ପରମହଂସ ମୃତୁ୍ୟ ପୂର୍ବରୁ କହିଥିଲେ ନରେନ୍ କାଳୀ ମା’ ତୋର ପ୍ରତିଟି ପଦକ୍ଷେପରେ ମାର୍ଗଦର୍ଶନ କରିବେ । ମୃତୁ୍ୟ ପର୍ଯ୍ୟନ୍ତ ମା’କାଳୀଙ୍କ ଉପସ୍ଥିତି ବୋଧ କରୁଥିଲେ ସ୍ୱାମୀଜୀ । ଏହି ଅଭିଜ୍ଞତାରୁ ସେ କାଳୀ ଦି ମଦର୍ କବିତା ଲେଖିଥିଲେ ।
ସ୍ୱାମୀଜୀଙ୍କ ଜନ୍ମ କଲିକତାରେ ହୋଇଥିଲା । ୧୮୬୩ ମସିହା ଜାନୁଆରୀ ୧୨ ତାରିଖରେ । ସେ ଦିନ ଥିଲା ପବିତ୍ର ମକର ସଂକ୍ରାନ୍ତି । ତାଙ୍କର ପିଲାଦିନର ନାମ ଥିଲା ନରେନ୍ଦ୍ର ନାଥ ଦତ୍ତ । ପିତା ବିଶ୍ୱନାଥ ଦତ୍ତ କଲିକତା ହାଇକୋର୍ଟରେ ଜଣେ ବିଶିଷ୍ଟ ଓକିଲ ଥିଲେ । ସେ ପାଶ୍ଚାତ୍ୟ ଚେତା ଥିଲେ । ସେଥିପାଇଁ ପୁତ୍ରକୁ ଇଂରାଜୀ ପଢ଼ାଇ ପାଶ୍ଚାତ୍ୟ ବିଚାରଧାରାର ଅନୁଗାମୀ କରିବାକୁ ଚାହୁଁଥିଲେ । ମାତ୍ର ବିଧିର ବିଧାନ ଥିଲା ଭିନ୍ନ । ସ୍ୱାମୀଜୀଙ୍କ ମାତା ଭୁବନେଶ୍ୱରୀ ଦେବୀ ଭଗବତ୍ ବିଶ୍ୱାସୀ ଥିଲେ । ଯାହାର ପ୍ରଭାବ ପିଲାଦିନୁ ପଡ଼ିଥିଲା ବିବେକାନନ୍ଦଙ୍କ ଉପରେ । ସ୍ୱାମୀଜୀ ବାଲ୍ୟକାଳରୁ ଅତ୍ୟନ୍ତ ବିଚିକ୍ଷଣ ଥିଲେ । ସେ ଭାଗବତ ପ୍ରାପ୍ତି ନିମନ୍ତେ ସର୍ବଦା ବ୍ୟାକୁଳ ଥିଲେ । ଗୁରୁ ରାମକୃଷ୍ଣ ପରମହଂସଙ୍କୁ ଭେଟିବା ପରେ ସ୍ୱାମୀଜୀଙ୍କୁ ଜୀବନର ପରମଲକ୍ଷ୍ୟ ପ୍ରାପ୍ତ ହୋଇଥିଲା । ସ୍ୱାମୀଜୀ ସ୍ୱପ୍ନଦ୍ରଷ୍ଟା ଥିଲେ । ସେ ଏଭଳି ଏକ ସମାଜର କଳ୍ପନା କରିଥିଲେ, ଯେଉଁଠି ଧର୍ମ ଏବଂ ଜାତି ଆଧାରରେ ସାମାଜିକ ବିଭାଜନ ନଥିବ ।
ସେ ବେଦାନ୍ତ ସିଦ୍ଧାନ୍ତକୁ ଏହି ରୂପରେ ଦେଖିଥିଲେ । ବିବେକାନନ୍ଦ ଯୁବକଙ୍କ ପାଇଁ ନୂତନ ଆଶା ଥିଲେ । ବର୍ତ୍ତମାନର ଯୁବପୀଢ଼ି ପାଇଁ ଏହି ଓଜସ୍ୱୀ ସନ୍ନ୍ୟାସୀଙ୍କ ଜୀବନ ଏକ ପରମ ଆଦର୍ଶ । ଚିକାଗୋ ଧର୍ମ ସମ୍ମିଳନୀରେ ବିବେକାନନ୍ଦଙ୍କ ଓଜସ୍ୱିନୀ ଭାଷଣ ବିଶ୍ୱ ଦରବାରରେ ଭାରତ ଏବଂ ଭାରତର ଆଧ୍ୟାତ୍ମିକତାର ଛବିକୁ ଅଧିକ ଉଜ୍ଜ୍ୱଳ କରିଥିଲା । ମାତୃଭୂମିକୁ ସେ ଅତି ଭଲ ପାଉଥିଲେ । ଥରେ ବିଦେଶରୁ ଫେରିବା ସମୟରେ ଜାହାଜରୁ ଦୌଡ଼ି ଆସି ସ୍ୱାମୀଜୀ ଭାରତ ଭୂଖଣ୍ଡ ମାଟି ଛୁଇଁ ଆତ୍ମହରା ହୋଇପଡ଼ିଥିଲେ । ଯୁବକମାନଙ୍କ ନେଇ ସ୍ୱାମୀଜୀ ଅନେକ ଆଶା ରଖିଥିଲେ । ଉତ୍ସାହୀ, ଉଦ୍ୟମୀ ଯୁବକମାନେ ହିଁ ଭାରତର କଲ୍ୟାଣ କରିପାରିବେ ବୋଲି ବିବେକାନନ୍ଦ ମତ ରଖିଥିଲେ । ସେ ଯୁବକମାନଙ୍କୁ ଉଭୟ ଇଂରାଜୀ ଏବଂ ସଂସ୍କୃତ ଶିକ୍ଷା ଲାଗି ରହୁଥିଲେ । କାରଣ ଇଂରାଜୀ ଶିକ୍ଷା ଦ୍ୱାରା ସେମାନେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ଜ୍ଞାନ ଆହରଣ କରିପାରିବେ । ସଂସ୍କୃତ ଶିକ୍ଷା ସେମାନଙ୍କୁ ଭାରତୀୟ ଦର୍ଶନ ଏବଂ ମୂଲ୍ୟବୋଧ ସହିତ ପରିଚିତ କରାଇପାରିବ । ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀକୁ ଭାରତରେ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଇଥାଏ ।