ଜଳ ପରିମଳ ବିଭାଗର ଉଦାସୀନତା ଯୋଗୁଁ ହୋଇ ପାରୁନି ନଳକୂପ ଖନନ, ହନ୍ତସନ୍ତ ହେଉଛନ୍ତି କେ ବରିଡ଼ା ବସନ୍ତ ବଣ ସାହି ବାସିନ୍ଦା।
କୋଦଳା (ସୁଶାନ୍ତ କୁମାର ପଟ୍ଟନାୟକ) : ରାଜ୍ୟ ଓ କେନ୍ଦ୍ର ସରକାର ପାନୀୟ ଜଳଯୋଗାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ବାସ୍ତବରେ ତାହା କାର୍ଯ୍ଯକାରୀ ହୋଇ ପାରୁନି। ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଦୀର୍ଘ ୨ ବର୍ଷ ଧରି ସ୍ଥାନୀୟ ସରପଞ୍ଚଙ୍କ ଉଦ୍ଯମ ସତ୍ବେ ଦୁଇଟି ନଳକୂପ ଖନନ ହୋଇ ପାରୁନି। ଏଭଳି ଏକ ଘଟଣା ନଜରକୁ ଆସିଛି ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ କେ ବରିଡ଼ା ପଞ୍ଚାୟତରୁ ।ଏହି ପଞ୍ଚାୟତର ବିରିବାଟିଆ ଗ୍ରାମ ଓ ବରିଡ଼ା ଗ୍ରାମର ବସନ୍ତ ବଣ ସାହି ପାଇଁ ଦୁଇଟି ନଳକୂପର ଜରୁରୀ ଆବଶ୍ୟକତା ରହିଥିବାରୁ ସରପଞ୍ଚ ଚିତ୍ରସେନ ନାୟକ ବିଭାଗୀୟ ବ୍ଲକ ଅଧିକାରୀଙ୍କୁ କହିଥିଲେ। ତେବେ ସରକାରଙ୍କ ନୂତନ ନିୟମ ଅନୁସାରେ ପ୍ରଥମେ ପଞ୍ଚାୟତରୁ ଏଥିପାଇଁ ଅଗ୍ରୀମ ଅର୍ଥ ଜଳ ଯୋଗାଣ ବିଭାଗକୁ ଦେବାକୁ କୁହାଯାଇଥିଲା। ଏହାପରେ ସରପଞ୍ଚ ଚେକ୍ ଜରିଆରେ ଭଂଜନଗର ମୁଖ୍ୟ ଯନ୍ତ୍ରୀଙ୍କ ନିକଟକୁ ଦୁଇଟି ନଳକୂପ ବାବଦରେ ୧ ଲକ୍ଷ ୪୦ ହଜାର ଟଙ୍କା ପଠାଇଥିଲେ। ଉକ୍ତ ଟକାଂ ପଠାଇବାର ୨ ସପ୍ତାହ ମଧ୍ୟରେ ନଳକୂପ ଖନନ କରାଯିବ ବୋଲି ମୁଖ୍ଯ ଯନ୍ତ୍ରୀ କହିଥିଲେ। କିନ୍ତୁ ଗତବର୍ଷ ଅର୍ଥାତ୍ ୯ ଜୁଲାଇ ୨୦୧୯ ରୁ ଏହି ଅର୍ଥ ଦିଆଯାଇଥିଲେ ମଧ୍ୟ ଏଯାବତ୍ ନଳକୂପ ଖନନ ହୋଇ ପାରୁନି। ଟଙ୍କା ପଠାଇବାର ଦେଢବର୍ଷ ବିତିଯାଇଥିଲେ ମଧ୍ୟ କାହିଁକି ନଳକୂପ ଖନନ ହୋଇ ପାରୁନି ଏବଂ ଏଥିପାଇଁ ଦାୟୀ କିଏ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ସରପଞ୍ଚ। ଏପଟେ ଦୀର୍ଘ ୨୦ ବର୍ଷ ଧରି ବସନ୍ତ ବଣ ସାହିରେ ବସବାସ କରୁଥିବା ଲୋକେ ପାଣି ଟୋପାଏ ପାଇବା ପାଇଁ ଏକ କିଲୋମିଟର ଦୂରରେ ଥିବା ଏକ କୂଅ ଉପରେ ନିର୍ଭର କରୁଛନ୍ତି। ଏ ସମସ୍ଯାକୁ ସରପଞ୍ଚ ସମିତି ବୈଠକରେ ମଧ୍ୟ ଉପସ୍ଥାପନ କରିଛନ୍ତି। ତୁରନ୍ତ ଏଥିପ୍ରତି ପଦକ୍ଷେପ ନେବାକୁ ଦାବି କରିଛନ୍ତି, ତଥାପି ଫଳ ଶୂନ। ତେବେ ଏନେଇ ଭଂଜନଗର ମୁଖ୍ୟ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କିଛି ଦିନ ହେବ ନୂଆଁ କରି ଆସିଛନ୍ତି ଏବଂ ଏନେଇ ତୁରନ୍ତ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏବେ ଦେଖିବାକୁ ବାକି ରହିଲା କେବେ ଏହି ସମସ୍ଯାର ସମାଧାନ ହେଉଛି ଏବଂ ଲୋକେ କେବେ ପାଣି ପାଉଛନ୍ତି।