ଡାକ୍ତର ଜ୍ୟୋତିରଞ୍ଜନ ଚମ୍ପତିରାୟ : ଧୀରେ ଧୀରେ ମହାମାରୀ କରୋନା ତା ଶାଖା ପ୍ରଶାଖା ମେଲାଇବାରୁ ଶକ୍ତି ହରାଇଲାଣି । ସରକାରଙ୍କ ଯୁଦ୍ଧକାଳୀନ ଭିତ୍ତିରେ କରୋନା ବିରୋଧୀ ଲଢ଼େଇ ଓ ବ୍ୟାପକ ସଚେତନତା ସୃଷ୍ଟି ସହ ଟିକାକରଣ ପାଇଁ ସମଗ୍ର ବିଶ୍ୱରେ ଏକ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବାବେଳେ ପିଲାଙ୍କ ପାଇଁ କରୋନା ନିମୋନିଆ ସମସ୍ୟା ଏକ ପ୍ରକାର ଭୟ ଖେଳାଇଛି ।
ଏହା ସ୍ୱାଭାବିକ କଥା ଯେ ଶୀତ ଦିନରେ ପ୍ରାୟତଃ ଅନେକ ଶିଶୁ ପୂର୍ବ ସମସ୍ୟା ହେଉ ବା ଜିନ୍ଗତ ସମସ୍ୟା କିମ୍ବା ଥଣ୍ଡା, କୁହୁଡ଼ି ଓ କାକର ପାଇଁ ଜ୍ୱର, କାଶ ଓ ଥଣ୍ଡାରେ ଅଧିକ ମାତ୍ରାରେ ଆକ୍ରାନ୍ତ ହୋଇପଡ଼ନ୍ତି । ସହଯେ କରୋନା ମହାମାରୀ ଯେଉଁପରି ଶାରୀରିକ ଓ ମାନସିକ କଷ୍ଟ ଏକ ପ୍ରକାର ପିଲାଙ୍କୁ ଦେଇଛି ତାହା ଛୋଟ ଛୋଟ ପିଲାଙ୍କ ପାଇଁ ଅନେକ କଷ୍ଟକର ଘଟଣା । ତେଣୁ କରୋନା ସଂକ୍ରମଣ ଓ ଏହାର ପ୍ରଭାବରେ ପିଲାମାନଙ୍କର ଯେଉଁ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଉଛି ତାହା ପ୍ରାଥମିକ ଭାବେ ଶିଶୁ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ ।
ପିଲାମାନଙ୍କ କ୍ଷେତ୍ରରେ ଏହି କରୋନା ସଂକ୍ରମଣ ଅନେକ ବିପଦ ଡାକି ଆଣିଥାଏ । ତାହା ଭିତରେ ନିମୋନିଆ ଏକ ଗୁରୁତର ସ୍ୱାସ୍ଥ୍ୟଗତ ସମସ୍ୟା । ଶରୀରରେ ଫୁସ୍ଫୁସ୍ ସଂକ୍ରମଣକୁ ନିମୋନିଆ କୁହାଯାଏ । ପିଲାମାନଙ୍କ କ୍ଷେତ୍ରରେ ଏହି ନିମୋନିଆ ଏକ ଜଟିଳ ରୋଗ । ଏହା ଅନେକ ପିଲାଙ୍କ ଜୀବନ ମଧ୍ୟ ନେଇଯାଇଛି । ତେଣୁ କରୋନା ସମୟରେ ଛୋଟ ପିଲାଟି ଏହାର ସଂକ୍ରମଣ ହେବା ସହ ପରେ ନିମୋନିଆରେ ଆକ୍ରାନ୍ତ ହେଲେ ତାର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଏ । ତେଣୁ ଛୋଟ ପିଲାଙ୍କ ପାଇଁ ଏହି ସମସ୍ୟା କ୍ଷେତ୍ରରେ ତାଙ୍କ ବାପ-ମାଆ ଓ ପରିବାର ଲୋକଙ୍କର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଓ ସଚେତନତା ରହିଛି । ଜୀବାଣୁ ଜନିତ ବା ଭୂତାଣୁ ଜନିତ କାରଣ ପାଇଁ ଜଣେ ନିମୋନିଆରେ ଆକ୍ରାନ୍ତ ହେବାର ସମ୍ଭାବନା ଥାଏ ।
ପିଲାଙ୍କ କ୍ଷେତ୍ରରେ ଭୂତାଣୁ ଜନିତ ନିମୋନିଆ ଅଧିକ ସଂଖ୍ୟାରେ ଦେଖାଯାଇଥାଏ । ତେବେ ଏହା ଜଟିଳ ସମସ୍ୟା ହୁଏ ସେତେବେଳେ ଯେଉଁ ସମୟରେ ଜଣେ ପିଲା ଅପପୁଷ୍ଟିର ଶିକାର ହେବା ସହ ତାର କୌଣସି ପୂର୍ବ ରୋଗ ଶରୀରରେ ଥାଏ । ଏହି କ୍ଷେତ୍ରରେ ନିମୋନିଆ ଅଧିକ ଗୁରୁତର ସ୍ୱାସ୍ଥ୍ୟ ଜଟିଳତା ପିଲାଟି ପାଇଁ ସୃଷ୍ଟି କରିଦିଏ ।
ଆସନ୍ତୁ ପ୍ରଥମେ ଜାଣିବା ଯେ ପିଲାଙ୍କ ପାଇଁ ଏ କରୋନା ନିମୋନିଆର ଲକ୍ଷଣ କଣ ହୋଇପାରେ? ଜ୍ୱର, ଶ୍ୱାସପ୍ରଶ୍ୱାସରେ ଅସ୍ୱାଭାବିକତା, କାଶ, ଠିକ୍ ଭାବେ ଖାଦ୍ୟ ନଖାଇ ପାରିବା, ପତଳା ଝାଡ଼ା, ବାନ୍ତି, ଶରୀରରେ ବ୍ୟଥା ଯନ୍ତ୍ରଣା ସହ ଗଳାରେ ଯନ୍ତ୍ରଣା ଓ ପିଲାଟି ଧଇଁସଇଁ ହେବା । ଅନେକ କ୍ଷେତ୍ରରେ ଦେଖାଯାଏ ପିଲାଟିର ପାଖଲୋକ ନିଜେ ଡାକ୍ତର ପାଲଟି ଯାଇ କାନକୁହା କଥା ଶୁଣି ପ୍ରାଥମିକ ଚିକିତ୍ସା ଆରମ୍ଭ କରିଦିଅନ୍ତି ଓ ପିଲାଟି ମୁର୍ମୁଷୁ ହେବା ବେଳେ ଶିଶୁରୋଗ ବିଶେଷଜ୍ଞଙ୍କ ପାଖକୁ ଆସନ୍ତି ।
ତେଣୁ ଏ କ୍ଷେତ୍ରରେ ପିଲାଟି ପାଇଁ ଅନେକ କ୍ଷେତ୍ରରେ ଜୀବନ ମରଣ ସମସ୍ୟା ହୋଇଯାଏ । ପିଲାଟି ଜୀବାଣୁ ଜନିତ କାରଣରୁ ନିମୋନିଆରେ ଆକ୍ରାନ୍ତ ହେଲେ ସେଥିପାଇଁ ବିଭିନ୍ନ ପ୍ରକାର ଆଣ୍ଟିବାୟୋଟିକ୍ର ଚିକିତ୍ସା ରହିଛି ଏବଂ ସାମାନ୍ୟ ଆକ୍ରାନ୍ତ ହୋଇ ପିଲାଟିର ନିମୋନିଆ ସମସ୍ୟା ନିୟନ୍ତ୍ରଣାଧିନ ରହିଲେ ଔଷଧ ଦିଆଯାଏ କିନ୍ତୁ ପିଲାଟି ଜଟିଳତା ଆଡ଼କୁ ତା ସମସ୍ୟା ବଢ଼ିଲେ ଇଞ୍ଜେକ୍ସନ, ସାଲାଇନ୍ ବା ଆବଶ୍ୟକତା ବେଳେ ଆଇସିୟୁରେ ଉନ୍ନତମାନର ଚିକିତ୍ସା ଦରକାର ପଡ଼ିଥାଏ । କରୋନା ସଂକ୍ରମଣ ସମୟରେ ପିଲାର ନିମୋନିଆ ରୋଗଟି ତା ଛାତିରେ ପାଣି ଜମିବା ସହ ଅନ୍ୟ ପାରୁପାଶ୍ୱିର୍କ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ବଢ଼ାଇ ଦିଏ । ତେଣୁ କରୋନା ଟିକା ପିଲାମାନଙ୍କ ପାଇଁ ଉପଲବ୍ଧ ନ ହେବା ପର୍ଯ୍ୟନ୍ତ ସତର୍କତା ହିଁ ସେମାନଙ୍କ ପାଇଁ ସୁରକ୍ଷା କବଚ । ପିଲାଟି ଯେପରି ଠିକ୍ ସମୟରେ ଖାଇବା ସହ, ବିଶ୍ରାମ ନିଏ, ହାତ ଭଲ ଭାବେ ପରିଷ୍କାର ରଖିବା ସହ ସାମାଜିକ ଦୂରତ୍ୱ ଅବଲମ୍ବନ କରି ମାକ୍ସ ପରିଧାନ କଲେ ସେ ଦିଗକୁ ନିଜ ଲୋକମାନେ ଦେଖନ୍ତୁ ।
ବଡ଼ଲୋକମାନେ କୌଣସି କାର୍ଯ୍ୟ ପାଇଁ ବାହାରକୁ ଯାଇଥିଲେ ଘରକୁ ଫେରିବା ପରେ ପିଲାଙ୍କ ପାଖକୁ ଯାଆନ୍ତୁ ନାହିଁ । ପିଲାଟି ଯେଉଁ ଘରେ ରହୁଛି ସେ ଘରେ ଯେପରି ବିଶୁଦ୍ଧ ବାୟୁ ଆତଯାତ ହେବା ସହ ସୂର୍ଯ୍ୟକିରଣ ପଡ଼ୁଥାଏ ସେ ଦିଗକୁ ଦେଖନ୍ତୁ । ଆମିଷ ଓ ବଜାରର ଗରିଷ୍ଠ ଖାଦ୍ୟ ଠାରୁ ଦୂରେଇ ସୁଷମ ଖାଦ୍ୟ, ତଟକା ପନିପରିବା ଓ ଫଳ ଦେଇପାରନ୍ତି । ତେବେ କଫ ଥିଲେ ଫଳଟିକୁ ଗରମ କରି ଚକଟି ପିଲକୁ ଦିଅନ୍ତୁ । ବର୍ତ୍ତମାନର ପ୍ରବଳ ଶୀତ ଲହରି ଦେଖାଯାଇଥିବାବେଳେ ଦିନେ ଦିନେ ପ୍ରବଳ କୁହୁଡ଼ି ସକାଳ ସମୟକୁ ତା ପ୍ରକୋପ ଭିତରେ ରଖୁଛି । ତେଣୁ ଏହି ସମୟରେ ପିଲାଟି ଯେପରି ବାହାରକୁ ନ ବାହାରେ ସେ ଦିଗକୁ ଦେଖନ୍ତୁ । ଥଣ୍ଡାଖାଦ୍ୟ, ଫ୍ରିଜର ବାଶୀ ଖାଦ୍ୟ ଓ ଇଆଡୁସିଆଡ଼ୁ ବଜାରର ନିମ୍ନମାନର ଚିପ୍ସ ବା ଅନ୍ୟ ଖାଦ୍ୟ ପିଲାକୁ ନ ଦେଇ ଘରୋଇ ପ୍ରସ୍ତୁତିରେ ଚୁଡ଼ା ସନ୍ତୁଳା ହେଉ ବା ଉପମା ବା ପିଠା ଇତ୍ୟାଦି ଦିଅନ୍ତୁ ।
ପିଲାଟିର ନିମୋନିଆ ବ୍ୟତୀତ ଅନ୍ୟ କୌଣସି ଶାରୀରିକ ସମସ୍ୟା ଥିଲେ ସେ ବିଷୟରେ ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ପିଲାଟି ଜନ୍ମ ହେବାପରେ ଯେପରି ତାର ସମସ୍ତ ନିୟମିତ ଟିକା ନେବ ସେ ଦିଗରେ ସଚେତନ ହୁଅନ୍ତୁ । ପିଲାକୁ ଭିଟାମିନି ଏ ଓ ଡ଼ି ଅଧିକ ପରିମାଣରେ ଦିଅନ୍ତୁ । ସକାଳର କଅଁଳ ଖରା ଯେପରି ପିଲାଟି ଦେହରେ ପଡ଼େ ସେ ଦିଗକୁ ଦେଖନ୍ତୁ । ବର୍ତ୍ତମାନ ବିଦ୍ୟାଳୟ ବନ୍ଦ ଥିବାରୁ ଆବଶ୍ୟକ ନ ପଡ଼ିଲେ ପିଲାଟିକୁ ଗହଳି ସ୍ଥାନକୁ ନିଅନ୍ତୁ ନାହିଁ । ପିଲାଟି ଯେପରି ସଫା ସୁତରା ପୋଷାକ ଓ ଶୀତବସ୍ତ୍ର ପିନେ୍ଧ ସେ ଦିଗକୁ ଦେଖନ୍ତୁ । ସରକାର କୋଭିଡ଼ ସମ୍ବନ୍ଧୀୟ ସମସ୍ତ ଶିଶୁରୋଗ ଚିକିତ୍ସାର ଉନ୍ନତମାନ ଓ ବିନା ମୂଲ୍ୟରେ ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା ସହ ଔଷଧପତ୍ର ପ୍ରଦାନ କରୁଛନ୍ତି ଏ ସୁଯୋଗ ନିଅନ୍ତୁ । ପିଲାଟି ଭିତରେ ଭଗବାନଙ୍କ ପ୍ରତି ବିଶ୍ୱାସ ଓ କୌଣସି ହତାଶ ବା ଆତଙ୍କ ଯେପରି ସୃଷ୍ଟି ନ ହୁଏ ତାହା ସୂଚୀତ କରନ୍ତୁ । ଦେଖିବେ ଏହି କରୋନା ନିମୋନିଆ ସମସ୍ୟା ତା ପାଇଁ ଆଦୌ ଜଟିଳ ହେବନାହିଁ ।
ସହଯୋଗୀ ପ୍ରଫେସର, ଶିଶୁରୋଗ ବିଭାଗ, ଶିଶୁଭବନ, କଟକ