Odisha news

ବ୍ରିଜ ଉପରେ ଅଟକିଲା ଭାରିଯାନ ଆନ୍ଧ୍ର ଓଡ଼ିଶା ଯୋଗାଯୋଗ ବିଛିନ୍ନ

0

ରାୟଗଡା : ରାୟଗଡା ମାଁ ମଝିଘରିଆଣୀ ମନ୍ଦିର ସମ୍ମୁଖରେ ଥିବା ବ୍ରିଜ ଉପରେ ସକାଳୁ ଏକ ଭାରଯାନ ଅଟକି ଯିବା ଯୋଗୁଁ ସହରରେ ଟ୍ରାଫିକ ସମସ୍ୟା ଦେଖାଦେଇଛି । ଫଳରେ ଓଡିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡକୁ ଯୋଗଯୋଗ ବିଛିନ୍ନ ହୋଇଛି । ସୂଚନା ମୁତାବକ ସିଜି୦୪ଏମଜି ୨୩୮୮ ନମ୍ବର ଥିବା ଏକ ଟ୍ରକ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଠାରୁ ମାଲପରିବହନ କରି ଛତିଶଗଡ ଅଭିମୁଖେ ବାହାରିଥିଲା । ରାୟଗଡା ମଝିଘରିଆଣୀ ମନ୍ଦିର ନିକଟରେ ଥିବା ବ୍ରିଜ୍ ପାର ହେବା ସମୟରେ ଟ୍ରକରେ ଯାନ୍ତ୍ରିକ ସମସ୍ୟା ଦେଖାଦେଇ ଟ୍ରକଟି ବ୍ରିଜର ବୁଲାଣୀ ମୋଡରେ ଥିବା ରେଲ ବିଭାଗ ବ୍ରିଜ କାନ୍ଥକୁ ଲାଗି ରହିଯାଇଥିଲା । ଫଳରେ ଟ୍ରକଟି ରାସ୍ତା ମଝିରେ ଅଟକି ରହିଥିଲା ।

ବହୁ ଚେଷ୍ଟା ପରେ ମଧ୍ୟ ଟ୍ରକକୁ ରାସ୍ତାର ହଟା ଯାଇ ପାରିନଥିଲା । ଟ୍ରକଟି ବ୍ରିଜର ମଝି ରାସ୍ତାରେ ଅଟକି ଥିବା ଯୋଗୁଁ ବ୍ରିଜର ଉଭୟ ପାଶ୍ୱର୍ରେ ଶହ ଶହ ସଂଖ୍ୟକ ଭାରିଯାନ ଅଟକି ରହିଛି । ସକାଳ ୭ ଟା ସମୟରେ ଟ୍ରକଟି ବ୍ରିଜ ଉପରେ ଅଟକି ରହିଯାଇଥିଲେ ମଧ୍ୟ ଖବର ପରିବେଷଣ ସୁଦ୍ଧା ଟ୍ରକର ମରାମତି ହୋଇ ରାସ୍ତାରୁ ହଟା ଯାଇପାରିନାହିଁ । ଫଳରେ ରାୟଗଡା ସହରରେ ବ୍ୟାପକ ଟ୍ରାଫିକ ସମସ୍ୟା ଦେଖାଦେଇଛି । ଟ୍ରକଟି ଯେଉଁ ବ୍ରିଜ ଉପରେ ଅଟକି ରହିଛି ତାହାର ଅବସ୍ଥା ସଙ୍କଟାପନ୍ନ ରହିଛି ।

ତେଣୁ ପୂର୍ତ୍ତ ବିଭାଗ ତରଫରୁ ବିକଳ୍ପ ଭାବେ ଆଉ ଗୋଟିଏ ବ୍ରିଜ ନିର୍ମାଣ କାର୍ଯ୍ୟ ଜାରୀ ରହିଛି । ତେବେ ରାଜ୍ୟ ସରକାର ଓ ରେଳ ବିଭାଗର ବୁଝାମଣା ଅଭାବରୁ ବ୍ରିଜର ନିର୍ମାଣ କାମ ଆଗେଇ ପାରିନଥିଲା । ବର୍ତ୍ତମାନ ବ୍ରିଜର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ବିଭିନ୍ନ ମହଲରୁ ଅଭିଯୋଗ ହେଉଛି । ଯଦି ନୂତନ ବ୍ରିଜ କାମ ଯଥାଶୀଘ୍ର ସଂପୂର୍ଣ୍ଣ ନ ହୁଏ ଏବଂ ପୁରୁଣା ବ୍ରିଜ ଉପରେ ଆବଶ୍ୟକତା ଠାରୁ ଅଧିକ ମାଲ ପରିବହନ କରି ଭାରିଯାନ ଚଳାଚଳ ହୁଏ ତେବେ ଆଗକୁ ବଡଧରଣର ବିପଦ ଘଟିପାରେ ବୋଲି ବୁଦ୍ଧିଜୀବି ମାନେ ମତବ୍ୟକ୍ତ କରିଛନ୍ତି ।

Leave A Reply