Odisha news

*ଜ୍ଞାନଚକ୍ଷୁରେ ହେତୁବିଚାର : ଛାତ୍ରଛାତ୍ରୀଙ୍କୁ ନୂତନଶିକ୍ଷା*

0
ଯାଜ୍ଞସେନୀ ସାହୁ  : ହେତୁ ଶବ୍ଦର ଅର୍ଥ ହେଉଛି କାରଣ। ହେତୁଜ୍ଞାନ ହେଉଛି ଏଭଳି ଏକ ଜ୍ଞାନ ଯାହା ଯେକୌଣସି ବିଷୟ ଓ ଘଟଣା ପଛର କାରଣ ଓ ସତ୍ୟାସତ୍ୟକୁ ଖୋଜିବାରେ ସହାୟକ ହୁଏ।ପ୍ରଶ୍ନ କରିବା, ତର୍କ କରିବା,ବିଶ୍ଳେଷଣ କରିବା, ଅନୁସନ୍ଧାନ କରିବା, ସଠିକ୍ ଅନୁଶୀଳନ କରିବା ଏସବୁ ହେତୁଜ୍ଞାନର ଅନ୍ୟତମ ଆଧାର।ଏହି ଆଧାରରେ କୁସଂସ୍କାର, କୁପ୍ରଥା, କୁପରମ୍ପରା, ଅମୂଳକ ଭିତ୍ତିହୀନ ଅଯୌକ୍ତିକ ବିଶ୍ୱାସର ମୂଳୋତ୍ପାଟନ କରାଯାଇପାରିବ।କିଛି ଧାର୍ମିକ ଗୋଷ୍ଠୀଙ୍କ ଅସହିଷ୍ଣୁତା ଯାହା ହେତୁଜ୍ଞାନକୁ ଇଶ୍ୱର ବିରୋଧୀ ଓ ନାସ୍ତିକ ବିଚାରଧାରା ବୋଲି ମାନିନେଇଛି , ତାହା ସମାଜରେ ହେତୁଜ୍ଞାନର ମୂଲ୍ୟବୋଧକୁ ଅବକ୍ଷୟ କରିଚାଲିଛି ସତ।କିନ୍ତୁ  ହେତୁଜ୍ଞାନର ଇତିହାସ ଓ ସମାଜର କିଛି ଦାର୍ଶନିକ, ସମାଜବିତ୍,ବାସ୍ତବବାଦୀଙ୍କ ପ୍ରଚେଷ୍ଟାରୁ ଆଜି ହେତୁଜ୍ଞାନ ତାର ପରିସରକୁ ବଜାୟ ରଖିବାରେ ସଫଳ ହୋଇଛି। ସମାଜକୁ ଅବୈଜ୍ଞାନିକ ଧାରଣାର ଶିକାର ହେବାରୁ ରକ୍ଷା କରିବା ତଥା କୁଶିକ୍ଷାର ଅନ୍ଧକାରରୁ ମୁକ୍ତ କରିବା ଦିଗରେ ହେତୁଜ୍ଞାନ ନିଜ ପ୍ରୟାସ ଜାରିରଖିଛି।
ଏକବିଂଶ ଶତାବ୍ଦୀର ଅତ୍ୟାଧୁନିକ ସମୟରେ ପାଦ ଥାପିଲା ପରେ ମଧ୍ୟ ଆଜିବି ପ୍ରତିଦିନ ଆମେ ଅନ୍ଧବିଶ୍ୱାସ ଜନିତ ହତ୍ୟା, ଆତ୍ମହତ୍ୟା, ଚେଙ୍କଦିଆ,ନରବଳି, ମୁଣ୍ଡକାଟ,ଗୁଣିଗାରେଡି, ଭଣ୍ଡ ବାବାମାତାଙ୍କ ଦ୍ୱାରା ଅମାନବୀୟ ଅପରାଧ,ଯାଦୁବିଦ୍ୟା ଦ୍ୱାରା ଜନସମାଜକୁ ପଥଭ୍ରଷ୍ଟ ଆଦି ଖବରମାନ ଶୁଣିବାକୁ ପାଉଛୁ। ଏସବୁ ଘଟଣାମାନ ପରୋକ୍ଷରେ ସୂଚାଇ ଦିଏ ଯେ ଉପଯୁକ୍ତ ଶିକ୍ଷାର ପ୍ରଚାର ପ୍ରସାର ଦିଗରେ କେଉଁଠି ନା କେଉଁଠି ଆମେ ପଛୁଆ ରହିଯାଇଛେ। ନିହାତି ଭାବେ ଏହା ଆମ ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷାର ମାନ ଉପରେ ଏକ ଉପହାସ ସଦୃଶ।ପ୍ରସଙ୍ଗଟିକୁ ସଙ୍ଗୀନ କରିବାକୁ ଆମେ ଏକ ଓଡ଼ିଆ ପ୍ରବାଦ ଉପରେ ନଜର ପକାଇବା। “ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ।” ଅନ୍ୟ ଏକ ରୂପରେ କହିବାକୁ ଗଲେ, ଚେରର ଅବସ୍ଥା ପ୍ରତି ଯତ୍ନଶୀଳ ନ ହୋଇ ଡାଳ ଓ ଫଳର ଦୋଷତ୍ରୁଟି କାଢ଼ିବା।ଆଜିକାଲି ହଜାର ହଜାର ଡିଗ୍ରୀଧାରୀ ଯୁବପୀଢ଼ିଙ୍କ ସାର୍ଟିଫିକେଟ ରେ କୁଢ଼ କୁଢ଼ ନମ୍ବର ରହିଥିବା ସତ୍ତ୍ୱେ ସେମାନେ ଅବୈଜ୍ଞାନିକ ମାନସିକତାର ଶିକାର।କାରଣ ଭୁଲଠିକ୍ ଜାଣିବା ଓ ନିଜ ଅନୁଭୂତି ଅନୁଧ୍ୟାନରୁ କିଛି ଶିଖିବା ପୂର୍ବରୁ ହିଁ ପରିବାର ଓ ପରିବେଶ ଶିଶୁଟିକୁ ନିଜ ଢାଞ୍ଚାରେ ଗଢିତୋଳିନିଏ।ସମପରିମାଣରେ ଦାୟୀ ରହେ ଆମ ପାରମ୍ପରିକ ଶିକ୍ଷା ପଦ୍ଧତି ଯାହା ଔପଚାରିକ ଓ ଅନୌପଚାରିକ ଭାବେ ପିଲାଟିଏ ହାସଲ କରେ। ତେଣୁ ସମାଜରେ ପରିବର୍ତ୍ତନ ଆଣିବା ପାଇଁ ହେଲେ ପ୍ରଥମେ ଛୋଟ ଛୋଟ ଶିଶୁ ଓ ଛାତ୍ରଛାତ୍ରୀଙ୍କଠାରୁ ଆଗେଇ ନେବାକୁ ପ୍ରତିବଦ୍ଧ ହେବାକୁ ପଡିବ ଯେପରି ଆମ ଭବିଷ୍ୟପୀଢିଟି ଅଶିକ୍ଷା ଅନ୍ଧକାରର କାଳ କୋଠରୀରେ ଘୂରି ନ ବୁଲେ।
ଆମ ଚାରିପାଖରେ ଅନେକ ପ୍ରଚଳିତ ଲୋକକଥା ଓ କୁପ୍ରଥାମାନ ଆମେ ଦେଖି ଶୁଣି ଆସୁଛୁ। ଜ୍ବରଝାଡା ହେଲେ ଲଙ୍କା ଧୂଆଁ କରି ଝାଡି ହେବା, ଯାନବାହନରେ ଲେମ୍ବୁ ଲଙ୍କା ଝୁଲାଇବା, ଝିଟିପିଟି ପଡିଲେ ଦେହରେ ପାଣି ଛିଞ୍ଚିହେବା, ବିଲେଇ ରାସ୍ତା କାଟିଲେ ସାତପାଦ ପଛକୁ ଯାଇ ଅପେକ୍ଷା କରିବା, କୁକୁର ସଂସ୍ପର୍ଶରେ ଆସିଲେ ସ୍ନାନ କରି ପବିତ୍ର ହେବା, ଦେହରେ ଝାଡୁ ବାଜିଲେ ଝାଡୁ କେନାଏରେ ଛେପ ପକାଇ ଦେହରେ ପକାଇବା, ଏରୁଣ୍ଡି ବନ୍ଧରେ ଈଶ୍ୱରଙ୍କ ବାସ ଭାବି ସେଠି ଠିଆ ନ ହେବା,ସମୟ ବାର ଦେଖି ନଖ ଓ ବାଳ ନ କାଟିବା ଇତ୍ୟାଦି।ଏସବୁ ଘର ଭିତରେ ଓ ବାହାରେ ତଥା ସାହିପଡିଶାରେ ଘଟି ଆସୁଥିବା ରୀତିମତ ଘଟଣା।ଯାହାରି ଜାଲରେ ଛନ୍ଦି ହୋଇ ଚାଲେ ନିଜ ଅବଚେତନ ମନ ସହ ଛୋଟ ବେଳୁ ଦେଖି ଆସୁଥିବା ଶିଶୁଟିଏ।ତର୍ଜମା କରିବା ଓ ସମୀକ୍ଷା କରିବା କ୍ଷମତା ନ ଆସୁଣୁ ଏସବୁ ପ୍ରଥା ମାନ ଜବରଦସ୍ତ ତାରି ଉପରେ ଲଦି ଦିଆଯାଏ।ନିଜ ସଂଜ୍ଞାନାତ୍ମକ ବିକାଶ ପୂର୍ବରୁ ହିଁ ସାମାଜିକୀକରଣରେ ଭାବପ୍ରବଣତାର ସହ ଅଭ୍ୟାସରତ ହୋଇ ଶିଶୁଟିର ବିଚାରଶକ୍ତି ଲୋପ ପାଇବାକୁ ଲାଗେ। ଅହେତୁକ ଚିନ୍ତାଧାରାରେ ଗ୍ରସିତ ଶିଶୁଟିର ଜୀବନଶୈଳୀ ମଧ୍ୟ ସେହି ଧାରାରେ ଗଢିଉଠେ।
ଆଜି ମଧ୍ୟ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଖେଳକୁଦ ବେଳେ ଭୁଲବଶତଃ ମୁଣ୍ଡ  ବାଜିଗଲେ ଶିଙ୍ଘ ଉଠିବା ଭୟରେ ପୁନର୍ବାର ମୁଣ୍ଡ ବଜାନ୍ତି, ଆକାଶରେ ଚିଲ ଶାଗୁଣା ଦେଖିଲେ ଅଶୁଭ ସଙ୍କେତ ମାନି କଦଳୀ ଗଛ ଦେଖିଲେ ଶୁଭ ହେବ ଭାବି ଗଛଟିଏ ଖୋଜି ବୁଲନ୍ତି,ଅଯୁଗ୍ମ ସଂଖ୍ୟକ ବଗ କିମ୍ବା ଆକାଶରେ ତାରା ଦେଖିଲେ ଆଉ ଗୋଟିଏ ଦେଖିବା ଯାଏଁ ଚାହିଁ ବସନ୍ତି, ପରୀକ୍ଷା ଖାତାରେ ଓମ୍ ଲେଖିଲେ ଓ ପରୀକ୍ଷା ଆଗରୁ ମିଠାଦହି ଖାଇଲେ ଭଲ ନମ୍ବର ରହିବାର ମିଥ୍ୟା ଆଶାପୋଷଣ କରନ୍ତି। ଏସବୁ ଭ୍ରାନ୍ତଧାରଣା ବାପାମାଆ,ଗୁରୁଜନ ଓ ଶିକ୍ଷକ ଶିକ୍ଷୟିତ୍ରୀ ଦ୍ୱାରା ସ୍ୱଚକ୍ଷୁରେ ଦେଖିଲା ପରେ ବି ତାକୁ ସୁଧାରିବାକୁ ଚେଷ୍ଟା ନ କରି ମୁକ୍ତ ଭାବେ ଛାଡି ଦିଆଯାଏ।ଛାତ୍ରଛାତ୍ରୀଙ୍କ ଉତ୍ତରୋତ୍ତର ଉନ୍ନତି ପାଇଁ ନିୟୋଜିତ ଶିକ୍ଷିତ ବିଜ୍ଞାନ ଶିକ୍ଷକମାନେ ମଧ୍ୟ ଏପରି ପାରମ୍ପରିକ ଶିକ୍ଷାଦାନ କରିବାରୁ ବାଦ୍ ପଡନ୍ତି ନାହିଁ। ଯେଉଁମାନେ ସ୍ୱୟଂ ଅଜସ୍ର କୁପ୍ରଥାଗୁଡିକୁ ଜାବୁଡିଧରି ସମାଜ ସହ ତାଳ ଦେଇ ଚାଲନ୍ତି।କାଁ ଭାଁ କିଛି ଜିଜ୍ଞାସୁ ଛାତ୍ରଛାତ୍ରୀ ପ୍ରଥା ପରମ୍ପରାର ପଛର କାରଣ ଉଦ୍ଦେଶ୍ୟ ଜାଣିବାକୁ ଇଚ୍ଛୁକ ହୁଅନ୍ତେ, ପୂର୍ବପୁରୁଷଙ୍କ ଚଳଣୀ,କିଛି ଐଶ୍ୱରିକ ଦୈବିକ ଶକ୍ତିର ପ୍ରଭାବ ଅବା ଧର୍ମୀୟ ପରିପୁଷ୍ଟତାର ଦ୍ୱାହି ଦେଇ ତାଙ୍କ ପ୍ରଶ୍ନ କରିବା ଓ ନିରୀକ୍ଷଣ କରିବା ଜନ୍ମଜାତ ପ୍ରବୃତ୍ତିକୁ ସଙ୍କୁଚିତ କରାଇ ଦିଆଯାଏ।
ଏସବୁ ଆଳରେ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ଓ ନୈତିକ ଶକ୍ତି ହଜିଯିବା ସହ ସେମାନେ ସଠିକ୍ ବୈଜ୍ଞାନିକ ମନସ୍ତାତ୍ତ୍ୱିକ ତତ୍ତ୍ୱ ଓ ତଥ୍ୟ ସମ୍ବନ୍ଧରେ ଅନଭିଜ୍ଞ ରହି ଅବାସ୍ତବତା ଆଡକୁ ମୁହାଉଛନ୍ତି। ଓମ୍ ଲେଖି ମାନସିକ କରି କଦଳୀ ନଡ଼ିଆ ଲଗାଇ ପାସ୍ କରିବା ଭଳି ଅବାନ୍ତର ଯୁକ୍ତି ପିଲାଟିକୁ ପରିଶ୍ରମୀ ହେବାରୁ ବଞ୍ଚିତ କରିବା ସହ ସେ ତାକୁ ଲକ୍ଷ୍ୟପଥରୁ ବିଚ୍ୟୁତ କରାଉଛି।ଲଙ୍କା ଲେମ୍ବୁର ଅଯଥା ବ୍ୟବହାର ଦ୍ୱାରା  ପରିବେଶ ନଷ୍ଟ ହେବା ସହ ସେସବୁର ଔଷଧୀୟ ଗୁଣ ବାବଦରେ ପିଲାଟି ଅଜ୍ଞ ରହିଯାଉଛି।ବିଲେଇ ରାସ୍ତା କାଟିବା ପଛର ଭୁଲ ଅବଧାରଣା ପାଇଁ କର୍ମକ୍ଷେତ୍ରରେ ପହଞ୍ଚିବାରେ ବିଳମ୍ବିତ ହେଉଛି। କୁକୁର ଝିଟିପିଟି ପରି ଜୀବଜନ୍ତୁଙ୍କ ସଂସ୍ପର୍ଶରେ ଆସିଲେ ପବିତ୍ରତା ନଷ୍ଟ ହେବାର ଭୟ ସେମାନଙ୍କ ପ୍ରତି ହୀନମନ୍ୟତା ସୃଷ୍ଟି କରିବା ସହ ଅନ୍ୟ କିଛି ଜୀବଜନ୍ତୁଙ୍କୁ ଈଶ୍ୱରଙ୍କ ବାହନ ଓ ପିତୃପୁରୁଷଙ୍କ ଅବତାର(କାଉ) କହି ଜୀବଜନ୍ତୁଙ୍କ ସ୍ଥିତିକୁ ନେଇ ଭୁଲ ଧାରଣା ଜନ୍ମାଯାଉଛି।ଗାଈ ଗୋବର ଓ ଗୋମୂତ୍ର କୁ ଅନୁକୂଳ ଫଳର କାରଣ ଦର୍ଶାଇ ସେଥିମଧ୍ୟରେ ଶରୀର ପ୍ରତି କ୍ଷତି ଘଟାଉଥିବା କାରକକୁ ହେୟଜ୍ଞାନ କରାଯାଉଛି।ଏଭଳି ଅନେକ ବିଷୟବସ୍ତୁ ଅଛି ଯାହାକୁ ବିଚାରକୁ ନେଲେ ଆମେ ଜାଣି ପାରିବା ଯେ ଅର୍ଥହୀନ ତଥ୍ୟଗୁଡିକ କିପରି ସମାଜକୁ ଭୁଲ ବାଟରେ ନେଇଚାଲିଛି।ଖାସ୍ କରି ଝିଅମାନେ ଏମିତି ଅନ୍ଧବିଶ୍ୱାସ ଘେରରେ ଅଧିକ କବଳିତା। ମାସିକ ଧର୍ମ ଋତୁସ୍ରାବକୁ ନେଇ ଥିବା ସାମାଜିକ ରୀତିନୀତି ସବୁବେଳେ ନାରୀସମାଜକୁ ଅବୈଜ୍ଞାନିକତାକୁ ଟାଣିନିଏ।ଶାରୀରିକ ଜୈବିକ ପ୍ରକ୍ରିୟା,  ସ୍ୱାସ୍ଥ୍ୟ ସଚେତନତା, ପରିଷ୍କାର ପରିଚ୍ଛନ୍ନତା  ଉପରେ ସଠିକ୍ ଜ୍ଞାନ ନଦେଇ ଧର୍ମ ଓ ଭଗବାନ ଭୟ ସହ  ଅପବିତ୍ର, ଘୃଣା ମନୋଭାବ,ଛୁଆଁଅଛୁଆଁ ଭେଦଭାବ ସୃଷ୍ଟି କରାଏ। ଅନେକ ପର୍ବପର୍ବାଣୀ ଓ ଓଷାବ୍ରତ ଯାହା କେବଳ ନାରୀ ପାଇଁ ଉଦ୍ଦିଷ୍ଟ ସେସବୁ ପଛର ସୈଦ୍ଧାନ୍ତିକ ଉତ୍ସ ବିଷୟରେ ପ୍ରସାର ନ କରି ଏପରି କଲେ ବାପା ଭାଇଙ୍କ ମଙ୍ଗଳ ହେବ, ସେପରି କଲେ ଭଲ ବର ମିଳିବ, ପୁତ୍ରଲାଭ ହେବ ପରି ମିଛ ଆଶ୍ୱାସନାକୁ ଉପସ୍ଥାପନା କରାଯାଏ। ମୋଟା ମୋଟି ଭାବେ କହିବାକୁ ଗଲେ ଝିଅମାନେ ଛୋଟବେଳୁ ପାରିବାରିକ ସଂସ୍କାର ଓ ଅନ୍ଧବିଶ୍ୱାସ ଜନିତ ପରମ୍ପରା ମାଧ୍ୟମରେ ଶୋଷିତ ହୋଇ ଉତ୍କୃଷ୍ଟ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହୋଇ ରହିଯାଉଛନ୍ତି।
ଏଥି ସମେତ ଆଉ କିଛି ପ୍ରଚଳିତ ଅଜ୍ଞାନତା ରହିଛି ଯାହା ଆମ ନିତିଦିନିଆ  ଚାଲିଚଳନରୁ ଆନୀତ । କାଶ ହେଲେ ଅବା ପାଦ ଝୁଣ୍ଟିଗଲେ କେହି ଦୂର ସମ୍ପର୍କୀୟ ମନେ ପକାଇବା, ଛିଙ୍କ ହେଲେ ଇଶ୍ୱରଙ୍କ ଆଶୀର୍ବାଦ ପାଇବା,ଚାଲିଲା ବେଳେ ଗୋଇଠିରୁ ଫୁଟାଶବ୍ଦ ବାହାରିଲେ ଲକ୍ଷ୍ମୀଛଡା ହେବା,ବାମ କି ଡାହାଣ ପାଦ ଘରୁ ପ୍ରଥମେ କାଢିଲେ ଶୁଭ ହେବା। ଏସବୁ ମଧ୍ୟରେ ପିଲାଟିଏ ପରିଚିତ ରହି ସାନରୁ ବଡ ହୋଇଥାଏ।ତା ଛଡା ଟିଭି,ମୋବାଇଲ, ସାମାଜିକ ଗଣମାଧ୍ୟମ ଅନ୍ଧବିଶ୍ୱାସର ମଞ୍ଜି ବୁଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରେ।ଘରେ ଘରେ ପ୍ରସାରିତ ହେଉଥିବା ପ୍ରାୟ 50 ପ୍ରତିଶତ ରୁ ଅଧିକ ଟିଭି ସୋ,ସିରିୟଲ୍,ଚଳଚ୍ଚିତ୍ର ଆଦି ବାବାମାତାଙ୍କ ଅଲୌକିକତା,କୁହୁକବିଦ୍ୟା,ତନ୍ତ୍ରମନ୍ତ୍ର,ଡାହାଣୀ ଅସୁର ଭୂତପ୍ରେତ ଆଦି କପୋଳକଳ୍ପିତ କଥା କାହାଣୀ ଉପରେ ପର୍ଯ୍ୟବେସିତ।ଯାହା ପିଲାଟିଏ ଘରର ଅନ୍ୟ ସଦସ୍ୟଙ୍କ ସହ ବସି ଦେଖେ,ଆତଙ୍କିତ ହୁଏ ଓ ଘଟଣାଗୁଡିକ ପ୍ରତି ସମ୍ବେଦନଶୀଳ ହୋଇ ଆଖି ବୁଜି ସତ ମାନିନିଏ।ଯାହା ଆସ୍ତେ ଆସ୍ତେ ସେମାନଙ୍କ ବୁଦ୍ଧି ବିବେକକୁ ସଂକୀର୍ଣ୍ଣ କରାଇବା ସହ ନିଜ ଜୀବନରେ ପ୍ରତିଫଳିତ କରାଏ।
ଆଲୋଚନାର ସାର ଏହାଯେ, ଏସବୁ କୁଶିକ୍ଷାର କୁପରିଣାମ  ଭବିଷ୍ୟତରେ ଯାଇ ଅଧିକ ଭୟାବହ ରୂପ ଧରିବ ସେଥିରେ ସଂଶୟ ନାହିଁ। ଆମ ପଡୋଶୀ ଦେଶମାନ ନୂତନ ନୂତନ ଜ୍ଞାନକୌଶଳର ଅଧିକାରୀ ହୋଇ ବିଜ୍ଞାନ ପ୍ରଯୁକ୍ତିବିଦ୍ୟାରେ ନାଁ କରୁଛନ୍ତି ।ଗବେଷଣାତ୍ମକ ଅନୁସନ୍ଧାନ ଜାରିରଖି ଉପଯୋଗୀ ଆବିଷ୍କାର ଓ ଉଦ୍ଭାବନମାନ ଭେଟି ଚାଲିଛନ୍ତି ।କିନ୍ତୁ ଆମେ ଏଠାରେ ଏବେବି ଚମତ୍କାର ଦେଖିବାକୁ ଆଶାବାଦୀ ହୋଇ ଅନେଇ ବସିଛେ। ଇଶ୍ୱର ବିଶ୍ୱାସ ଓ ଏକାଗ୍ରତାକୁ ଋଣାତ୍ମକ ଦିଗରେ ନେଇ ଧନ ପାଇଁ ଲକ୍ଷ୍ମୀ,  ବୁଦ୍ଧି  ପାଇଁ ଗଣେଷ, ବର୍ଷା ପାଇଁ ଇନ୍ଦ୍ର , ବର ପାଇଁ ଚନ୍ଦ୍ର ପରି ଅପ୍ରାକୃତିକ ତର୍କହୀନ ବିଶ୍ୱାସରେ ବୁଡିରହିଛେ।ଏସବୁ ଆମ ବୈଜ୍ଞାନିକ ମନୋଭାବ ଓ ଦୃଷ୍ଟିକୋଣକୁ ଧ୍ୱଂସାଭିମୁଖୀ କରିବା ସହ ଅଯଥା ଧର୍ମ ଭିତ୍ତିକ ଗୋଷ୍ଠୀ କନ୍ଦୋଳ,ସାଂପ୍ରଦାୟିକତାବାଦକୁ ପ୍ରୋତ୍ସାହିତ କରୁଛି।ଦୁଇ ବ୍ୟକ୍ତିଙ୍କ ଝଗଡାରେ ତୃତୀୟ ଲୋକ ଲାଭବାନ ହେବା ପରି ଏହାର ଫାଇଦା ନେଇ ବିକଶିତ ଓ ଉନ୍ନତଶୀଳ  ହୋଇଚାଲିଛନ୍ତି ଆମ ଆଖପାଖ ଦେଶ,ମହାଦେଶ।ଉତ୍ପାଦସ୍ୱରୂପ ବଳି ପଡୁଛନ୍ତି ଆମ ଆଗାମୀ ଭବିଷ୍ୟ ନାଗରିକ। ଅଜ୍ଞାନତାର ଶିକାର ହୋଇ ଅନୁସରଣ କରିଚାଲିଛନ୍ତି ଭ୍ରମାତ୍ମକ ପନ୍ଥାଗୁଡିକୁ।ତତ୍ ସହିତ କୁସଂସ୍କାର, ଅନ୍ଧବିଶ୍ୱାସର ସାମ୍ରାଜ୍ୟବିସ୍ତାର  ସକାଶେ  ବିଜ୍ଞାନଭିତ୍ତିକ ତଥ୍ୟ, ସିଦ୍ଧାନ୍ତ, ପ୍ରମାଣ ସବୁ  ଶାସ୍ତ୍ରୋଲିଖିତ ନିର୍ଦ୍ଦେଶଗୁଡିକ ଆଗରେ ହାରିବାକୁ ବସିଛି।
ତେଣୁ ବିଜ୍ଞାନର ଉପାଦେୟତାକୁ ବଳିଷ୍ଠ କରିବା ଏବଂ ସାମ୍ପ୍ରତିକ ଯୁଗକୁ ବିଜ୍ଞାନର ଯୁଗ ରୂପେ ପରିଗଣିତ କରିବା ପାଇଁ ଉଦ୍ୟମ ତଳସ୍ତରରୁ ହିଁ କରିବା ପାଇଁ ପଡିବ।ବିଜ୍ଞାନ ଜଗତରେ ମାନବର ସ୍ଥିତି କୁ ସୁଦୃଢ କରିବା ପାଇଁ ପ୍ରଥମେ ଏହାର ମୂଳଦୁଆକୁ ହିଁ ବଳୀୟାନ କରିବାକୁ ପଡିବ। ନାରୀ ଶିକ୍ଷା,ଯୌନ ଶିକ୍ଷା, ସାମରିକ ଶିକ୍ଷା, ନୈତିକ ଶିକ୍ଷା ପରି ବିଦ୍ୟାଳୟ ପାଠ୍ୟ ଖସଡାରେ ସାମିଲ କରିବାକୁ ପଡିବ ହେତୁଜ୍ଞାନର ଶିକ୍ଷାକୁ ।ଶିକ୍ଷା ଶିବିର ଓ ଆଲୋଚନା ଚକ୍ର ମାନ ଆୟୋଜିତ କରି ଛାତ୍ରଛାତ୍ରୀମାନଙ୍କ ବୁଦ୍ଧି ବିବେକକୁ ରୁଦ୍ଧାବସ୍ଥାରୁ ନେଇ ଉନ୍ମୁକ୍ତ କରିବାପାଇଁ ପଡିବ। ଶିକ୍ଷାଧାରାରେ ପ୍ରଗତି ଆଣି ଏବେ ଠାରୁ କୁନି କୁନି ହେତୁବାଦୀ ଓ ବୈଜ୍ଞାନିକ ଗଢିପାରିଲେ ଆମେ ବି ଦିନେ ଶିକ୍ଷା,ସ୍ୱାସ୍ଥ୍ୟ,କୃଷି,ଉତ୍ପାଦନ,ଗମନାଗମନ ସମସ୍ତ କ୍ଷେତ୍ରରେ ବିଶ୍ୱଗୁରୁ ସାଜି ପାରିବା।
Leave A Reply