ସୌଭାଗ୍ୟ ରଂଜନ ମହାନ୍ତି(ରାଜା)ସାମ୍ବାଦିକ : ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଯଦି କେହି ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି, ତେବେ ସେମାନେ ହେଉଛନ୍ତି ଛାତ୍ରଛାତ୍ରୀ । ରିପୋର୍ଟରେ କୁହାଯାଇଛି ଯେ, ଦେଶରେ ପ୍ରାୟ ୩୦ କୋଟି ଛାତ୍ରଛାତ୍ରୀ କରୋନା ମହାମାରୀ ଯୋଗୁଁ ଗୋଟିଏ ଶିକ୍ଷାବର୍ଷ ହରାଇବାକୁ ଯାଉଛନ୍ତି । କହିବା ବାହୁଲ୍ୟ ଯେ, ଆମ ଦେଶରେ ଏପ୍ରିଲରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେଉଥିବା ବେଳେ ମହାମାରୀ କରୋନା ସଂକ୍ରମଣ ମୁକାବିଲା ପାଇଁ ଗତ ମାର୍ଚ୍ଚ ମାସରୁ ସ୍କୁଲ ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଆଦି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏପରିକି ଗତ ଶିକ୍ଷାବର୍ଷରେ ବାର୍ଷିକ ପରୀକ୍ଷା ମଧ୍ୟ ଅଧାରୁ ବନ୍ଦ ହୋଇଯାଇଥିଲା । ଏବେ ଦୀର୍ଘ ୮ ମାସରୁ ଉଦ୍ଧ୍ୱର୍ ସମୟ ଧରି ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିଥିବାବେଳେ କେବେ ଖୋଲିବ କହିବା ମୁସ୍କିଲ ।
ଦେଶରେ ଗତ ସେପ୍ଟେମ୍ବର ମାସ ମଧ୍ୟ ଭାଗରୁ ସଂକ୍ରମଣ କ୍ରମଶଃ ହ୍ରାସ ପାଇବା ପରେ ଶିକ୍ଷାନୁଷ୍ଠାନଗୁଡିକ ଖୋଲିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ ମଧ୍ୟ ରାଜ୍ୟ ସରକାରମାନଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ମାତ୍ର ଶୀତ ଦିନରେ ସଂକ୍ରମଣ ପୁଣି ବଢିବାରେ ସ୍ୱାସ୍ଥ୍ୟ ବିଶାରଦମାନେ ସତର୍କବାଣୀ ଶୁଣାଇବା ପରେ ସ୍କୁଲଗୁଡିକ ଖୋଲିବା ନେଇ ପୁଣି ଅନିଶ୍ଚିତତା ମଧ୍ୟ ଦୁର୍ଦ୍ଦିନ ଠେଲି ହୋଇଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଗତ ୨ ତାରିଖରେ ଆନ୍ଧ୍ର ପ୍ରଦେଶରେ ସ୍କୁଲ ଖୋଲିବା ପରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ତାହା କେବଳ ଛାତ୍ରଛାତ୍ରୀ, ଶିକ୍ଷକମାନଙ୍କୁ ବିପଦ ମଧ୍ୟକୁ ଠେଲି ଦେଇ ନାହିଁ, ସ୍କୁଲ ଖୋଲିବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସ୍କୁଲ ଖୋଲିବାର ମାତ୍ର ସପ୍ତାହକ ମଧ୍ୟରେ ଆନ୍ଧ୍ର ପ୍ରଦେଶରେ ୧୦୦୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଏବଂ ଶିକ୍ଷକ କରୋନା ଆକ୍ରାନ୍ତ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି ।
ଆନ୍ଧ୍ରର ପରିସ୍ଥିତିକୁ ଦେଖି ଓଡ଼ିଶା ସମେତ କେତେକ ରାଜ୍ୟ ସରକାର ସ୍କୁଲ ଖୋଲିବା ନିଷ୍ପତିକୁ ଓହରିଯିବା ସହ ଛୁଟି ଅବଧିକୁ ବର୍ଷ ଶେଷ ଯାଏ ବଢାଇ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ମହାମାରୀ କରୋନା ଯୋଗୁଁ ଚଳିତ ଶିକ୍ଷା ବର୍ଷର ଆଠ ମାସ ଧୋଇଦେଇ ଯାଇଥିବା ବେଳେ ପାଠ ପଢା ସଂପୂର୍ଣ୍ଣ ପ୍ରଭାବିତ ହୋଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସିଲାବସ୍ ୩୦ ପ୍ରତିଶତ ହ୍ରାସ କରିଥିବା ସତ୍ୱେ ବିଶେଷ କିଛି ସୁଫଳ ମିଳିବା ଆଶା କରିଦେଉନାହିଁ । ଅବଶ୍ୟ ପାଠ ସହ ପିଲାଙ୍କୁ ଯୋଡି ରଖିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନଲାଇନରେ ପାଠପଢା କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଟେଲିଭିଜନ ଓ ରେଡିଓରେ ମଧ୍ୟ ପାଠପଢା ଅଭିଯାନ ଆରମ୍ଭ କରିଛନ୍ତି ।
ଏହାଦ୍ୱାରା ସହରାଚଂଳର ଛାତ୍ରଛାତ୍ରୀ ଉପକୃତ ହୋଇଥିବା ବେଳେ ଗ୍ରାମାଚଂଳ ଓ ସହରାଚଂଳ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରିଛି ବୋଲି କୁହାଯାଇପାରେ । ଇଂଟରନେଟ ନେଟୱାର୍କ ନଥିବାରୁ ଗ୍ରାମାଚଂଳ, ଦୁର୍ଗମ ଅଂଚଳରେ ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ ପାଠପଢିବା ପାଇଁ କେଉଁଠି ପାଣିଟାଙ୍କି ଉପରେ ଚଢିବାକୁ ପଡିଲାଣିତ, କେଉଁଠି ଗଛ ଉପରେ, କେଉଁଠି ପାହାଡ ଉପରେ ଚଢିବାକୁ ପଢୁଥିବା ରିପୋର୍ଟ ପ୍ରକାଶ ପାଇଛି । ସେହିପରି ଅଘୋଷିତ ବିଦୁ୍ୟତ୍ କାଟ ଯୋଗୁଁ ଦୂରଦର୍ଶନରେ ଓ ରେଡିଓରେ ପାଠପଢା ଗ୍ରହଣୀୟ ହୋଇପାରିନାହିଁ । ନିକଟରେ ଆନୁଆଲ ଷ୍ଟାଟସ ଅଫ ଏଜୁକେସନ ରିପୋର୍ଟ (ଏଏସଇଆର)-୨୦୨୦ ସର୍ଭେ ରିପୋର୍ଟରେ ଯେଉଁ ତଥ୍ୟ ପ୍ରକାଶ ପାଇଛି, ତାହା ବାସ୍ତବ ତଥ୍ୟକୁ ଉପସ୍ଥାପିତ କରିଛି ବୋଲି ନିସନେ୍ଦହରେ କୁହାଯାଇପାରିବ ।
ଏଏସଇଆର ଦେଶର ୨୬ଟି ରାଜ୍ୟ ଓ ୪ଟି କେନ୍ଦ୍ରଶାସିତ ଅଂଚଳରେ କରିଥିବା ସର୍ଭେ ରିପୋର୍ଟରେ ଉଲ୍ଳେଖ କରିଛି ଯେ, ଦେଶର ମୋଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ଏକ-ତୃତୀୟାଂଶ ଅନଲାଇନରେ ପାଠପଢା ସୁବିଧା ପାଉଥିବାବେଳେ ମାତ୍ର ୧୧ ପ୍ରତିଶତ ଅନଲାଇନ ପାଠପଢାର ଲାଇଭ୍ ଗ୍ରହଣ କରୁଛନ୍ତି । ସର୍ଭେ ରିପୋର୍ଟରେ ଆହୁରି କୁହାଯାଇଛି ଯେ, ସବୁ ଛାତ୍ରଛାତ୍ରୀଙ୍କ ନିକଟରେ ସ୍ମାଟଫୋନ୍ ନାହିଁ । ଲକଡାଉନ ସମୟରେ ମାତ୍ର ୧୧ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅଭିଭାବକ ସ୍ମାର୍ଟ ଫୋନ ଦେଇଛନ୍ତି । କେବଳ ଏତିକି ନୁହେଁ, ରିପୋର୍ଟରେ ଆହୁରି କୁହାଯାଇଛି ଯେ, ସରକାରୀ ସ୍କୁଲର ୪୩.୬ ପ୍ରତିଶତ ଛାତ୍ରଛାତ୍ରୀଙ୍କର ସ୍ମାର୍ଟ ଫୋନ ନାହିଁ । ବିଶେଷ କରି ଗ୍ରାମାଚଂଳରେ ଗରିବ, ଅସହାୟ, ଅଭିଭାବକ ସେମାନଙ୍କ ପିଲାମାନÿଙ୍କ ପାଇଁ ସ୍ମାର୍ଟଫୋନଟିଏ କିଣିବା ସାମର୍ଥ୍ୟ ନାହିଁ, ଆହୁରି ମଧ୍ୟ ସ୍ମାର୍ଟଫୋନ ପାଇଁ କେତେକ ଅଘଟଣ ମଧ୍ୟ ଘଟିଛି । ଅନଲାଇନରେ ପାଠପଢା ଦ୍ୱାରା ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପକୃତ ହୋଇଥିବା ବେଳେ ସରକାରୀ ବିଦ୍ୟାଳୟ ବିଶେଷ କରି ଗ୍ରାମାଚଂଳର ଛାତ୍ରଛାତ୍ରୀମାନେ ସ୍ମାର୍ଟଫୋନ୍, ଇଂଟରନେଟ, ନେଟୱାର୍କ ଅଭାବରୁ ଏଥିରୁ ବଂଚିତ ହୋଇଛନ୍ତି ।
କିନ୍ତୁ ଏହା ସତ୍ୱେ ସ୍ମାର୍ଟ ଫୋନ୍, ହ୍ୱାଟସ୍ ଆପର ବ୍ୟବହାର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଦୃତ ହୋଇପାରିଛି । ଅନ୍ୟପକ୍ଷରେ ପାଠ୍ୟ ପୁସ୍ତକର ଅଭାବ ମୁଖ୍ୟ ପ୍ରତିବନ୍ଧକ ଭାବେ ଉଭା ହୋଇଛି । ୬୦ ପ୍ରତିଶତ ଛାତ୍ରଛାତ୍ରୀ ପାଠ୍ୟ ପୁସ୍ତକ ଉପରେ ନିର୍ଭର କରୁଥିବା ବେଳେ ବହିର ଅଭାବ ସେମାନଙ୍କୁ ନୈରାଶ୍ୟ ମଧ୍ୟକୁ ଠେଲି ଦେଇଥିବା କୁହାଯାଇଛି ।
ମହାମାରୀ ସମୟରେ ଛାତ୍ରଛାତ୍ରୀ ପାଠ ପଢିପାରିବେ, ଯଦି ସେମାନଙ୍କୁ ପାଠ୍ୟପୁସ୍ତକ ଓ ଅନ୍ୟାନ୍ୟ ଉପକରଣ ପାଇପାରିବେ । ମାତ୍ର ଲକଡାଉନ ଓ ମହାମାରୀ ଯୋଗୁଁ ଗରିବ, ଅସହାୟ କାମଧନ୍ଦା ହରାଇଥିବା ବେଳେ ବେକାରୀ ବଢିଥିବା ବେଳେ ଏହା ସମ୍ଭବ ହୋଇପାରିନାହିଁ । ବର୍ତମାନ ସୁଦ୍ଧା କରୋନା ଭୂତାଣୁର କୌଣସି ଟିକା ବାହାରି ନାହିଁ, ଶ୍ରେଣୀ ଗୃହରେ ଏବେ ପାଠ ପଢା ବହୁ ଦୂରରେ । ଏପରି କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଉଭୟ କ୍ଷତି ଓ ପାଠପଢା ସମସ୍ତ ଷ୍ଟକ ହୋଲଡର ମାନେ ଚିନ୍ତା କରି ସମାଧାନ ପନ୍ଥା ନିର୍ଣ୍ଣୟ କରିବା ଜରୁରୀ ।