ବାରିପଦା : ମୟୂରଭଞ୍ଜ ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ଶ୍ୟାମାଖୁଣ୍ଟା ତହସିଲ ଅଧିନରେ ଥିବା ଏକ ବେଆଇନ୍ କ୍ରସରରେ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର ସ୍କ୍ୱାର୍ଡ ପକ୍ଷରୁ ଚଢଉ କରାଯାଇଥିଲା । ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ବିବେକାନନ୍ଦ ସାହୁଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢଉ ସମୟରେ କ୍ରସର ପକ୍ଷରୁ କୌଣସି ଲାଇସେନ୍ସ ଦେଖାଇ ପାରିନଥିଲେ । ଫଳରେ ଉକ୍ତ କ୍ରସରର ୨ଟି ଗାଡି ସମେତ ସେଠାରେ ଗଚ୍ଛିତଥିବା ଲଘୁଖଣିଜକୁ ଜବତ କରାଯାଇଥିବା ଜଣାପଡିଛି । ତେବେ କୌଣସି ଅପ୍ରିତୀକର ପରିସ୍ଥିତ ସୃଷ୍ଟି ଆଶଙ୍କାରେ କ୍ରସରର ୩ଜଣ କର୍ମଚାରୀଙ୍କୁ ଥାନାରେ ଅଟକ ରଖାଯାଇଥିବା ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ଲକ୍ଷାଧିକ ଟଙ୍କାର ଲଘୁଖଣିଜ ଜବତ କରାଯାଇଥିବା ଜଣାପଡିଛି । ସେହିପରି ଜବତ ଗାଡିଗୁଡିକଠାରୁ ମଧ୍ୟ ୨୦ହଜାରଟଙ୍କାରୁ ଉଦ୍ଧ୍ୱର୍ ଜରିମାନା ଆଦାୟ କରାଯାଇଛି ଏବଂ ଉକ୍ତ କ୍ରସର ମାଲିକଙ୍କୁ ଉପଯୁକ୍ତ ପ୍ରମାଣପତ୍ର ଦେଖାଇବାକୁ କୁହାଯାଇଛି । ନଚେତ୍ ଆଇନ୍ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ସୂଚନା ଦିଆଯିବା ସହ କ୍ରସରର ମାଲିକ ସର୍ବେଶ୍ୱର ଖଣ୍ଡା ବୋଲି ଜଣାପଡିଛି । ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଶ୍ରୀସାହୁଙ୍କ ନେତୃତ୍ୱରେ ବିଭିନ୍ନ ତହସିଲରୁ ଦକ୍ଷ ଅଧିକାରୀମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯିବା ସହ ଜିଲ୍ଲାରେ ବେଆଇନ୍ ଭାବେ ଲଘୁଖଣିଜ ଚୋରାଚାଲଣ ବ୍ୟାପକ ଭାବେ ହେଉଥିବା ସ୍ଥାନରେ ଚଢଉ କରାଯାଉଛି ।
