ଛତ୍ରପୁର,୫/୯(dillip panigrahi): ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଓସ୍ୱାନ ଭିଡିଓ କନ ଫେରନ୍ସିଂ ହଲ ଠାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପର୍ଯ୍ୟାଲୋଚନା ‘ଦିଶା’ ବୈଠକ କମିଟିର ଅଧ୍ୟକ୍ଷ ତଥା ଆସିକା ସାଂସଦ ପ୍ରମିଳା ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଚାଷୀମାନଙ୍କୁ ସାର ଯୋଗାଣ ଓ ସଠିକ୍ ଭାବରେ ସାର ବଣ୍ଟନ କରିବା, ସାନଖେମୁଣ୍ଡି ଷ୍ଟାଡିୟମର ଉନ୍ନତି କରଣ ଏବଂ ରତ୍ନଦେଇ ମନ୍ଦିରର ଉନ୍ନତି କରଣ ପାଇଁ ଜୁରା, ଗଙ୍ଗାପୁର, ଗୋପାଳପୁର ତିନିଗୋଟି ପଞ୍ଚାୟତରେ ପକ୍କା ରାସ୍ତା ନିର୍ମାଣ କଲେ ଗୋଟିଏ ଭଲ ପର୍ଯ୍ୟଟନ ସ୍ଥଳୀ ହୋଇପାରିବ । କାହିଁକି ନା’ ପାହାଡ ଉପରୁ ଗୋପାଳପୁର ବତୀଘର ଦିସୁଛି ଓ ପାହାଡ ତଳେ ରଘୁନାଥ ସାଗର ଡ୍ୟାମ୍ ରହିଛି । ଯଦ୍ୱାରା ଏହି ଅଞ୍ଚଳରେ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରିପାରିବ ବୋଲି ସାଂସଦ ଶ୍ରୀମତି ବିଷୋୟୀ କହିଥିଲେ । ଏଥିସହ ଆଦିବାସୀ ଅଞ୍ଚଳ ଯଥା-ଗୁଣ୍ଡିଗୁଡ, କାଳିବୁରେଇ ଓ ଖେମୁଣ୍ଡିଖୋଲକୁ ପକ୍କାରାସ୍ତା ନିର୍ମାଣ କରିବା ପାଇଁ କହିଥିଲେ ।
ସେହିପରି ଗଂଜାମ ଜିଲ୍ଲା ଗ୍ରାମାଞ୍ଚଳର ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ଗୁଡିକ ତ୍ୱରାନ୍ୱିତ କରିବା ପାଇଁ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଛି । ବିଶେଷ କରି ଚାଷୀମାନଙ୍କ ନିମନ୍ତେ ସାର, ଜମି ଚାଷ ନିମନ୍ତେ ଜଳ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଇଛି । ସାର ଚାଷୀମାନେ କିପରି ସରକାରୀ ଦରରେ ଉତ୍ତମ ଭାବେ ପାଇପାରିବେ ସେଥିପ୍ରତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀମାନଙ୍କୁ ତଦାରଖ କରିବାକୁ କୁହଯାଇଛି । କୋଭିଡ୍ ପାଇଁ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ଗୁଡିକର ସମସ୍ୟା ରହିଥିବା ବେଳେ ଏବେ ସେଗୁଡିକୁ ତ୍ୱାରାନ୍ୱିତ କରିବାକୁ ହେବ । ଏମ୍ନରେଗା ଯୋଜନାରେ ଚାଲୁ ରହିଥିବା ପ୍ରକଳ୍ପ କାର୍ଯ୍ୟ ଗୁଡିକୁ ଜୋରାଦାର କାମ ଆରମ୍ଭ କରି ସମ୍ପନ୍ନ କରିବାକୁ ହେବ ।
ଏମ୍ନରେଗା ଯୋଜନାରେ ମଞ୍ଜୁର ହୋଇଥିବା ପ୍ରକଳ୍ପ ଏବଂ ଚାଲୁ ରହିଥିବା କାର୍ଯ୍ୟ ସଂକ୍ରାନ୍ତରେ ପଞ୍ଚାୟତ ପ୍ରତିନିଧି ତଥା ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ ଅଧ୍ୟକ୍ଷଏବଂ ବିଧାୟକମାନଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପାନୀୟଜଳ, ଶିକ୍ଷା ସମ୍ବନ୍ଧୀୟ ଆଦି ବିଭିନ୍ନ ଯୋଜନା ଉପରେ ଆଲୋଚନା ହୋଇଥିଲା । କରୋନା ଓ ଲକ୍ଡାଉନ୍ ପାଇଁ ପ୍ରତ୍ୟାବର୍ତ୍ତନ କରିଥିବା ଗଂଜାମ ଜିଲ୍ଲା ପ୍ରବାସୀମାନଙ୍କୁ ଏମନରେଗା ଯୋଜନାରେ କାମ ଯୋଗାଇବା ପାଇଁ କୁହାଯାଇଛି । ଯେଉଁ ପ୍ରବାସୀମାନେ ଏବେ ଅଛନ୍ତି ସେମାନଙ୍କୁ କାମ ଯୋଗାଇବା ପାଇଁ ଜବ୍ କାର୍ଡ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସକାଶେ ପ୍ରତି ବୁଧବାର ଦିନ ଏମ୍ନରେଗା ଯୋଜନାରେ ଜବ୍ କାର୍ଡ ନାମାଙ୍କନ ଦିବସ ସମ୍ବନ୍ଧରେ ଆଲୋଚନା କରାଯିବ । ଏଥିରେ କେତେ ପ୍ରବାସୀମାନଙ୍କ ଜବ୍ କାର୍ଡ କରାଯାଇଛି ସେମାନଙ୍କୁ କେଉଁ କେଉଁ କାମରେ ନିୟୋଜିତ କରାଯାଇଛି ଆଲୋଚନା ହେବ ବୋଲି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ଗଂଜାମ ଜିଲ୍ଲାରେ ସମସ୍ତ କାର୍ଯ୍ୟକୁ ସ୍ୱଚ୍ଛତା ସହ କରିବାକୁ ଓଡିଶାର ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ଶ୍ରୀ ପାତ୍ର ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ସୂଚନା ଦେଇଛନ୍ତି । ବ୍ଲକ ଅଧୀନରେ ଚାଲିଥିବା ଏମ୍ନରେଗା ଯୋଜନା ଠାରୁ ଆରମ୍ଭ କରି ସମସ୍ତ ଉନ୍ନୟନମୂଳକ ଯୋଜନା ଗୁଡିକ ସମ୍ବନ୍ଧରେ ବିଧାୟକମାନଙ୍କୁ ଅବଗତ କରାଯାଉ ନାହିଁ କିମ୍ବା ସେ ସଂକ୍ରାନ୍ତରେ କୌଣସି ସୂଚନା ମଧ୍ୟ ଦିଆଯାଉ ନାହିଁ । ଏହାସହ ବ୍ଲକ କନିଷ୍ଠ ଯନ୍ତ୍ରୀମାନେ ସେମାନଙ୍କ ମନଇଛା ସମସ୍ତ କାର୍ଯ୍ୟ ଗୁଡିକ କରୁଛନ୍ତି ।
ଲୋକମାନେ କାମ କରିବା ପରେ ବାରମ୍ବାର ଧାଇଁଲେ ମଧ୍ୟ ପ୍ରକଳ୍ପର ବିଲ୍ କରୁନାହାନ୍ତି । ଏହାକୁ ନେଇ ପଞ୍ଚାୟତ ତଥା ଗାଁ ଗହଳିର ଲୋକମାନେ ଆମ୍ଭମାନଙ୍କ ଦ୍ୱାରସ୍ଥ ହେଉଛନ୍ତି । ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବା ସହ ବ୍ଲକ ପକ୍ଷରୁ ଯେତେ ଗୁଡିଏ ଉନ୍ନୟନମୂଳକ କାର୍ଯ୍ୟ ହେଉଛି ସେ ସମ୍ବନ୍ଧରେ ବିଧାୟକମାନଙ୍କୁ ଅବଗତ କରାଯିବ ସହ ତାହାରି ସୂଚନାପତ୍ର ମଧ୍ୟ ହସ୍ତାନ୍ତର କରାଯାଉ ବୋଲି ଓଡିଶାର ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଠାରୁ ଆରମ୍ଭ କରି ଜିଲ୍ଲାର ବିଧାୟକ ଓ ବିଧାୟିକା ଆଜି ଅନୁଷ୍ଠିତ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପର୍ଯ୍ୟାଲୋଚନା ବୈଠକରେ ଅଭିଯୋଗ କରିଛନ୍ତି । ସେହିପରି ଆସିକା ବିଧାୟିକା , କବିସୂର୍ଯ୍ୟନଗର ବିଧାୟିକା ଓ ଖଲିକୋଟ ବିଧାୟିକା, ସୋରଡା ବିଧାୟକ , ପୋଲସରା ବିଧାୟକ ଠାରୁ ଆରମ୍ଭ ଛତ୍ରପୁର ବିଧାୟକ ପର୍ଯ୍ୟନ୍ତ ନିଜ ନିଜ ଅଂଚଳର କିପରି ଉନ୍ନତୀ ହେବ ଲୋକମାନେ ବିଭିନ୍ନ ପ୍ରକାର ସାହାର୍ଯ୍ୟ ପାଇପାରିବେ ସେଥି ନିମନ୍ତେ ନିଜ ନିଜ ବ୍ଲକ କାର୍ଯ୍ୟାଳୟ ଗୁଡିକରେ ଉପସ୍ଥିତ ରହି ଭିଡିଓ କନଫେରନ୍ସିଂ ମାଧ୍ୟମରେ ଆଲୋଚନା ବୈଠକରେ ମତ ପ୍ରକାଶ କରିଥିଲେ । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏହି ଆଲୋଚନା ବୈଠକରେ ଚାଷୀମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ କିପରୀ ସହଜରେ ସାର ମିଳିପାରିବ ସେଥି ନିମନ୍ତେ କହିଥିଲେ ।
ଏହାସହ ଲାଇନଡିପାଟମେଣ୍ଟର ଅଧିକାରୀ ମାନେ ସମନ୍ୱୟ ରଖି ନିଜ ନିଜ ଅଂଚଳରେ କିପରୀ ଉନ୍ନୟନ କାର୍ଯ୍ୟ ସହ ଲୋକଙ୍କ ସୁବିଧା ହୋଇପାରିବ ସେଥି ନିମନ୍ତେ ଧ୍ୟାନ ଦେବାକୁ ଶ୍ରୀ ବେହେରା କହିଥିଲେ ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲେଇ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତିଶଙ୍କର ରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ଡିଆରଡିଏ ଓଏସ୍ଡି କୃଷ୍ଣଚନ୍ଦ୍ର ପଣ୍ଡା, ସହକାରୀ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ବୈଷୟିକ)ମନୋଜ କୁମାର ବେହେରା, ଡିପିଏମ୍ ଶ୍ୟାମ ସୁନ୍ଦର ତ୍ରିପାଠୀ ଙ୍କ ସମେତ ବିଭିନ୍ନ ଲାଇନ ଡିପାଟମେଣ୍ଟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
