Odisha news

ବନ୍ୟା ଦୁର୍ଦ୍ଦଶା : ରାସ୍ତା କଡରେ ଛିଣ୍ଡା ପାଲ ତଳେ ବିତୁଛି ବିପନ୍ନଙ୍କ ଜୀବନ

0

ତିହିଡି, ୦୧/୦୯(ଯଦୁମଣି ପାଣିଗ୍ରାହୀ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ତିହିଡି ବ୍ଲକର ୯ ପଞ୍ଚାୟତ ପ୍ରଭାବିତ ହୋଇଥିବା ବେଳେ କାଁପଡା ପଞ୍ଚାୟତର ବହୁ ଲୋକଙ୍କ ଘର ଭାଙ୍ଗିଥିବା ଖବର ମିଳିଛିି । ବିଶେଷକରି ମାଟିକାନ୍ଥ ଓ ନଡାଛପର ଘରେ ରହୁଥିବା ଲୋକେ ବନ୍ୟା ଯୋଗୁଁ ନାନାଦି ସମସ୍ୟା ମଧ୍ୟରେ ଦହଗଞ୍ଜ ହେଉଛନ୍ତି । ଘର ଭାଙ୍ଗଯିବା କାରଣରୁ କେତେକ ବିପନ୍ନ ରାସ୍ତା କଡରେ ଛିଣ୍ଡାପାଲ ପକାଇ ମୁଣ୍ଡ ଗୁଞ୍ଜିଥିବା ପରିଲକ୍ଷିତ ହୋଇଛି । ସରକାରୀ ରିଲିଫ୍ କହିଲେ କେବଳ ଚୁଡା ଓ ଗୁଡ । ଭୋକ ଉପାସରେ ଲୋକେ କାଳାତିପାତ କରୁଥିବା ବେଳେ ସାମାଜିକ ସଂଗଠନର ସହାୟତା ସେମାନଙ୍କ ପାଇଁ ବଞ୍ଚôବାର ରାହା ଦେଇଛି ।

ବ୍ଲକ ଓ ତହସିଲ କର୍ତ୍ତୃପକ୍ଷ ସେମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଅବଗତ ହୋଇଥିଲେ ମଧ୍ୟ ଏଯାଏଁ ସେମାନଙ୍କୁ କୌଣସି ସହାୟତା ମିଳିପାରିନି । ସେମାନଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ଆପାତତଃ ପଲିଥିନ୍ଟିଏ ଯୋଗାଇ ଦିଆଯାଇ ପାରିଲେ ବିପନ୍ନମାନେ ଉପକୃତ ହୋଇପାରନ୍ତେ । ଏହି ପଞ୍ଚାୟତର ଜଗବନ୍ଧୁ ଦାସ, ପ୍ରକାଶ ଦାସ, ଅନୁସୟା ମଳିକ, ମନୁଆ ଦାସ, ସୁବାଶ ଚନ୍ଦ୍ର ଦାସ, ନବକିଶୋର ଦାସ, ନବଘନ ମଳିକ, ଚେମା ଦାସ, ରୁଗା ମଳିକ, ଗୋଲେଖ ଦାସ, ଚେମାମଣି ମଳିକ, ବୁଦ୍ଧିରାମ ଦାସ ପ୍ରମୁଖ ଶତାଧିକ ଲୋକଙ୍କ ଘର ଭାଙ୍ଗିଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କୁ ପଚାରିବାରୁ ବନ୍ୟାରେ ଘରଭଙ୍ଗା ସମ୍ପର୍କରେ କାଁପଡା ଆରଆଇ ତଦନ୍ତ କରି ରିପୋର୍ଟ ପ୍ରଦାନ କଲେ ସରକାରଙ୍କ ପକ୍ଷରୁ ଉଦ୍ଦିଷ୍ଟ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ।

Leave A Reply