ଯାଜପୁର ସଦର-୦୧/୦୯ : ଭୟଙ୍କର ବନ୍ୟା ପରିସ୍ଥିତି ବେଳେ ଯାଜପୁର ସଦର ଥାନା ଅନ୍ତର୍ଗତ ଖରସ୍ରୋତା ନଦୀର ରାଜଘାଟ ସେତୁ ଠାରୁ ତନ୍ତିଘାଇ ପର୍ଯ୍ୟନ୍ତ ଯାଇଥିବା ନଦୀ ବନ୍ଧକୁ ନିକଟସ୍ଥ ମାଧପୁର ଗ୍ରାମବାସୀ ମାନେ ବନ୍ୟା ଦାଉରୁ ରକ୍ଷା ପାଇବା ପାଇଁ ନଦୀ ବନ୍ଧକୁ ହାଣିବାକୁ ଆରମ୍ଭ କରିଥିଲେ । ସେହି ସମୟରେ ବରୁଆଁ ଗ୍ରାମବାସୀମାନେ ସୁଚନା ପାଇ ଦଳବଦ୍ଧ ଭାବେ ଯାଇ ପ୍ରତିରୋଧ କରିଥିଲେ । ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ବାକ୍ବିତଣ୍ଡା ହେବା ସହିତ ମାଧପୁର ଗ୍ରାମବାସୀ ଟେକା ପଥର ମାଡ କରିଥିଲେ ।
ଘଟଣାସ୍ଥଳରେ ପୁଲିସ୍ ପହଁଚି ଉତେଜନାକୁ ଆୟତ କରିଥିଲେ । ଟେକା ପଥର ମାଡରେ କିଛି ପୁଲିସ୍ କର୍ମଚାରୀ ଆହତ ହେବା ସହିତ ବରୁଆଁ ଗ୍ରାମବାସୀମାନେ କିଛି ଆହତ ହୋଇଥିଲେ । ସୁଚନା ପାଇ ଯାଜପୁର ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଡ. ଭବାନୀ ପଟନାୟକ,ଡିଏସପି ନାରାୟଣ ଚରଣ ବାରିକ୍,ସଦର ଥାନାଧିକାରୀ ବଂଶୀଧର ବେହେରା,ଯାଜପୁର ଥାନାଧିକାରୀ ମାନସ ରଂଜନ ଚକ୍ର,ପାଣିକୋଇଲି ଥାନାଧିକାରୀ ସସ୍ମୀତା ସାହୁ ଙ୍କ ସହିତ ପୁଲିସ୍ ଫୋର୍ସ ବନ୍ଧକୁ ଜଗି ରହିଥିଲେ ।
ବନ୍ଧ କାଟୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ ପି ଚରଣ ସିଂ ମୀନା ଓ ଜିଲ୍ଲ୍ାପାଳ ରଂଜନ କୁମାର ଦାସ ପ୍ରତଶୃତି ଦେବା ପରେ ବରୁଆଁ ଗ୍ରାମବାସୀମାନେ ଘଟଣାସ୍ଥଳରୁ ଫେରିଯାଇଥିଲେ । ଏହି ବନ୍ଧଟି ଭାଙ୍ଗି ଯାଇଥିଲେ ବରୁଆଁ ପଂଚାୟତର ବିଭିନ୍ନ ଗ୍ରାମ ସହିତ ଶ୍ୟାମଦାସପୁର ପଂଚାୟତର କିଛି ଗ୍ରାମ କ୍ଷତିଗ୍ରସ୍ଥ ହୋଇଥାନ୍ତା । ପ୍ରଖର ସ୍ରୋତ ପଡି ବହୁ ଧନଜୀବନ ହାନୀ ଘଟାଇଥାନ୍ତା ବୋଲି ଥାନାରେ ଲିଖିତ ଅଭିଯୋଗ ହୋଇଛି । ବରୁଆଁ ଗ୍ରାମବାସୀଙ୍କ ପକ୍ଷରୁ ଏହି ଅଭିଯୋଗକୁ ଭିତିକରି ଥାନାଧିକାରୀ ବଂଶୀଧର ବେହେରା ଥାନାରେ କେସ୍ ନଂ ୧୫୩/୨୦୨୦ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଜାରୀ ରଖିଛନ୍ତି ।