ଜଳେଶ୍ୱର ; ଉତ୍ତର ବାଲେଶ୍ୱରର ପ୍ରମୁଖ ଅଞ୍ଚଳ ଜଳେଶ୍ୱର, ଉତ୍ତର ଭୋଗରାଇ ଓ ପଶ୍ଚିମ ବଂଗ ଅଞ୍ଚଳର ଉଦ୍ବୃତ୍ତ ବର୍ଷାପାଣି ଖାଳ ଯୋଡି ନାଳ ଯୋଗେ ସୁବର୍ଣ୍ଣରେଖା ନଦୀକୁ ପ୍ରବାହିତ ହୋଇଥାଏ । ମୋହନପୁର ଥାନା ଇଲାକାରୁ ସୃଷ୍ଟ ନାମ୍ପୋ ଓ ନହରା ଖାଳ ଦେଇ ବର୍ଷାପାଣି ଗଡି ଆସି ନାଚିନ୍ଦା ପଞ୍ଚାୟତର ଖାଳଯୋଡି ଠାରେ ସୁବର୍ଣ୍ଣରେଖାରେ ପଡୁଥିବା ବେଳେ ଅନ୍ୟକିଛି ପାଣି ଗୁଆଶୋଳ ନାଳ ଦ୍ୱାରା ଗୋଛିଦାଠାରେ ସୁବର୍ଣ୍ଣରେଖାରେ ପଡିଥାଏ ।
କିନ୍ତୁ ଗତ କିଛିବର୍ଷ ବନ୍ୟା ହୋଇନଥିବାରୁ ବିଭିନ୍ନ ନାଳ ପୋଖରୀରେ ରହିଥିବା ବିଲାତି, ଦଳ ଓ ଆବର୍ଜନା ସୁଅରେ ଭାସିଆସି ଏହି ଦୁଇ ଖାଳରେ ଥିବା ପୋଲ ନିକଟରେ ଜମା ହୋଇଛି । ଏହି ଖାଳରେ ସରକାତିଆ- ଜଳକାପଡିଆ, ସମ୍ପତ୍ତିଆ-ନହରା, ସରିଶା-କଇତପଦା, ଇକିଡା-ସରିଶା, ଖାଲିନା-ମହମ୍ମଦପୁର ଓ ଉଲୁଡା-ନାଚିନ୍ଦା ଠାରେ ଚେକ୍ଡ୍ୟାମ୍ ଓ ପୋଲ ନ ଥିବାରୁ ଏହି ସ୍ଥାନ ଗୁଡିକରେ ଆବର୍ଜନା ଓ ବିଲାତିଦଳ ଲାଗି ରହିଛି । ଫଳରେ ଜଳ ନିଷ୍କାସନ ହୋଇ ପାରୁନାହିଁ । ସେହିପରି ୫୭ନମ୍ବର ରାଜ୍ୟ ରାଜପଥର ନାମ୍ପୋ, ଡେମରୁଆଠାରେ ଥିବା ପୋଲରେ ମଧ୍ୟ ଏପରି ଘଟୁଛି ।
ନଦୀରେ ଜଳ ସ୍ରୋତ ମିଶିବା ପୂର୍ବରୁ ନାଚିନ୍ଦା-ଉଲୁଡା ଗ୍ରାମଠାରେ ଖାଳ ଗୁଡିକ ଅଣଓସାରିଆ, ପୋତି ହୋଇଥିବା ଓ କଳମି ଗଛ ମାଡି ଯାଇଥିବାରୁ ଜଳ ନିଷ୍କାସନ ନ ହୋଇ କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି । ଖାଳ ଯୋଡିର ଦହମୁଣ୍ଡାଠାରେ ନିର୍ମାଣ ହୋଇଥିବା ସୁଇସ୍ ଗେଟ୍ରେ କେହି ଅପରେଟର ନ ରହୁଥିବାରୁ ସୁଇସ୍ ଗୁଡିକୁ ପରିଚାଳନା କରାଯାଇ ପାରୁିନାହିଁ । ଚଳିତବର୍ଷ ୩ଟି ସ୍ଲୁଇସ୍ ଗେଟ ଭାଂଗି ଯାଇଥିଲେ ମଧ୍ୟ ଅଦ୍ୟାବଧି ମରାମତି ହୋଇ ନାହିଁ । ବନ୍ୟା ବେଳେ ସୁବର୍ଣ୍ଣରେଖାର ବନ୍ୟା ପାଣି ଏହି ସ୍ଲୁଇସ୍ ଦେଇ ସମୟତଳ ଅଂଚଳକୁ ପ୍ରବାହିତ ହେଉଛି । ଅଦ୍ୟାବଧି ନେତୁଆ, ସମ୍ପତ୍ତିଆ, ନହରା, ନାଚିନ୍ଦା ପଞ୍ଚାୟତଅଞ୍ଚଳରେ ବର୍ଷାପାଣିର ଲହରି ଖେଳୁଛି ।
ତେଣୁ ସମ୍ପତ୍ତିଆ ଓ ଖାଲିନା ପଂଚାୟତର କୃଷକ ସଭା ପକ୍ଷରୁ ଦୀପ୍ତିମାନ ଆଚାର୍ଯ୍ୟ, ନୟନ କୁମାର ପାଠୀ, ଜୀବନ ପରିଡା, ବରେନ୍ଦ୍ର ପ୍ରଧାନ, ଜୟନ୍ତ ଦେ, ଦିଲ୍ଲୀପ ଶତପଥି, ରବିନ୍ଦ୍ର ଗିରି, ସିତାଂଶୁ ସେନାପତି, ଭାଗବତ ପ୍ରଧାନ, ଦିଲ୍ଲୀପ ଗିରି, ମଦନ ସିଂ, ଅଜୟ ଗିରି ପ୍ରମୁଖଙ୍କ ନେତୃତ୍ୱରେ ଜଳେଶ୍ୱର ତହସିଲ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଅବିଳମ୍ବେ ବିଲାତି ଦଳ ଓ ଆବର୍ଜନ ସଫା କରିବାକୁ ଦାବି କରାଯାଇଥିଲା । ଆନେ୍ଦାଳନକାରୀଙ୍କ ପକ୍ଷରୁ ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା ।