Odisha news

ଆଦିତ୍ୟ ମୃତ୍ୟୁ ମାମଲା : ଶେଷ ଭରସା ଲାଇ ଡିଟେକ୍ସନ୍ , ବାପା କହିଲେ ଯିବି କୋର୍ଟ

0

ଭୁବନେଶ୍ୱର,(ନି.ପ୍ର): ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାକୁ ଦୁଇ ମାସ ବିତିଥିଲେ ମଧ୍ୟ ରହସ୍ୟ ଉନ୍ମୋଚନ ହୋଇ ପାରୁନାହିଁ । ସନ୍ଦିଗ୍ଧଙ୍କ ସତ-ମିଛ(ଲାଇ ଡିଟେକ୍ସନ୍) ପରୀକ୍ଷାକୁ ଶେଷ ଆୟୁଧ କରିଛି କ୍ରାଇମବ୍ରାଞ୍ଚ । ସନ୍ଦିଗ୍ଧଙ୍କ ବୟାନର ସତ ମିଛ ପରୀକ୍ଷା ପାଇଁ କ୍ରାଇମବ୍ରାଞ୍ଚ ରାଜ୍ୟ ଫୋରେନ୍ସିକ୍ ଲ୍ୟାବକୁ ଚିଠି ଲେଖିଥିବା ସୂଚନା ମିଳିଛି । ସନ୍ଦିଗ୍ଧ ପପୁ, ଦୀପୁ, ବିକାଶ, ପ୍ରୀତମ ଓ ବିଦ୍ୟାଶ୍ରୀଙ୍କ ବୟାନର ପରୀକ୍ଷା ପାଇଁ ଚିଠିରେ ଫୋରେନ୍ସକି ଲ୍ୟାବକୁ କୁହାଯାଇଛି ।

ଫୋରେନ୍ସିକ୍ ଲ୍ୟାବ ଚିଠି ପାଇବା ପରେ ଏହି ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ କରିବେ । ସେମାନେ କ୍ରାଇମବ୍ରାଞ୍ଚ ଓ ଜିଆରପିରେ ଯେଉଁ ବୟାନ ଦେଇଛନ୍ତି ତାହା ସତ ନା ମିଛ ଲାଇ ଡିଟେକ୍ସନ୍ ରିପୋର୍ଟରୁ ଜଣାପଡିବ । ସେମାନଙ୍କ ବୟାନ ବିଭା୍ରନ୍ତିକର ହୋଇଥିବାରୁ ବୈଷୟିକ ଜ୍ଞାନ କୌଶଳର ସହାୟତା ନେଉଛି ତଦନ୍ତକାରୀ କ୍ରାଇମବ୍ରାଞ୍ଚ ଟିମ୍ । ଅନ୍ୟପକ୍ଷରେ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ବାପା ନନ୍ଦୀକିଶୋର ଦାଶ ଭିନ୍ନ କଥା କହିଛନ୍ତି । ‘ଆଉ ଦଶ ପନ୍ଦର ଦିନି ଅପେକ୍ଷା କରିବି । ଯଦି ପୁଅ ମୃତ୍ୟୁର କୌଣସି ରହସ୍ୟ ଉନ୍ମୋଚନ ନହୁଏ, ତେବେ ସେ ହାଇକୋର୍ଟରେ ଅପିଲ୍ କରିବେ ବୋଲି କହିଛନ୍ତି ।’

ଆଦିତ୍ୟ ଦାଶ ମୃତ୍ୟୁ ରହସ୍ୟ ଉନ୍ମୋଚନ ହେବାରେ ବିଳମ୍ବ ହେବାରୁ ଜାତୀୟ ମାନବାଧିକାର କମିଶନ ଚାରି ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଓଡିଶା ପୋଲିସକୁ ତାଗିଦ୍ କରିଥିଲେ । ଗତ ଦୁଇ ତାରିଖରୁ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ ଜାରି ରଖିଥିବାବେଳେ ବହୁ ସନ୍ଦିଗ୍ଧଙ୍କ ବୟାନ ରେକର୍ଡ କରିଛି । ମାନବାଧିକାର କମିଶନରେ ରିପୋର୍ଟ ଦାଖଲ ପାଇଁ କ୍ରାଇମବ୍ରାଞ୍ଚ ପ୍ରସ୍ତୁତ ହେଉଥିବାବେଳେ ସେଥିରେ ସତ ମିଛ ପରୀକ୍ଷା ରିପୋର୍ଟକୁ ସଲଗ୍ନ କରିବାକୁ ସ୍ଥିର କରିଥିବା ଜଣାଯାଇଛି । ସେହି ମର୍ମରେ ଏକ ଚିଠି ମଧ୍ୟ ରାଜ୍ୟ ଫୋରେନ୍ସିକ୍ ଲ୍ୟାବକୁ ଦେଇଛି କ୍ରାଇମବ୍ରାଞ୍ଚ । ମାନବପ୍ରେମୀ ଆଦିତ୍ୟ ଦାଶ ବିଦ୍ୟାଶ୍ରୀଙ୍କୁ ବିବାହ କରିବାର ମାସକ ମଧ୍ୟରେ ଅଘଟଣା ଘଟିଲା । ତାଙ୍କ ଶବ ରେଳ ଧାରଣାରୁ ଉଦ୍ଧାର ହେବାପରେ ଜିଆର ପୋଲିସ ମାମଲାର ତଦନ୍ତ କରିଥିଲା ।

ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବାର ପ୍ରାୟ ୨୪ ଦିନି ବିିତିଗଲାଣି । ନିର୍ଜାସ ବାହାରିବାରେ ବିଳମ୍ବ ହେଉଥିବାରୁ ଆଦିତ୍ୟଙ୍କ ଅନୁଗାମୀ ଓ ତାଙ୍କ ପରିବାର ଲୋକେ ସେଥିନେଇ ବ୍ୟସ୍ତ ହୋଇ ଉଠୁଛନ୍ତି । ଏପରିକି ମୁମ୍ବାଇର ସୁଶାନ୍ତ ସିଂହର ମୃତ୍ୟୁ ମାମଲା ସିବିଆଇ ତଦନ୍ତ କରୁଥିବାରୁ ଆଦିତ୍ୟଙ୍କ ମୃତ୍ୟୁ ମାମଲା ସିବିଆଇ ତଦନ୍ତ କରୁ ବୋଲି ଦାବି ହେଉଛି । ସନ୍ଦିଗ୍ଧଙ୍କ ବୟାନର ଲାଇ ଡିଟେକ୍ସନ୍ ହେବାପରେ ମୃତ୍ୟୁ ରହସ୍ୟର ପରଦା ହଟିଯିବ ବୋଲି ଭରସା ରଖିଛି କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଟିମ୍ ।

Leave A Reply