ଫୁଲନଖରା : ସଦର ଅଞ୍ଚଳର ସମାଜିକ ସଂଗଠନ ‘ହିନ୍ଦୁସ୍ତାନ ହେଲପିଙ୍ଗ ହ୍ୟାଣ୍ଡ’ ଆନୁକୂଲ୍ୟରେ ସିଏମସି ୫୯ ନମ୍ବର ୱାର୍ଡ଼ ଅନ୍ତର୍ଗତ ରାମନଗର ଅଞ୍ଚଳରେ ଶତାଧିକ ଚାରା ରୋପଣ ହୋଇଛି । ଗ୍ରାମ୍ୟ କମିଟି ସଭାପତି ପ୍ରକାଶଚନ୍ଦ୍ର ନାୟକ, ଉପଦେଷ୍ଟା ଆଇନଜୀବୀ ଛବି ବେହେରା ଓ ଅକ୍ରୁର ଦାସ ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଥିରେ ସଂଗଠନର ୫୦ଜଣରୁ ଊଦ୍ଧ୍ୱର୍ ସଂଖ୍ୟକ ସଦସ୍ୟ ଅଂଶଗ୍ରହଣ କରି ଚାରା ରୋପଣ ସହିତ ଏହାକୁ ତାରବାଡ଼ ଦ୍ୱାରା ଆବଦ୍ଧ କରିଥିଲେ ।
ରାମନଗର ଯୁବ ଗୋଷ୍ଠୀ ଏଥିରେ ସକ୍ରିୟ ସହଯୋଗ କରିଥିଲେ । ପରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା କାନନବିହାରୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଆଧ୍ୟାତ୍ମିକ ସ୍ତମ୍ଭକାର ଶ୍ରୀ ସନ୍ନ୍ୟାସୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଚାରା ରୋପଣର ଉପଯୋଗୀତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହିତ ଏଥିରେ ସାମିଲ ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କରିଥିଲେ ।
ଏହି ଅବସରରେ ଗ୍ରାମର ସମାଜସେବୀ ପ୍ରଭାତ ନାୟକ, ପ୍ରମୋଦ ବେହେରା ଓ ସୁରଥ ବେହେରାଙ୍କୁ ସମ୍ମାନିତ କରାଯାଇଥିଲା । ହେଲପିଙ୍ଗ ହ୍ୟାଣ୍ଡ ପ୍ରତିଷ୍ଠାତା ବାସୁଦେବ ପାତ୍ର, ସଭାପତି ମାନସରଞ୍ଜନ ନାୟକ ଓ ସମ୍ପାଦକ ଅତୁଲ୍ୟକୁମାର ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ ରାମନଗର ଗ୍ରାମ୍ୟ କମିଟି ସମ୍ପାଦକ ଲକ୍ଷ୍ମୀଧର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।