ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ – ୪୦ କିଲୋର ରୂପା ଇଟାରେ ଭିତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ , ୦୫ ଅଗଷ୍ଟ : ଅଯୋଧ୍ୟାରେ ବହୁ ପ୍ରତୀକ୍ଷିତ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବେଦ ମନ୍ତ୍ର ଗାନ ମଧ୍ୟରେ ପ୍ରଧାନମନ୍ତ୍ରୀ ବୁଧବାର ଦିନ ୧୨:୫୫:୦୮ରେ ପଡ଼ିଥିବା ମାହେନ୍ଦ୍ର ବେଳାରେ ୪୦ କିଲୋଗ୍ରାମ ଓଜନର ରୂପା ଇଟାରେ ମନ୍ଦିର ନିର୍ମାଣ ଲାଗି ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଭୂମି ପୂଜନ ଉତ୍ସବରେ ପ୍ରସ୍ତାବିତ ଗର୍ଭଗୃହ ସ୍ଥାନରେ ଅନ୍ୟମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସହ ବସିଥିଲେ ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବେନ୍ ପଟେଲ୍ ଓ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ । କେବଳ ପ୍ରଭୁ ରାମଙ୍କ ନଗରୀରେ ନୁହେଁ ସମଗ୍ର ବିଶ୍ୱରେ ‘ଜୟ ଶ୍ରୀରାମ’ ଧ୍ୱନି ଗୁଞ୍ଜରିତ ହେଉଛି । ବୁଧବାର ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ଜନ୍ମଭୂମି ମନ୍ଦିର ନିର୍ମାଣ ସ୍ଥଳୀରେ ପହଂଚିବା ପରେ ରାମ ଲାଲାଙ୍କୁ ଦର୍ଶନପୂର୍ବକ ଆଳତି କରି ଫୁଲମାଳ ପିନ୍ଧାଇଥିଲେ । ମନ୍ଦିର ନିର୍ମାଣ ପରିଧି ମଧ୍ୟରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ‘ଗଙ୍ଗଶିଉଳି’ ଚାରାଟିଏ ରୋପଣ କରିଥିଲେ । ଏହାଛଡ଼ା ଶିଳାନ୍ୟାସ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ‘ଶ୍ରୀରାମ ଜନ୍ମଭୂମି ମନ୍ଦିର’ ଉପରେ ସ୍ମାରକୀ ଡାକ ଟିକଟ ଉନ୍ମୋଚନ କରିଥିଲେ ।
