ଅଯୋଧ୍ୟା, ୦୫ ଅଗଷ୍ଟ । ଶ୍ରୀରାମ ଜନ୍ମଭୂମି ଠାରେ ମନ୍ଦିର ନିର୍ମାଣ ପାଇଁ ଶତାବ୍ଦୀ ଶତାବ୍ଦୀ ଧରି ଥିବା ଆଜି ପୂର୍ଣ ହେଉଥିବାରୁ ଲୋକ ମାନଙ୍କ ମଧ୍ୟରେ ଆନନ୍ଦ ରହିଛି ବୋଲି କହିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସର ସଂଘଚାଳକ ମୋହନ ଭାଗବତ । ଅଯୋଧ୍ୟାରେ ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମୋହନ ଭାଗବତ କହିଛନ୍ତି ଯେ ପ୍ରଭୁ ଶ୍ରୀରାମ ଯେଉଁ ଧର୍ମ ପାଇଁ ଜଣା ଯାଆନ୍ତି , ଯାହା ବିଶ୍ୱକୁ ସୁଖ ଶାନ୍ତିର ବାର୍ତା ଦେଇଥାଏ, ତା ପାଇଁ ଆମର ମନକୁ ମନ୍ଦିର ଭାବେ ଗଢି ତୋଳିବାର ଆବଶ୍ୟକତା ରହିଛି । ପୁରୁଷାର୍ଥର ଭାବନା ଆମର ଶୀରା ଧମନୀରେ ରହିଛି । ରାମ ସମସ୍ତଙ୍କର ଓ ସମସ୍ତଙ୍କ ମଧ୍ୟରେ ରାମ ରହିଛନ୍ତି । ଏହା ସମସ୍ତ ଭାରତବାସୀ ମାନଙ୍କ ପାଇଁ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ସଂଘର ତତ୍କାଳୀନ ସରସଂଘଚାଳକ ବାଲା ସାହେବ ଦେଓରସ କହିଥିଲେ ଯେ ଏହି କାମକୁ ୩୦ ବର୍ଷ ଧରି କରିବାକୁ ହେବ । ତେବେ ଯାଇ ଏହା ପୂରଣ ହେବ । ଆମେ ତାକୁ କରିଛେ ତଥା ସଂକଳ୍ପ ପୁୂର୍ତିର ଆନନ୍ଦ ଆଜି ଆମକୁ ମିଳୁଛି । ସେ କହିଛନ୍ତି ଯେ ଅନେକ ଲୋକ ମାନେ ଏହି ଆନ୍ଦୋଳନରେ ବଳିଦାନ ଦେଇଛନ୍ତି ସେମାନେ ସୁକ୍ଷ୍ମ ରୂପରେ ଉପସ୍ଥିତ ଅଛନ୍ତି । କିଛି ଲୋକ ମହାମାରୀ ପାଇଁ ଆସି ପାରି ନାହାନ୍ତି । ଲାଲକୃଷ୍ଣ ଆଡଭାନୀ ନିଜ ଘରେ ବସି ଏହାକୁ ଦେଖୁଥିବେ ବୋଲି ସେ କହିଛନ୍ତି ।
