ଡେରାବିଶ : ଡେରାବିଶ ଥାନା ଅଧୀନ ୫ନଂ (କ) ଜାତୀୟ ରାଜପଥର ବଳଭଦ୍ରପୁର ନିକଟରୁ ଛିଡ଼ା ହୋଇଥିବା ଟ୍ରକ ଡ୍ରାଇଭର ମାନଙ୍କ ଠାରୁ ଜୋର ଜବରଦସ୍ତ ବଟି ଆଦାୟ କରୁଥିବା ନେଇ ଡେରାବିଶ ପୋଲିସ ୨ ଜଣ ଯୁବକଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ଦ୍ୱୟ ହେଲେ କଟକ ଜିଲ୍ଲା ମାହାଙ୍ଗା ଥାନା ଅଂଚଳର ନୃସିଂହ ଚରଣ ପଣ୍ଡା (୨୫), ଭାଗିରଥି ଦାସ (୨୩) । ଏଥିସହିତ ପୋଲିସ୍ ତାଙ୍କୁ ଠାରୁ ଏକ ଆପାଚି ବାଇକ୍ (ଓଡ଼ି-୦୪-୬୯୩୧)କୁ ଜବତ କରିଛି । ଗତ ଗୁରୁବାର ସନ୍ଧ୍ୟା ୮ଟା ୩୦ ସମୟରେ ମାହାଙ୍ଗା ଥାନା ଇତିକୁରା ଗ୍ରାମର ବିଭୁଦତ ରଥ ଘରକୁ ଫେରୁଥିବା ବେଳେ ୫ନଂ (କ) ଜାତୀୟ ରାଜପଥର ନୂଆହାଟ ଠାରେ ଦୁଇଜଣ ଦୁବୃର୍ତ ଏକ ଆପାଚି ବାଇକ୍ରେ ଆସି ବିଭୁଦତଙ୍କ ବ୍ୟାଗ୍କୁ ଝାମ୍ପି ନେଇଥିଲେ । ଏହି ବ୍ୟାଗ୍ରେ ଥିବା ୪୫୦୦ ଟଙ୍କା ସହିତ ବ୍ୟାଙ୍କର ଜରୁରୀ କାଗଜପତ୍ର ରହିଥିଲା । ଏ ନେଇ ବିଭୁଦତ ଡେରାବିଶ ଥାନାରେ ଏକ ଏତଲା ଦେଇଥିଲେ ।
ଏତଲା ପାଇ ଡେରାବିଶ ପୋଲିସ ଦୁବୃର୍ତଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲେ । ଏବେ ଜାତୀୟ ରାଜପଥରେ ଲୁହାପଥର ବୋଝେଇ ଶହଶହ ଟ୍ରକ ଛିଡ଼ା ହୋଇ ରହୁଥିବାରୁ ପୋଲିସ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି । ରାହାଜାନିର ଠିକ୍ ଦୁଇଦିନ ପରେ ରବିବାର ସନ୍ଧ୍ୟାରେ ଏହି ଦୁଇ ଦୁବୃର୍ତ ପୁନର୍ବାର ଆସି ବଳଭଦ୍ରପୁର ଛକ ନିକଟରେ ଛିଡ଼ା ହୋଇଥିବା ଟ୍ରକ ଡ୍ରାଇଭରଙ୍କ ଠାରୁ ଦାଦାବଟି ଆଦାୟ ପାଇଁ ଜୁଲମ କରୁଥିଲେ । ଏହି ସମୟରେ ସେମାନେ ପୋଲିସ୍ ହାବୁଡ଼ରେ ପଡ଼ିଯାଇ ଦଉଡ଼ିବାକୁ ଆରମ୍ଭ କରିଥିଲେ । ପୋଲିସ୍ ଗୋଡ଼େଇ ଗୋଡ଼େଇ ଏମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲା । ଏମାନଙ୍କ ନାମରେ ୨୦୧୮ ମସିହାରେ ମାହାଙ୍ଗା ଥାନାରେ ମଧ୍ୟ ଏକ ମାମଲା ରହିଛି । ପୋଲସ୍ ଛାନଭିନ୍ କରି ଏମାନଙ୍କ ବିରୋଧରେ ମାମଲା ରୁଜ୍ଜୁ କରି ଦୁଇ ଦୁବୃର୍ତଙ୍କୁ କୋର୍ଟ ଚାଲାଣ କରିଛି । ଏ ସଂକ୍ରାନ୍ତରେ ଥାନାରେ କେଶ୍ ନଂ ୧୩୨/୨୦ ରେ ଏକ ମାମଲା ରୁଜ୍ଜୁ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଥିବା ଥାନା ଅଧିକାରୀ ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି ।
