Odisha news

କୋଭିଡ ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ସତନାମ ହୋଟେଲ ଓ ମ୍ୟାନେଜର ସିଂ ଢ଼ାବା ସିଲ : ତହସିଲଦାରଙ୍କ ଅଭିଯୋଗ ମୂଳେ ବେତନଟୀ ଓ ବୈଶିଙ୍ଗା ଥାନାରେ ମାମଲା ଦୁଇଟି ମାମଲା ରୁଜୁ

0

ବେତନଟୀ  : କରୋନା ପ୍ରବଣ ବେତନଟୀ ବ୍ଲକରେ ଲକ ଡାଉନ ନିୟମାବଳୀକୁ ୧୮ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ଗୋଟିଏ ଢ଼ାବା ଓ ଗୋଟିଏ ହୋଟେଲ ମାଲିକ ଖୋଲାଖୋଲି ଉଲ୍ଲଙ୍ଘନ କରିବା ଏବେ ଚିନ୍ତାର ବିଷୟ ହୋଇଛି । ଗୋଟିଏ ପଟେ ବ୍ଲକରେ ପ୍ରତ୍ୟେକ ଦିନ କେହି ନା କେହି କରୋନା ପଜିଟିଭ ବାହାରୁ ଥିବା ବେଳେ ଏହି ଦୁଇଟି ଢ଼ାବା ଓ ହୋଟେଲର ମାଲିକ କୋଭିଡ ନିୟମାବଳୀକୁ ଉଲ୍ଲଙ୍ଘନ କରିବା, ରାତ୍ରୀ କାଳୀନ କର୍ଫୁ୍ୟକୁ ନମାନି ଅଧିକ ଲାଭ ଆଶାରେ ଲୋକ ମାନଙ୍କୁ ବସାଇ ଖାଇବାକୁ ଦେବା ସହିତ ବ୍ୟବସାୟ କରି ଚାଲି ଥିଲେ । ତେବେ ଏହି ଘଟଣାକୁ ବେତନଟୀ ପ୍ରଶାସନ ଗୁରୁତର ଭାବେ ଗ୍ରହଣ କରିଛି । ତେଣୁ ଗତକାଲି ରାତ୍ରୀରେ ଉଭୟ ଢ଼ାବା ଓ ହୋଟେଲ ଉପରେ ଚଢ଼ାଉ ହୋଇ ଥିବାର ଜଣା ପଡିଛି ।

ଏହି ଦୁଇଟି ଢ଼ାବା ଓ ହୋଟେଲକୁ ପ୍ରଶାସନ ସିଲ କରିବା ସହିତ ବେତନଟୀ ଓ ବୈଶିଙ୍ଗା ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହୋଇ ତଦନ୍ତ ଚାଲି ଥିବାର ସୂଚନା ମିଳିଛି । ବେତନଟୀ ତହସିଲଦାର ଅନିଶା ଦାସଙ୍କ ଅଭିଯୋଗ କ୍ରମେ ବେତନଟୀ ଥାନାରେ ଦଫା ୧୮୮, ୨୬୯, ୨୭୦, ୨୭୧, ୩୪ ଭାରତୀୟ ପିଙ୍ଗଳ କୋର୍ଡ, ୫୧ ବିଏମ ଆଇନ, ୩ ପିଡି ଆଇନ ମୂଳେ ତୁଳସୀଚୌରାର ସତନାମ ହୋଟେଲ ନାମରେ ମାମଲା ନମ୍ବର ୧୫୭/୨୦୨୦ ରୁଜୁ ହୋଇ ନିଜେ ଥାନା ଆଇଆଇସି ଅଶୋକ କୁମାର ନାୟକ ଏହାର ତଦନ୍ତ କରୁଛନ୍ତି । ଏହି ମାମଲାରେ ହୋଟେଲର ମାଲିକ ଭୋଗବାଟୀର ଅମର ସିଂଙ୍କ ପୁଅ ମହୀନ୍ଦ୍ର ସିଂ, ଓ ମହୀନ୍ଦ୍ର ସିଂଙ୍କ ପୁଅ ସତନାମ ସିଂଙ୍କ ନାମରେ ମାମଲା ରୁଜୁ ହୋଇ ଥିବାର ଜଣା ପଡିଛି । ସେହି ପରି ତହସିଲଦାରଙ୍କ ଅଭିଯୋଗ ମୂଳେ ବୈଶିଙ୍ଗା ଥାନାରେ ମଧ୍ୟ ସମାନ ଦଫାରେ ମାମଲା ନମ୍ବର ୧୪୯/୨୦୨୦ ରୁଜୁ ହୋଇ ଏସଆଇ ଅନନ୍ତଚରଣ ନାୟକଙ୍କୁ ତଦନ୍ତ ଭାର ପ୍ରଦାନ କରା ଯାଇଛି ।

ଏହି ମାମଲାରେ ମେନେଜର ସିଂଙ୍କ ପୁଅ ବିନୋଦ ସିଂ ଓ ଅନ୍ୟ ଜଣେ ପାନ ଦୋକାନୀଙ୍କୁ ଅଭିଯୁକ୍ତ କରା ଯାଇଛି । ବିନୋଦ ସିଂ ଯୁବ ଜନତାର ଜଣେ ଆଗ ଧାଡିର ନେତା ଭାବେ ପରିଚିତ । ତର୍ଜମା କରିବା ପରେ ମୟୂରଭଞ୍ଜ ଜିଲ୍ଲାର ବାରିପଦା-ବାଲେଶ୍ୱର ୧୮ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ବେତନଟୀ ଥାନା ଅଧୀନ ତୁଳସୀଚୌରାସ୍ଥିତ ସତନାମ ହୋଟେଲ ଓ ବୈଶିଙ୍ଗା ଥାନା ଅଧୀନ ମ୍ୟାନେଜର ସିଂ ଢ଼ାବାକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁ ଥିବା ଟ୍ରକ, ଟ୍ରଲର, ଗାଡି ମୋଟରର ଡ୍ରାଇଭର ଓ କର୍ମଚାରୀଙ୍କୁ ପ୍ୟାକିଂ ଖାଦ୍ୟ ପ୍ରଦାନ କରିବାକୁ ମୂଳରୁ ଅନୁମତି ମିଳି ଥିଲା । ସବୁ ଢ଼ାବା ଓ ହୋଟେଲ ବନ୍ଦ ଥିବା ବେଳେ ଏହି ଦୁଇଟି ହୋଟେଲ ଲକ ଡାଉନ ସମୟରେ ଭଲ ବ୍ୟବସାୟ କରି ଥିବାର ଦେଖା ଯାଇ ଥିଲା । ତା ସତ୍ତ୍ୱେ ପୋଲିସ ଓ ପ୍ରଶାସନକୁ ଅଣଦେଖା କରି ଅନୁମତିର ସର୍ତ୍ତକୁ ଉଲ୍ଲଙ୍ଘନ କରି ରାତ୍ରୀ କର୍ଫ୍ୟୁ ଲାଗୁ ହେବା ପରେ ମଧ୍ୟ ଉଭୟ ହୋଟେଲ ଓ ଢ଼ାବାରେ ଲୋକ ମାନଙ୍କୁ ଜ୍ୱାଇଁ ପୁଅ ଭଳି ବସାଇ ଖାଦ୍ୟ ପ୍ରଦାନ କରୁ ଥିବା ନିଶ୍ଚିତ ଭାବେ ଶୋଭନୀୟ ନୁହେଁ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

Leave A Reply