Odisha news

ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି : ରଥଯାତ୍ରା ନେଇ ଶ୍ରୀମନ୍ଦିର ପରିସର ମଧ୍ୟରେ ସୁପ୍ରିମକୋର୍ଟଙ୍କ ସମସ୍ତ ପ୍ରକାର ନିର୍ଦ୍ଦେଶାବଳୀର ଅନୁପାଳନ

0

ଭୁବନେଶ୍ବର: ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀର  ଅନୁପାଳନ କରିବେ ରାଜ୍ୟ ସରକାର । ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଶ୍ରୀମନ୍ଦିର ପରିସର ମଧ୍ୟରେ ସୁପ୍ରିମକୋର୍ଟଙ୍କ ସମସ୍ତ ପ୍ରକାର ନିର୍ଦ୍ଦେଶାବଳୀର ଅନୁପାଳନ ସହିତ ସମସ୍ତ ରୀତିନୀତି ପାଳନ କରିବାକୁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ସମିତିକୁ ସୂଚିତ କରିଛନ୍ତି ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରଥମେ ଆଇନ ମନ୍ତ୍ରୀ ସୁପ୍ରିମକୋର୍ଟଙ୍କ ରାୟ ନେଇ ପ୍ରସ୍ତାବ ଆଣିଥିଲେ। ଏହାପରେ ତାହାକୁ କ୍ୟ‌ାବିନେଟ୍ ମଞ୍ଜୁରି ଦେଇଥିବା ଜଣାପଡ଼ିଛି।

ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀମନ୍ଦିର ପରିସର ମଧ୍ୟରେ ସମସ୍ତ ପ୍ରକାର ନିର୍ଦ୍ଦେଶାବଳୀର ଅନୁପାଳନ ସହ ସମସ୍ତ ରୀତିନୀତି ପାଳନ କରିବା ପାଇଁ ପଦକ୍ଷେପ ନେବାକୁ ଶ୍ରୀ ମନ୍ଦିର ପରିଚାଳନା କମିଟିକୁ ସୂଚିତ କରାଗଲା। ଏହା ସହିତ ବିଭିନ୍ନ ଜିଲ୍ଲାରେ ଥିବା ପରିଚାଳନା କମିଟି ଏବଂ ଅନୁଷ୍ଠାନ ଗୁଡ଼ିକ ଯେପରି ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉପରୋକ୍ତ ମତେ ପାଳନ କରିବେ, ତାହା ସୁନିଶ୍ଚିତ କରିବା ପାଇଁ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କ୍ୟାବିନେଟ୍ ସଂକଳ୍ପରେ କୁହାଯାଇଛି।

କ୍ୟାବିନେଟ୍ ସଂକଳ୍ପରେ କୁହାଯାଇଛି, ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ଆତ୍ମା। ଏ ଜାତିର ସର୍ବଶ୍ରେଷ୍ଠ ପରିଚୟ। ପ୍ରତ୍ୟେକ ଓଡ଼ିଆର ସୁଖଦୁଃଖରେ ପଥପ୍ରଦର୍ଶକ। ସମଗ୍ର ମାନବ ସମାଜର କଲ୍ୟାଣ ପାଇଁ ସେ ଦାରୁ ରୂପରେ ଲୀଳା କରୁଛନ୍ତି। ସେ ଲୀଳାମୟ ହିଁ ସବୁର କର୍ତ୍ତା, ସବୁର ନିୟନ୍ତା। ଆମେ କେବଳ ନିମିତ୍ତ ମାତ୍ର। ତାଙ୍କ ଇଚ୍ଛା ବିନା କିଛି ସମ୍ଭବ ନୁହେଁ। ମହାପ୍ରଭୁଙ୍କ ଇଚ୍ଛାକୁ ସମର୍ପିତ ଭାବରେ ଗ୍ରହଣକରି ଜୀବନର ଜୟଯାତ୍ରାକୁ ଆଗେଇ ନେବା ହିଁ ପ୍ରକୃତ ଭକ୍ତି। ଆଜିର ଏହି କଠିନ ପରିସ୍ଥିତିରେ ଯେତେବେଳେ ସମଗ୍ର ବିଶ୍ୱ କରୋନା ମହାମାରୀ ସହିତ ଲଢୁଛି, ଆମେ ତାଙ୍କ ନିକଟରେ ନିଜକୁ ସଂପୂର୍ଣ୍ଣ ସମର୍ପଣ କରିଦେଇଛୁ। ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ବିପଦରୁ ଆମ ସମସ୍ତଙ୍କୁ ରକ୍ଷା କରନ୍ତୁ।

ଭିଡିଓ ବାର୍ତ୍ତା ଜରିଆରେ ହୋଇଥିବା ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର, ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ଓ କ୍ୟାବିନେଟ ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ସେହିଭଳି ବୈଠକରେ ଆଡଭୋକେଟ୍‌ ଜେନେରାଲ ମଧ୍ୟ ଉପସ୍ଥିତ ଥିଲେ। ବୈଠକର ଆରମ୍ଭରେ ସହିଦ୍‌ ଓଡ଼ିଆ ଯବାନଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା।

Nalco
Leave A Reply