Odisha news

ଆସନ୍ତା କଲି ମଧ୍ୟପ୍ରଦେଶରେ ରାଜ୍ୟସଭା ନିର୍ବାଚନ : ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭଡ଼େକରଙ୍କ ଭୋପାଳରେ ବିଜେପିର ବରିଷ୍ଠ ପଦାଧିକାରୀ ଓ କର୍ମକର୍ତ୍ତାଙ୍କ ସହ ଆଲୋଚନା

0
ଭୂବନେଶ୍ବର, ୧୮/୬ : ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଶୁକ୍ରବାର ମଧ୍ୟପ୍ରଦେଶରେ ରାଜ୍ୟସଭା ନିର୍ବାଚନ ହେବାକୁ ଯାଉଥିବା ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକରଙ୍କ ସହ ବୁଧବାର ଭୋପାଳରେ ପହଞ୍ଚିଛନ୍ତି। ରାଜ୍ୟସଭା ଆସନ ଲାଗି ବିଜେପି ଜୋରସୋରରେ ବୈଠକ, ବିଚାରବିମର୍ଶ ତଥା ଆଲୋଚନା କରିବାରେ ଲାଗିଛି।
ଚଳିତ ଥର ମଧ୍ୟପ୍ରଦେଶରେ ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଜ୍ୟୋତିରାଦିତ୍ୟ ସ୍କିନ୍ଦିଆ ଏବଂ ପ୍ରଫେସର ସୁମେର ସିଂ ସୋଲାଙ୍କିଙ୍କୁ ବିଜେପି ପ୍ରାର୍ଥୀ କରିଛି। ଶ୍ରୀଯୁକ୍ତ ପଣ୍ଡା କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭଡ଼େକରଙ୍କ ସହ ବୁଧବାର ଭୋପାଳରେ ପହଞ୍ଚିବା ପରେ ବରିଷ୍ଠ ବିଜେପି ନେତା ତଥା କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ରାଜ୍ୟ ବିଜେପିର ବରିଷ୍ଠ ପଦାଧିକାରୀ ଓ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ।
ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ବିନୟ ସହସ୍ରବୁଦ୍ଧି ମଧ୍ୟ ଏଥିରେ ଯୋଗ ଦେଇଥିଲେ। ଆଜି ଶ୍ରୀଯୁକ୍ତ ପଣ୍ଡା ମଧ୍ୟପ୍ରଦେଶର ଯାୱଦ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ଓମପ୍ରକାଶ ସଖଲେଚାଙ୍କୁ ଦେଖା କରିଛନ୍ତି। ସେହିପରି ଅନ୍ୟ ବିଧାୟକଙ୍କ ସହ ମଧ୍ୟ ଆଲୋଚନା ହୋଇଥିବା ସୂତ୍ରରୁ ପ୍ରକାଶ। ଅନ୍ୟପଟେ ଏସପି, ବିଏସପି ଏବଂ ସ୍ୱାଧୀନ ବିଧାୟକମାନେ ଆଜି ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିବା ଏବଂ ବିଜେପିକୁ ସମର୍ଥନ କରିବେ ବୋଲି କହିଥିବା ସୂଚନା ମିଳିଛି।

Leave A Reply