Odisha news

କରୋନା କୋଭିଡ-୧୯ ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ୨ଟି ବସ୍ ରେ ଛତିଶଗଡ ଓ ଝାରଖଣ୍ଡ କୁ ଗଲେ ୧୦୬ ଜଣ ଶ୍ରମିକ

0

ଅନୁଗୁଳ: କରୋନା କୋଭିଡ-୧୯ ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ବାହାର ରାଜ୍ୟକୁ ଶ୍ରମିକ ମାନଙ୍କୁ ପଠାଯିବା ସହିତ ଜିଲ୍ଲାରେ ପହଚିଂଉଥିବା ଶ୍ରମିକ ମାନଙ୍କୁ ଅସ୍ଥାୟୀ ମେଡିକାଲ ଶିବିରରେ ରଖା ଯିବାର ପ୍ରକ୍ରିୟା ଚାଲୁ ରହିଛି । ଗତ କାଲି ସୁରଟରୁ ୫୩ ଜଣ ଶ୍ରମିକଙ୍କୁ ନେଇ ପାଳଲହଡାକୁ ଏକ ସ୍ଲିପର ବସ୍ ଆସିଥିଲା । ଶ୍ରମିକ ମାନେ ଓହ୍ଲାଇଯିବା ପରେ ସେ ବସ୍ ଆଜି ଫେରିଯାଉଥିଲା । ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ସହାୟତାରେ ସେହି ବସକୁ ଖମାର ଠାରୁ ଅନୁଗୁଳକୁ ଅଣାଯାଇଥିଲା ।

ବିଭିନ୍ନ ବ୍ଲକରେ ଅସ୍ଥାୟୀ ମେଡିକାଲ ଶିବିରରେ ସଙ୍ଗରୋଧ ସମାପ୍ତ କରିଥିବା ଛତିଶଗଡର ୭୫ ଜଣ ଶ୍ରମିକଙ୍କୁ ପଠାଯିବା ନିମନ୍ତେ ଜିଲ୍ଲା କାର୍ଯ୍ୟାଳୟ ପରିସରକୁ ବସଟିକୁ ଅଣାଯାଇଥିଲା । ଏଥିରେ ଅନୁଗୁଳ ବ୍ଲକର ୨୪ ଜଣ, ବଅଁରପାଳ ବ୍ଲକର ୨୦ ଜଣ ଓ ଛେଣ୍ଡିପଦା ବ୍ଲକର ୩୧ ଜଣ ମୋଟ ୭୫ ଜଣଙ୍କୁ ଏହି ସ୍ଲିପର ବସରେ ପଠାଇ ଦିଆଯାଇଛି । ଅପରାହ୍ନରେ ପାଲଲହଡା, କଣିହାଁ ଓ ଅନୁଗୁଳ ବ୍ଲକର ୩୧ ଜଣଙ୍କୁ ଏକ ବସ ଯୋଗେ ଝାରଖଣ୍ଡ ପଠାଇଦିଆଯାଇଛି ।

ସମସ୍ତ ଶ୍ରମିକ ମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଖାଦ୍ୟ ପାନୀୟ ଦିଆଯାଇ ପଠାଇଦିଆଯାଇଛି । ଜିଲ୍ଲାପାଳ ମନୋଜ କୁମାର ମହାନ୍ତି, ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ଅତୁଲ୍ୟ କୁମାର ଚମ୍ପତିରାୟ ଓ ଅନୁଗୁଳ ଉପଜିଲ୍ଲାପାଳ ବାସୁଦେବ ଶତପଥିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଓ ଡେପୁଟୀ କଲେକ୍ଟର ବଇତୁରା ଦୀପ୍, ଏପିଡି ଅବିନାଶ ମହାନ୍ତି, ଏପିଡି ରାକଶେ କୁଣ୍ଡୁ ପ୍ରମୁଖ ଶ୍ରମିକ ମାନଙ୍କୁ ପଠାଇବାରେ ସହାୟତା କରିଥିଲେ ।

ପ୍ରକାଶ ଥାଉକି ବିଭିନ୍ନ ଜିଲ୍ଲା ଓ ରାଜ୍ୟ ବାହାରକୁ ଶ୍ରମିକ ମାନଙ୍କୁ ପଠାଇବା ଓ ଜିଲ୍ଲାକୁ ଫେରୁଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ବିଭିନ୍ନ ଅସ୍ଥାୟୀ ମେଡିକାଲ ଶିବିରରେ ରଖିବାର ସମସ୍ତ ପ୍ରକାର ଆନୁଷଙ୍ଗୀକ ବ୍ୟବସ୍ଥା ସମ୍ପୃକ୍ତ ଉପ-ଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ମାନେ କରୁଛନ୍ତି ।

Leave A Reply