କାଠ ଖୋଦେଇ ଶିଳ୍ପରେ ସଫଳ ଶୁଭେନ୍ଦୁ : ପିଏମଇଜିପି ଯୋଜନାରେ ନେଇଥିଲେ ୨୫ ଲକ୍ଷ ଟଙ୍କା ଋଣ, ପାଇଛନ୍ତି ୮.୭୫ ଲକ୍ଷ ସବସିଡି
ଭୁବନେଶ୍ୱର, ତା ୨୮/୧୧/୨୬: ଇଞ୍ଜିନିୟରିଂ ପାସ୍ ପରେ ଚାକିରି ପଛରେ ନ ଦୌଡ଼ି ନିଜେ ଉଦ୍ୟୋଗୀ ହେବାର ସ୍ୱପ୍ନ ଦେଖିଥିଲେ ଶୁଭେନ୍ଦୁ କୁମାର ସାହୁ । ତାଙ୍କର ଏହି ନିଆରା ଚିନ୍ତାଧାରା ଆଜି ତାଙ୍କୁ ସଫଳ ଉଦ୍ୟୋଗୀ ଭାବେ ପରିଚିତ କରାଇଛି ।
ପାରମ୍ପରିକ କାଠ ଖୋଦେଇ ଶିଳ୍ପରେ ଆଧୁନିକ ପ୍ରଯୁକ୍ତିର ପ୍ରୟୋଗ କରି ସେ ଆରମ୍ଭ କରିଛନ୍ତି ‘ଦେବକୃପା ସିଏନସି’। ସିଏନସି ଓ ଲେଜର କଟିଂ ଜରିଆରେ ଆକର୍ଷଣୀୟ କବାଟ, ଝରକା ଓ କାଠ ମୂର୍ତ୍ତି ସହ ବିଭିନ୍ନ କାରୁକାର୍ଯ୍ୟ ନିର୍ମାଣ କରୁଛନ୍ତି।
ବ୍ୟବସାୟର ସମ୍ପ୍ରସାରଣ ପାଇଁ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ ମାଧ୍ୟମରେ ପିଏମଇଜିପି ଯୋଜନାରେ ୨୫ ଲକ୍ଷ ଟଙ୍କାର ଋଣ ସହ ୮ ଲକ୍ଷ ୭୫ ହଜାର ଟଙ୍କାର ସବସିଡି ପାଇଛନ୍ତି ବୋଲି ଶୁଭେନ୍ଦୁ କହିଛନ୍ତି । ‘ଦେବକୃପା ସିଏନସି’ ଢେଙ୍କାନାଳର ପ୍ରମୁଖ କାଠ ଖୋଦେଇ ଅନୁଷ୍ଠାନ ଭାବେ ଉଭା ହୋଇଛି ବୋଲି ସେ କହିଛନ୍ତି । ତାଙ୍କ ଅନୁଷ୍ଠାନରେ ଏବେ ୧୦ ଜଣ କାମ କରୁଛନ୍ତି ।
ଖଦି ଓ ଏମଏସଏମଇ ଏକ୍ସପୋରେ ତାଙ୍କ ଷ୍ଟଲ୍ ନିଆରା ଆକର୍ଷଣ ରଖୁଛି । ଇଚ୍ଛାଶକ୍ତି ଓ ଉଦ୍ୟମ ଥିଲେ ଚାକିରି ଖୋଜିବା ବଦଳରେ ଅନ୍ୟକୁ ଚାକିରୀ ଦେଇହେବ ବୋଲି ଶୁଭେନ୍ଦୁ କହିଛନ୍ତି ।
